କନ୍ଧମାଳ: ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଗ୍ରାମାଞ୍ଚଳରେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି ଅଞ୍ଚଳବାସୀ । ପୋଲଟିଏ ନଥିବାରୁ ଜୀବନକୁ ବାଜି ଲଗାଇ ଭରା ନାଳରେ ଶବ ବୋହି ଶ୍ମଶାନକୁ ନେବାକୁ ପଡ଼ୁଛି । ଏଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତର ଗେରୁପଡ଼ା ଗ୍ରାମରେ ।
ଗେରୁପଡ଼ାରୁ ବଳରାମପୁର, ଗଞ୍ଜୁପଙ୍ଗା ଏବଂ ଉର୍କିଆପଦରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଥିବା ନାଳରେ ପୋଲ ନିର୍ମାଣ ହୋଇପାରି ନାହିଁ । ଗେରୁପଡ଼ା ଗ୍ରାମବାସୀଙ୍କ ଚାଷ ଜମି, ନିତିଦିନିଆ ଯାତାୟାତ ରାସ୍ତା ଏବଂ ଗାଁ ମଶାଣି ଏହି ନାଳ ଆରପଟେ ରହିଛି । ବିଶେଷ କରି ବର୍ଷା ଦିନେ ଏହି ନାଳ ଉଛୁଳି ପଡ଼ୁଥିବାରୁ ଲୋକଙ୍କ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଏ । ରାସ୍ତା ଓ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦୀର୍ଘ ଦିନରୁ ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ ।
ଗାଁରେ କାହିଁ କେଉଁ କାଳରୁ କାହାର ମୃତ୍ୟୁ ହେଲେ ଶ୍ମଶାନ ଯିବାକୁ ହେଲେ ଏହି ନାଳ ଦେଇ ଯିବାକୁ ପଡ଼ିଥାଏ । ରବିବାର ଗାଁର ଜଣେ ମହିଳାଙ୍କ ମୃତ୍ୟୁ ପରେ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଶବକୁ ମଶାଣି ନେବାକୁ ପଡ଼ିଥିଲା । ହେଲେ ବର୍ଷା ଯୋଗୁଁ ନାଳରେ ପ୍ରବଳ ଜଳସ୍ରୋତ ପ୍ରବାହିତ ହେଉଥିଲା । ଶେଷରେ ଆଉ କିଛି ଉପାୟ ନପାଇ ଗ୍ରାମବାସୀମାନେ ଜୀବନକୁ ବାଜି ଲଗାଇ ଶବକୁ କାନ୍ଧରେ ବୋହି ଆରପଟକୁ ନେଇଥିଲେ ଏବଂ ମଶାଣିରେ ଶବ ଦାହ କରିଥିଲେ ।
