Voice of Eastern India

ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ: ୨୦୧୩ ଯୌନ ନିର୍ଯାତନା ମାମଲାରେ ହାଇକୋର୍ଟଙ୍କ ବଡ଼ ରାୟ


ନୂଆଦିଲ୍ଲୀ: ‘ତହେଲକା’ (Tehelka) ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କୁ ୨୦୧୩ର ଏକ ଯୌନ ନିର୍ଯାତନା ମାମଲାରେ ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାସହ ନିମ୍ନ ଅଦାଲତଙ୍କ ୨୦୨୧ର ଖଲାସ ଆଦେଶକୁ ହାଇକୋର୍ଟ ସମ୍ପୂର୍ଣ୍ଣ ରଦ୍ଦ କରିଛନ୍ତି। 

ଜଷ୍ଟିସ୍ ଡ. ନୀଲା ଗୋଖଲେ ଏବଂ ଜଷ୍ଟିସ୍ ଅମିତ ଜାମସାଣ୍ଡେକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଇ ପକ୍ଷର ଦୀର୍ଘ ଯୁକ୍ତି ଶୁଣିବା ପରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ୨୦୨୧ ମସିହାରେ ସେସନ୍ସ କୋର୍ଟ ତେଜପାଲଙ୍କୁ ଦୋଷମୁକ୍ତ କରିବା ପରେ ଗୋଆ ସରକାର ଏହା ବିରୋଧରେ ହାଇକୋର୍ଟରେ ଅପିଲ୍ କରିଥିଲେ। 

ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାମଲା ପରିଚାଳନା କରିଥିବା ବେଳେ ତେଜପାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଆବାଦ ପୋଣ୍ଡା ପକ୍ଷ ରଖିଥିଲେ।  ୨୦୧୩ ମସିହା ନଭେମ୍ବର ମାସରେ ଗୋଆରେ ଆୟୋଜିତ ‘ଥିଙ୍କଫେଷ୍ଟ’  କାର୍ଯ୍ୟକ୍ରମ ସମୟରେ ଏକ ହୋଟେଲ ଲିଫ୍ଟ ଭିତରେ ତରୁଣ ତେଜପାଲ ନିଜର ଜଣେ କନିଷ୍ଠ ସହକର୍ମୀ ଯୁବତୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ୨୦୧୭ରେ ମାପୁସା ନିମ୍ନ ଅଦାଲତରେ ଏହାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୨୦୨୧ରେ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରାଯାଇଥିଲା। 

ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଦର୍ଶାଇଥିଲେ ଯେ, ନିମ୍ନ ଅଦାଲତ ପୀଡ଼ିତାଙ୍କ ଆଚରଣକୁ ଏକ ପୂର୍ବନିର୍ଦ୍ଧାରିତ ମାନସିକତା ବା ଧାରଣା ଆଧାରରେ ପରଖି ଗୁରୁତର ଭୁଲ କରିଥିଲେ।  ଯୌନ ନିର୍ଯାତନାର ଶିକାର ହୋଇଥିବା କୌଣସି ବ୍ୟକ୍ତିଙ୍କ ପ୍ରତିକ୍ରିୟାର କୌଣସି ସାର୍ବଜନୀନ ବା ନିର୍ଦ୍ଦିଷ୍ଟ ନିୟମ ନଥାଏ। ଶିକ୍ଷା, ବ୍ୟକ୍ତିତ୍ୱ, ସାମାଜିକ ପୃଷ୍ଠଭୂମି ଓ ପରିସ୍ଥିତି ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତିକ୍ରିୟା ଭିନ୍ନ ହୋଇଥାଏ। 

ଦୋଷୀ ସାବ୍ୟସ୍ତ ହେବା ପରେ ମେହେଟ୍ଟା ତେଜପାଲଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିବା ସହ କହିଥିଲେ ଯେ, ‘ଜଣେ ନାରୀ ‘ନା’ କହିଲେ ତାର ଅର୍ଥ ‘ନା’, ସମାଜକୁ ଏହି ସ୍ପଷ୍ଟ ସନ୍ଦେଶ ଦେବା ପାଇଁ କୋର୍ଟ ଏକ କଠୋର ଆଭିମୁଖ୍ୟ ଦେଖାଇବା ଉଚିତ।”

ଦୋଷୀ ସାବ୍ୟସ୍ତ ହେବା ପରେ ୬୨ ବର୍ଷୀୟ ତରୁଣ ତେଜପାଲ ଅଦାଲତରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିବା ସହ ଦଣ୍ଡ କୋହଳ ପାଇଁ ନିବେଦନ କରିଥିଲେ। ଏଥିସହିତ ସେ ଏହି ରାୟ ବିରୋଧରେ ଉଚ୍ଚ ଆଦାଲତରେ ଆବେଦନ (ଅପିଲ୍) କରିବା ପାଇଁ ସମୟ ମାଗିଥିଲେ।

 

 



Source link

Leave A Reply

Your email address will not be published.