Voice of Eastern India

ଜଳବାୟୁ ପରିବର୍ତ୍ତନ ପାଇଁ ପୁରୁଷମାନଙ୍କୁ ଦାୟୀ କଲେ ଦିୟା ମିର୍ଜା, ହଙ୍ଗାମା ପରେ କହିଲେ-‘ମୁଁ ମୋ କଥାରେ ସ୍ଥିର’


ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପ୍ରଦୂଷଣକୁ ନେଇ ଅଭିନେତ୍ରୀ ଦିୟା ମିର୍ଜା ଏକ ବୟାନ ଦେଇଥିଲେ । ଅଭିନେତ୍ରୀଙ୍କ ଏହି ବୟାନ ଏବେ ବିବାଦ ଘେରକୁ ଆସିଛି । ଦିୟା ମିର୍ଜା ନିକଟରେ କ୍ଲାଇମେଟ୍ ଚେଞ୍ଜ ଭଳି ସମସ୍ୟା ପାଇଁ ପୁରୁଷ ଏବଂ ପିତୃକେନ୍ଦ୍ରିକ ଢାଞ୍ଚା (patriarchy)କୁ ଦୋଷ ଦେଇଛନ୍ତି । ଏବେ ନିଜର ଏହି ବୟାନକୁ ନେଇ ଦିୟା ଟ୍ରୋଲର୍ସଙ୍କ ନିଶାନାରେ ଅଛନ୍ତି ।

ଦିୟା ମିର୍ଜା ଏବେ ନିଜର ବୟାନକୁ ନେଇ ବିବାଦ ଘେରକୁ ଚାଲିଆସିଛନ୍ତି । ଦିୟା ଜଣେ ଅଭିନେତ୍ରୀ ହେବା ସହ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଗୁଡ୍‌ୱିଲ୍ ଆମ୍ବାସଡର ମଧ୍ୟ ଅଛନ୍ତି । ନିକଟରେ ଅଭିନେତ୍ରୀ ଜଣକ ସୋହା ଅଲି ଖାନ୍‌ଙ୍କ ପଡକାଷ୍ଟରେ କ୍ଲାଇମେଟ୍ ଚେଞ୍ଜ ଏବଂ ପରିବେଶକୁ ହେଉଥିବା କ୍ଷତି ପାଇଁ ପୁରୁଷଙ୍କୁ ଦାୟୀ କରି କହିଥିଲେ- ପିତୃକେନ୍ଦ୍ରିକ ଢାଞ୍ଚା ଜଳବାୟୁ ପରିବର୍ତ୍ତନର ବଡ଼ କାରଣ ।

ଦିୟା ମିର୍ଜାଙ୍କ ବୟାନ

ସୋହା ଅଲି ଖାନ୍‌ଙ୍କ ପଡ୍‌କାଷ୍ଟରେ ଦିୟା ମିର୍ଜା କ୍ଲାଇମେଟ୍ ଚେଞ୍ଜ ଏବଂ ପରିବେଶକୁ ହେଉଥିବା କ୍ଷତିର କାରଣ ପୁରୁଷମାନଙ୍କୁ ଦର୍ଶାଇ କହିଥିଲେ- “ପିତୃସତ୍ତା ହିଁ କ୍ଲାଇମେଟ୍ ଚେଞ୍ଜର ସବୁଠାରୁ ବଡ଼ କାରଣ । ଏହି ଦୁନିଆରେ ପୁରୁଷମାନେ ହିଁ… ପୁରୁଷମାନେ ହିଁ କ୍ଲାଇମେଟ୍ ଚେଞ୍ଜକୁ ପ୍ରୋତ୍ସାହନ ଦେଇଛନ୍ତି ଏବଂ ଆଜି ଦୁନିଆରେ ଯାହା ବି ଅସ୍ଥିରତା ଲାଗି ରହିଛି, ସେଥିପାଇଁ ସେମାନେ ହିଁ ସମ୍ପୂର୍ଣ୍ଣ ଦାୟୀ । ଆଉ ଏହା କେବଳ ଗ୍ଲୋବାଲ ସାଉଥରେ ନୁହେଁ, ଗ୍ଲୋବାଲ ନର୍ଥରେ ମଧ୍ୟ ଏହା ହିଁ ଘଟୁଛି।”

