ନୂଆଦିଲ୍ଲୀ: ଦୁବାଇ ଠାରୁ ଆଧୁନିକ ହେବ ଭାରତର ପର୍ସନାଲ ଟ୍ରାନ୍ସପୋର୍ଟ। ପର୍ସନାଲ ଟ୍ରାନ୍ସପୋର୍ଟ ବା ବ୍ୟକ୍ତିଗତ ଯିବାଆସିବା ପାଇଁ ଭାରତୀୟମାନେ ଭବିଷ୍ୟତରେ ଫ୍ଲାଇଁ ଟ୍ୟାକ୍ସି ମାନେ ଉଡ଼ନ୍ତା କାର ବ୍ୟବହାର କରିବେ। ଜଣେ ଯୁବ ଉଦ୍ଭାବକଙ୍କୁ ଏ ଦିଗରେ ଏକ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡ ଅଲମୋରା ଜିଲ୍ଲାର ଜଣେ ଯୁବ ଇଞ୍ଜିନିୟର ରବି ତମଟା ବିଦ୍ୟୁତଚାଳିତ ଏକ ଉଡ଼ନ୍ତା ଛୋଟ କାର୍ (Electric Personal Flying Vehicle)ର ପ୍ରୋଟୋଟାଇପର ସଫଳ ପରୀକ୍ଷଣ କରିଛନ୍ତି। ଏହାକୁ ଭବିଷ୍ୟତର ବ୍ୟକ୍ତିଗତ ଯାତାୟାତ ବ୍ୟବସ୍ଥା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।
ଅଲମୋରା ଜିଲ୍ଲାର ପ୍ରସିଦ୍ଧ ଜାଗେଶ୍ୱର ଧାମ ନିକଟସ୍ଥ କାଫଲିଖାନ ଗାଁର ବାସିନ୍ଦା ରବି ତମଟା ତାଙ୍କ ଷ୍ଟାର୍ଟଅପ୍ ହାପିଡା ସ୍କାଏ ପ୍ରାଇଭେଟ୍ ଲିମିଟେଡ୍ ମାଧ୍ୟମରେ HAPIDA SKYNeX ନାମକ ଏହି ବିଦ୍ୟୁତଚାଳିତ ବ୍ୟକ୍ତିଗତ ଉଡ଼ନ୍ତା ମିନି କାର ତିଆରି କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ବର୍ଷ ବର୍ଷର ଗବେଷଣା ପରେ ପ୍ରଥମ ବଡ଼ ସଫଳତା
ଏହି ପ୍ରୋଟୋଟାଇପକୁ ଡେଭଲପ କରିବା ପାଇଁ ରବିଙ୍କୁ ବର୍ଷ ବର୍ଷ ଧରି ଗବେଷଣା କରିବାକୁ ପଡ଼ିଥିଲା। ଯାହା ଏବେ ସଫଳ ହୋଇଛି। ଏହା ଭବିଷ୍ୟତରେ ବ୍ୟକ୍ତିଗତ ଆକାଶ ମାର୍ଗରେ ଯାତାୟାତ (Personal Air Mobility)କୁ ବାସ୍ତବ ରୂପ ଦେବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।ସବୁଠାରୁ ବଡ଼ କଥା ହେଲା ସାଧାରଣ ବିମାନ କିମ୍ବା ଅନ୍ୟ ଉଡ଼ନ୍ତା ଯାନ ପରି ଏଥିରେ ବିମାନ ଇନ୍ଧନ (Aviation Fuel) ବ୍ୟବହାର କରାଯାଏ ନାହିଁ। ଏପରିକି ଇଥାନଲ୍ ଆଧାରିତ ପ୍ରୋପଲ୍ସନର ପରୀକ୍ଷାମୂଳକ ଟେକ୍ନୋଲୋଜୀ ଉପରେ ମଧ୍ୟ ଏହା ନିର୍ଭର କରେ ନାହିଁ।
🚁 Made in Uttarakhand!
