ନୂଆଦିଲ୍ଲୀ, ୩୧। ୦୭ : ଜୀବନ ହାରିଲେ ଯୁବ କ୍ରିକେଟର । ସୁଯୋଗ ନମିଳିବାରୁ ନେଲେ ଚରମ ନିଷ୍ପତ୍ତି । ମାତ୍ର ୧୭ ବର୍ଷ ବୟସରେ ଜଣେ ନାବାଳିକା କ୍ରିକେଟର ଆତ୍ମହତ୍ୟା କରିଛନ୍ତି । ଜୀବନ ହାରିବା ପୂର୍ବରୁ ସେ ବହୁତ କିଛି ଲେଖି ଯାଇଛନ୍ତି ।
ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରର ନାଗପୁରର ବଜାଜ ନଗର ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟା କ୍ରିକେଟର ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ଦଳରେ ସ୍ଥାନ ମିଳି ନଥିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି । ମୃତ ନାବାଳିକା ହେଲେ ଅତିତି ଚଉଖାଣ୍ଡେ । ସେ ଅକୋଲାରେ ଜନ୍ମ ହୋଇଥିବା ବେଳେ ନାଗପୁରରେ ରହୁଥିଲେ । ମାଆ ଏବଂ ବଡ ଭାଇଙ୍କ ସହ ସେ ଏଠାରେ ରହି କ୍ରିକେଟ୍ ଅଭ୍ୟାସ କରୁଥିଲେ । ତାଙ୍କ ପିତା ଅକୋଲାରେ ଠିକାଦାର ଭାବେ କାର୍ଯ୍ୟ କରନ୍ତି । ନିକଟରେ ସେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।
ପୋଲିସର କହିବାନୁସାରେ, ଅଦିତି ଏବଂ ତାଙ୍କ ବଡ ଭାଇ କ୍ରିକେଟ୍ ଅଭ୍ୟାସ କରନ୍ତି । ବୁଧବାର ରାତିରେ ସେ ପରିବାର ଲୋକଙ୍କ ସହ ଭୋଜନ କରିଥିଲେ । ଏହାପରେ ନିଜ କୋଠରୀକୁ ଯାଇ ଆତ୍ମହତ୍ୟା କରିଥିଲେ । ଘଟଣା ବେଳେ ବଡ ଭାଇ ପ୍ରବଳ ସହର ବାହାରେ ଥିଲେ ।
Also Read :- BJP ଛାଡି଼ବେ କି ଶେହଜାଦ୍ ପୁନାଓ୍ୱାଲା ? ଏକ୍ସ ବାୟୋ ପରିବର୍ତ୍ତନ ପରେ ବଢିଲା ଚର୍ଚ୍ଚା
ମିଳିଲା ସୁଇସାଇଡ୍ ନୋଟ୍
ମୃତ୍ୟୁ ପୂର୍ବରୁ ଅଦିତି ସୁଇସାଇଡ୍ ନୋଟ୍ ଲେଖିଛନ୍ତି । ଏଥିରେ ଲେଖାଯାଇଛି ଯେ, ସେ ଦଳରେ ସିଲେକ୍ଟ ହୋଇନଥିଲେ । ଯାହା ତାଙ୍କୁ ନିରାଶ କରିଥିଲା । ଫଳରେ ସେ ତାଙ୍କ ମାତାପିତାଙ୍କୁ ଗର୍ବାନ୍ୱିତ କରିପାରିନଥିଲେ । ଏହାସହ ସେ ନିଜ ବଡ ଭାଇଙ୍କ ପାଇଁ ମଧ୍ୟ ଲାଷ୍ଟ୍ ମେସେଜ୍ ଲେଖିଛନ୍ତି । ବଡ ଭାଇ ଭଲ ଖେଳୁଛନ୍ତି । ତାଙ୍କୁ ନେଇ ଦିନେ ନା ଦିନେ ପିତାମାତା ଗର୍ବ କରିବେ ବୋଲି ନୋଟରେ ଲେଖାଯାଇଛି ।
ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ ହୋଇଛି । ମୃତ୍ୟୁ ପଛର କାରଣ ଦଳରେ ସ୍ଥାନ ନମିଳିବା ବୋଲି ସ୍ଥାନୀୟ ପୋଲିସ ଅଧିକାରୀ ଚେତନ ଚୌହ୍ୱାନ କହିଛନ୍ତି ।
