Voice of Eastern India

ଗହଣା ବ୍ୟବସାୟୀଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଲୁଟ୍, ୫ କେଜି ରୂପା ଓ ୬୦ ଗ୍ରାମ ସୁନା ଲୁଟ୍ ଅଭିଯୋଗ


ମୋରଡ଼ା ୨୨।୮: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ପୁଣି ଥରେ ବନ୍ଧୁକ ମୁନରେ ଲୁଟ୍ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ନୂଆଝାଳିଆ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ପୋଖରୀ ନିକଟରେ ଜଣେ ଗହଣା ବ୍ୟବସାୟୀଙ୍କୁ ଭୟଭୀତ କରି ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି ।

କୋଷ୍ଠା ଅଞ୍ଚଳର ଗହଣା ବ୍ୟବସାୟୀ ତପନ ପରିଡ଼ା ସାନମୁଣ୍ଡାବଣୀ ହାଟରେ ବ୍ୟବସାୟ ସାରି ନିଜ କାରରେ ଘରକୁ ଫେରୁଥିଲେ । ଏହି ସମୟରେ ନୂଆଗାଁ ପୋଖରୀ ନିକଟରେ ଦୁଇଟି ବାଇକରେ ଚାରି ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ତପନ ପରିଡ଼ାଙ୍କୁ ଭୟଭୀତ କରିବା ସହ ତାଙ୍କ ପାଖରେ ଥିବା ଗହଣା ଭର୍ତ୍ତି ବ୍ୟାଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି । ତପନ ପରିଡ଼ାଙ୍କ କହିବା ଅନୁସାରେ, ବ୍ୟାଗରେ ପ୍ରାୟ ୫ କିଲୋଗ୍ରାମ ରୂପା ଓ ୬୦ ଗ୍ରାମ ସୁନା ରହିଥିଲା । ଏହାସହ ବ୍ୟାଗ୍ ଭିତରେ ତାଙ୍କ ମୋବାଇଲ ଫୋନ୍ ମଧ୍ୟ ଥିବା ସେ କହିଛନ୍ତି । ଲୁଟ୍ ଜିନିଷର ମୂଲ୍ୟ କେତେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ଏହି ଘଟଣାକୁ ନେଇ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି ।

ତେବେ ଲୁଟେରାଙ୍କ ଦୁଇଟି ବାଇକ୍ ମଧ୍ୟରୁ ଗୋଟିଏ ବାଇକ୍ ଷ୍ଟାର୍ଟ ନ ହେବାରୁ ଘଟଣାସ୍ଥଳରେ ଗୋଟିଏ ବାଇକ୍କୁ ଛାଡି ଦୁର୍ବୃତ୍ତ ମାନେ ପଳାଇଥିଲେ । ତେବେ ମୋରଡା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରି, ଲୁଟ ଓ ଡକାୟତି ଭଳି ଘଟଣା ନେଇ ବାରମ୍ବାର ଅଭିଯୋଗ ଆସୁଛି । ଏଭଳି ଘଟଣାର ପୁନରାବୃତ୍ତି ହେଉଥିବାରୁ ଅଞ୍ଚଳର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ।



Source link

Leave A Reply

Your email address will not be published.