Ravi Tamta from Kaflihan, Almora, has built a helicopter and successfully conducted its trial. The viral video of the test flight has earned him widespread praise, with many applauding his innovation and determination.#Uttarakhand #Almora #Helicopter pic.twitter.com/CATcArf9xl
— Pooja Talwar (@PoojaTalwar21) August 7, 2026
HAPIDA SKYNeXକୁ ସମ୍ପୂର୍ଣ୍ଣ ବିଦ୍ୟୁତଚାଳିତ ଯାନ ଭାବେ ପ୍ରସ୍ତୁତ କରାଯାଇଛି। ଫଳରେ ଏହା ପରିବେଶ ଅନୁକୂଳ ଏବଂ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନର ଏକ ସ୍ୱଚ୍ଛ ବିକଳ୍ପ ଭାବେ ବିବେଚନା କରାଯାଉଛି।
ସମସ୍ତଙ୍କ ପାଇଁ ସୁରକ୍ଷିତ, ସୁଲଭ ଓ ପରିବେଶ ଅନୁକୂଳ ଆକାଶ ଯାତ୍ରା ଲକ୍ଷ୍ୟ
ରବି ତମଟାଙ୍କ କହିବା ଅନୁସାରେ, କିଭଳି ଭାରତର ସାଧାରଣ ଲୋକେ ଆକାଶମାର୍ଗରେ ବ୍ୟକ୍ତିଗତ ଭାବେ ସୁବିଧାରେ ଯାତାୟତ କରିପାରିବେ, ତାହା ହିଁ ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ। ସେମାନଙ୍କ ପାଖରେ ଏହି ସୁବିଧା ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ତେବେ ରବିଙ୍କର ଏହି ସଫଳତା ପ୍ରମାଣିତ କରୁଛି ଯେ ଦୁବାଇ, ୟୁଏଇ ଭଳି ଆଧୁନିକ ପରିବହନରେ ଭାରତୀୟ ଷ୍ଟାର୍ଟଅପ୍ଗୁଡ଼ିକ ଦ୍ରୁତ ଅଗ୍ରଗତି କରୁଛନ୍ତି। ଯଦି ସରକାରଙ୍କ ଧ୍ୟାନ ରହୁନ୍ତା ଓ ଅଧିକ ପ୍ରୋତ୍ସାହନ ମିଳନ୍ତା ତେବେ ଭାରତ ମଧ୍ୟ କେଉଁ ଦୁବାଇ ଠାରୁ କମ ରୁହନ୍ତା ନାହିଁ।
କେବଳ ସହର ନୁହେଁ, ଦୁର୍ଗମ ଅଞ୍ଚଳ ପାଇଁ ମଧ୍ୟ ହୋଇପାରେ ବରଦାନ
ଏହି ଟେକ୍ନୋଲୋଜୀ ଆଗକୁ ବିକଶିତ ହେଲେ ଏହାର ବ୍ୟବହାର କେବଳ ସହରୀ ପରିବହନ ନୁହେଁ ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ ମଧ୍ୟ ସୁବିଧାରେ ହୋଇପାରିବ। ଏହା ମାଧ୍ୟମରେ ଦୁର୍ଗମ ହିମାଳୟ ଗାଁଗୁଡ଼ିକ ସହ ଉନ୍ନତ ସଂଯୋଗ ସ୍ଥାପନ ହୋଇପାରିବ। ଭୂସ୍ଖଳନ ଓ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ସହାୟକ ହେବ। ସେହିପରି ସୁବିଧାଜନକ ସଡ଼କ ନଥିବା ସ୍ଥାନରେ ଶୀଘ୍ର ପହଞ୍ଚିବା ସମ୍ଭବ ହେବ। ଉତ୍ତରାଖଣ୍ଡର ପାହାଡ଼ିଆ ପର୍ଯ୍ୟଟନକୁ ନୂଆ ଦିଗ ମିଳିପାରିବ ଏବଂ ପର୍ଯ୍ୟଟକଙ୍କ ପାଇଁ ନୂଆ ପ୍ରକାରର ଯାତ୍ରା ଅନୁଭୂତି ସୃଷ୍ଟି ହେବ।
ଏବେ ପୂରା ହେଇନି ଆହୁରି କାମ ବାକି ଅଛି
ଏହି ସଫଳ ପ୍ରୋଟୋଟାଇପ୍ ଉଡ଼ାଣ ରବି ତମଟା ଓ ତାଙ୍କ ଟିମ୍ର ବର୍ଷ ବର୍ଷର ପରିଶ୍ରମ ଓ ଗବେଷଣାର ଫଳ। ତେବେ ବର୍ତ୍ତମାନ ଏହି ଯାନଟି ପ୍ରୋଟୋଟାଇପ୍ ପର୍ଯ୍ୟାୟରେ ରହିଛି। ବ୍ୟବସାୟିକ ଭାବେ ସେବା ଆରମ୍ଭ କରିବା ପୂର୍ବରୁ ଏହାକୁ ଆହୁରି ଅନେକ ପରୀକ୍ଷା ଦେଇ ଯିବାକୁ ପଡ଼ିବ। ଏହା ସହିତ ସମ୍ପୃକ୍ତ ନିୟାମକ ସଂସ୍ଥାମାନଙ୍କର ଅନୁମୋଦନ ମଧ୍ୟ ଆବଶ୍ୟକ ହେବ। ତଥାପି ଏହି ସଫଳ ପ୍ରଦର୍ଶନ ସ୍ପଷ୍ଟ କରିଛି ଯେ, ଅଡଭାନ୍ସଡ୍ ଏୟାର ମୋବିଲିଟି କ୍ଷେତ୍ରରେ ଭାରତ ବଡ଼ ସ୍ୱପ୍ନ ଦେଖୁଛି ଏବଂ ସେହି ଦିଗରେ ଦ୍ରୁତ ଅଗ୍ରସର ହେଉଛି।
