Voice of Eastern India

ଜାପାନରେ ଫ୍ଲପ୍ ‘ଧୁରନ୍ଧର’.. ପ୍ରଥମ ଦିନରେ ମିଳିଲେନି ହଜାରେ ଦର୍ଶକ


ଟୋକିଓ : ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗିଥିବା ଫିଲ୍ମ… ବିଶ୍ୱବ୍ୟାପୀ ୧୮୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ… କିନ୍ତୁ ଜାପାନରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଫିକା ପଡ଼ିଗଲା ଫିଲ୍ମର ଜଲୱା। ପ୍ରଥମ ଦିନରେ ହଜାରେ ଦର୍ଶକ ମଧ୍ୟ ମିଳିଲେ ନାହିଁ। ତେବେ ବକ୍ସ ଅଫିସରେ ଧମାଲ କରିଥିବା ଫିଲ୍ମ ‘ଧୁରନ୍ଧର’ କାହିଁକି ଜାପାନରେ ଫ୍ଲପ ହେଲା? ଗୋଟିଏ ପଟେ ବିଶ୍ୱବ୍ୟାପୀ ସଫଳତା… ଅନ୍ୟପଟେ ଜାପାନରେ ନିରାଶା। ଯେଉଁ ଫିଲ୍ମ ଦୁନିଆର ଅନେକ ଦେଶରେ ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଥିଲା, ସେହି ଫିଲ୍ମ  ଜାପାନରେ ଆଶା ଅନୁଯାୟୀ ଆରମ୍ଭ କରିପାରିଲା ନାହିଁ।

ସୂଚନା ଅନୁସାରେ, ବିଶ୍ୱବ୍ୟାପୀ ପ୍ରାୟ ୧୮୦୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଫିଲ୍ମ  ‘ଧୁରନ୍ଧର’ ଜାପାନରେ ପ୍ରଥମ ଦିନରେ ଦର୍ଶକଙ୍କୁ ଆକର୍ଷିତ କରିବାରେ ବିଫଳ ହୋଇଛି । ଏପରିକି ରିଲିଜର ପ୍ରଥମ ଦିନରେ ହଜାରେ ଦର୍ଶକ ମଧ୍ୟ ଫିଲ୍ମ ଦେଖିବାକୁ ଆସିନଥିଲେ । ଫିଲ୍ମର ଏପରି ପ୍ରଦର୍ଶନକୁ ନେଇ ଏବେ ସିନେ ବିଶେଷଜ୍ଞଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଯେଉଁ ଫିଲ୍ମ ଅନ୍ୟ ଦେଶରେ ସୁପରହିଟ୍ ହୋଇଥିଲା, ସେହି ଫିଲ୍ମକୁ ଜାପାନୀ ଦର୍ଶକ କାହିଁକି ସେଭଳି ଭାବେ ଗ୍ରହଣ କଲେ ନାହିଁ, ତାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। 

ଚଳଚ୍ଚିତ୍ର ବିଶ୍ଳେଷକଙ୍କ କହିବା ଅନୁସାରେ, କେବଳ ବିଶ୍ୱବ୍ୟାପୀ ଆୟ ହିଁ କୌଣସି ଫିଲ୍ମର ସଫଳତା ନିର୍ଣ୍ଣୟ କରେ ନାହିଁ। ପ୍ରତ୍ୟେକ ଦେଶର ଦର୍ଶକଙ୍କ ରୁଚି, ସଂସ୍କୃତି ଓ କାହାଣୀ ପସନ୍ଦ ଭିନ୍ନ ହୋଇଥାଏ। ଜାପାନରେ ସ୍ଥାନୀୟ ଏବଂ ଆନିମେ ଫିଲ୍ମର ଲୋକପ୍ରିୟତା ଅଧିକ ଥିବାରୁ ବିଦେଶୀ ଫିଲ୍ମକୁ ଦର୍ଶକଙ୍କ ପାଖରେ ପହଞ୍ଚିବା ପାଇଁ ବଡ଼ ଚାଲେଞ୍ଜର ସାମ୍ନା କରିବାକୁ ପଡ଼େ। ଏହାଛଡ଼ା ରିଲିଜ୍ ସମୟ, ସ୍କ୍ରିନ୍ ସଂଖ୍ୟା, ପ୍ରଚାର-ପ୍ରସାର ଓ ସ୍ଥାନୀୟ ପ୍ରତିଦ୍ୱନ୍ଦ୍ୱୀ ଫିଲ୍ମ ମଧ୍ୟ ବକ୍ସ ଅଫିସ ପ୍ରଦର୍ଶନ ଉପରେ ବଡ଼ ପ୍ରଭାବ ପକାଇଥାଏ।

ତେବେ ଏହା କେବଳ ପ୍ରଥମ ଦିନର ଆକଳନ। ଆଗାମୀ କିଛି ଦିନରେ ଦର୍ଶକଙ୍କ ମଧ୍ୟରେ ସକାରାତ୍ମକ ସମୀକ୍ଷା ମିଳିଲେ ଫିଲ୍ମର ପ୍ରଦର୍ଶନରେ ସୁଧାର ଆସିପାରେ। ନଚେତ୍ ବିଶ୍ୱବ୍ୟାପୀ ସଫଳତା ସତ୍ତ୍ୱେ ଜାପାନରେ ‘ଧୁରନ୍ଧର’ର ଯାତ୍ରା ନିରାଶାଜନକ ହୋଇପାରେ। ବିଶ୍ୱବ୍ୟାପି ସର୍ବାଧିକ ରେକର୍ଡ ଆୟ କରିଥିବା ଫିଲ୍ମ ଧୁରନ୍ଧର ପାଇଁ ଜାପାନରେ ଏଭଳି ଦୁର୍ବଳ ଆରମ୍ଭ ନିଶ୍ଚିତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। 

 



Source link

Leave A Reply

Your email address will not be published.