ଟ୍ରୋଲିଂ ଉପରେ ଦିୟା ମିର୍ଜାଙ୍କ ପ୍ରତିକ୍ରିୟା

ସୋସିଆଲ ମିଡିଆରେ ମିଳୁଥିବା ପ୍ରତିକ୍ରିୟା ଉପରେ ଦିୟା ମିର୍ଜା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ” ଆପଣମାନଙ୍କ ମଧ୍ୟରୁ ଅନେକ ଏହା ଉପରେ ବିତର୍କ କରୁଛନ୍ତି, ତେଣୁ ଏହାକୁ ଯେତେ ସହଜ ଉପାୟରେ ବୁଝାଇ ହେବ ତାହା କରିବା ଠିକ୍ ହେବ । ମୁଁ ମୋର ଏହି ବୟାନରେ ଏବେ ବି ସ୍ଥିର ଅଛି ଯେ ‘ପିତୃସତ୍ତା କାରଣରୁ ହିଁ ଜଳବାୟୁ ସଙ୍କଟ ସୃଷ୍ଟି ହୋଇଛି ।’ ପ୍ରାୟତଃ ଜଳବାୟୁ ପରିବର୍ତ୍ତନକୁ ପରିବେଶ ସହ ଜଡ଼ିତ ଏକ ସଙ୍କଟ ବୋଲି ଧରାଯାଏ, କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଏକ ଅସମାନତାର ସଙ୍କଟ ମଧ୍ୟ ଅଟେ । ଶତାବ୍ଦୀ ଶତାବ୍ଦୀ ଧରି ପାଟ୍ରିଆର୍ଚି ବ୍ୟବସ୍ଥାଗୁଡ଼ିକ କ୍ଷମତାକୁ ନିଜ ହାତରେ ରଖିଛନ୍ତି । ଯତ୍ନ ନେବା ବଦଳରେ ପ୍ରାକୃତିକ ସମ୍ପଦର ଅତ୍ୟଧିକ ବ୍ୟବହାର ବା ଶୋଷଣକୁ ପ୍ରାଥମିକତା ଦେଇଛନ୍ତି । ପ୍ରକୃତି ଓ ଦୁର୍ବଳ ସମୁଦାୟକୁ ସୁରକ୍ଷା ଦେବା ପରିବର୍ତ୍ତେ କେବଳ ଉପଭୋଗର ଏକ ମାଧ୍ୟମ ଭାବରେ ଦେଖିଛନ୍ତି ।”

ଦିୟା ଆହୁରି ଲେଖିଛନ୍ତି, “ପିତୃକେନ୍ଦ୍ରିକ ଢାଞ୍ଚା ସମାଜରେ ଯେଉଁଭଳି ଭାବେ ମହିଳା ଏବଂ ଝିଅମାନଙ୍କ ସହ ବ୍ୟବହାର କରାଯାଏ, ଠିକ୍ ସେହିପରି ଜଙ୍ଗଲ, ନଦୀ, ମହାସାଗର ଏବଂ ଇକୋସିଷ୍ଟମ୍ ସହିତ ମଧ୍ୟ କରାଯାଇଛି । ସେଗୁଡ଼ିକୁ ମଧ୍ୟ କେବଳ ଗୋଟିଏ ‘ସାମଗ୍ରୀ’ ବା ‘ବସ୍ତୁ’ ଭାବରେ ଦେଖାଯାଇଛି ଏବଂ ଏହାର ପରିଣାମକୁ ଏବେ ଅଣଦେଖା କରିବା ସମ୍ପୂର୍ଣ୍ଣ ଅସମ୍ଭବ । “



Source link

Leave A Reply

Your email address will not be published.