Voice of Eastern India

ଉଗ୍ର ହେଉଛି ପଟ୍ଟାମୁଣ୍ଡାଇ ମହାବୀର କଲେଜ ନିର୍ବାଚନ ବିବାଦ: ଜିଲ୍ଲା ହସ୍ପିଟାଲରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ, ଜଣେ ଆହତ


କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ୟୁ.କେ. ମହାବୀର ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ସଭାପତି ପ୍ରାର୍ଥୀ ଦୀପଙ୍କର ରାଉତଙ୍କ ପ୍ରାର୍ଥୀପତ୍ରକୁ ନେଇ ଦେଖାଦେଇଥିବା ବିବାଦ ଉଗ୍ର ରୂପ ନେଇଛି। ଦୀପଙ୍କରଙ୍କୁ ଅପହରଣ କରି ମାଡ଼ ମରାଯାଇଥିବା ଅଭିଯୋଗ ପରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ହସ୍ପିଟାଲରେ ଦୀପଙ୍କରଙ୍କୁ ନିଜ ଦଳର ପ୍ରାର୍ଥୀ ବୋଲି ଦାବି କରି ବିଜେଡି ଓ ବିଜେପିର ନେତା ଏବଂ କର୍ମୀ ପହଞ୍ଚିବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ମହାବୀର କଲେଜର ସଭାପତି ପ୍ରାର୍ଥୀ ଦୀପଙ୍କର ରାଉତଙ୍କୁ ଶନିବାର କିଛି ଦୁର୍ବୃତ୍ତ ଅପହରଣ କରି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ଖବର ପାଇ ଉଭୟ ବିଜେଡି ଓ ବିଜେପିର ନେତା ଏବଂ ଶତାଧିକ କର୍ମୀ ହସ୍ପିଟାଲରେ ପହଞ୍ଚିଥିଲେ। ଦୀପଙ୍କରଙ୍କୁ ନିଜ ନିଜ ଦଳର ପ୍ରାର୍ଥୀ ବୋଲି ଦାବି କରି ଉଭୟ ପକ୍ଷ ମଧ୍ୟରେ ପ୍ରଥମେ କଥା କଟାକଟି ଏବଂ ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ପରିସ୍ଥିତି ବିଗିଡ଼ିବା ଆଶଙ୍କାରେ ସଦର ଥାନା ପୋଲିସ ପକ୍ଷରୁ ହସ୍ପିଟାଲ ପରିସରରେ ଦୁଇ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ତେବେ ଉତ୍ତେଜନା ବଢ଼ିବାରୁ ପୋଲିସ ଦୀପଙ୍କରଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଇଥିଲା। ସେ ହସ୍ପିଟାଲ ଛାଡ଼ି ଚାଲିଯିବା ପରେ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।

Also Read: ରେଭେନ୍ସାରେ ଛାତ୍ର ଆନ୍ଦୋଳନ ବେଳେ ପୋଲିସ-ଛାତ୍ରଛାତ୍ରୀ ଠେଲାପେଲା, ଭିଡିଓ ଭାଇରାଲ

ପୋଲିସ ଉପସ୍ଥିତିରେ ହିଁ ଉଭୟ ଗୋଷ୍ଠୀର କର୍ମୀଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଯାଇଥିଲା। ଏଥିରେ ଜଣେ ବ୍ୟକ୍ତି ଆହତ ହେବା ସହ ତାଙ୍କ ମୁଣ୍ଡ ଫାଟିଯାଇଥିବା ଜଣାପଡ଼ିଛି। ପରେ ପୋଲିସ ହସ୍ତକ୍ଷେପ କରିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ତେବେ ଏହି ଘଟଣା ପରେ ମଧ୍ୟ ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗି ରହିଥିବା ସୂଚନା ମିଳିଛି। ପ୍ରାର୍ଥୀପତ୍ରକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ରାଜନୈତିକ ରୂପ ନେଇଥିବା ବେଳେ ପୋଲିସ ପକ୍ଷରୁ ସମଗ୍ର ଘଟଣା ଉପରେ ନଜର ରଖାଯାଇଛି। ଅପହରଣ ଓ ମାଡ଼ ମାରିବା ଅଭିଯୋଗ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ଏବଂ ଘଟଣାର ପରବର୍ତ୍ତୀ ତଦନ୍ତ ସମ୍ପର୍କିତ ତଥ୍ୟ ଅପେକ୍ଷାରେ ରହିଛି।

ଧାରଣାରେ ବସିଲେ ବିଜେଡି ବିଧାୟକ:

ସେପଟେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ସମ୍ମୁଖରେ ଧାରଣାରେ ବସିଲେ ବିଜେଡିର ଶତାଧିକ କର୍ମୀ । ଧାରଣାରେ ରାଜନଗର ବିଧାୟକ ଧ୍ରୁବ ସାହୁ ମଧ୍ୟ ସାମିଲ ହୋଇଛନ୍ତି । ବିଜେଡି କର୍ମୀ ଅଭିଯୋଗ କରିଛନ୍ତି ଯେ, ଦୀପଙ୍କର ଦୀର୍ଘ ୪ ଘଣ୍ଟା ହେଲାଣି କେନ୍ଦ୍ରାପଡ଼ା ମେଡିକାଲରୁ ଡିସଚାର୍ଜ ହୋଇଥିଲେ ମଧ୍ୟ ଘରେ ପହଞ୍ଚି ନାହାଁନ୍ତି ।

ପୋଲିସ ଓ ବିଜେପି କର୍ମୀମାନେ ମିଶି ଦୀପଙ୍କରଙ୍କୁ ଅପହରଣ କରିଥିବା ନେଇ ଅଭିଯୋଗ କରିବା ସହ ତୁରନ୍ତ ଦୀପଙ୍କରଙ୍କୁ ସୁରକ୍ଷିତ ତାଙ୍କ ଘରେ ଛାଡ଼ିବା ପାଇଁ ଦାବି କରିଛନ୍ତି ବିଧାୟକ ଧ୍ରୁବ ସାହୁ । ଏହା ସହ ଯେପର୍ଯ୍ୟନ୍ତ ଦୀପଙ୍କରଙ୍କ ପତ୍ତା ନମିଳିଛି ଓ ତାଙ୍କୁ ସୁରକ୍ଷା ନଦିଆଯାଇଛି ସେପର୍ଯ୍ୟନ୍ତ ଏ ଧାରଣା ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ । ଯାହାକୁ ନେଇ ଥାନା ପରିସରରେ ଚାପା ଉତ୍ତେଜନା ଲାଗିରହିଛି ।



Source link

Leave A Reply

Your email address will not be published.