Voice of Eastern India

ଆଫ୍ରିକା ତିଆରି କଲା ‘ଗ୍ରେଟ୍ ଗ୍ରୀନ୍ ୱାଲ୍’, ନହେଲେ ଧ୍ୱଂସ ହୋଇଯାଇଥାନ୍ତା ଜୀବ ଜଗତ ! ଜାଣନ୍ତୁ କେମିତି…


ଭୁବନେଶ୍ୱର : ବିଶ୍ୱର ସବୁଠୁ ବଡ଼ ମରୁଭୂମି ସାହାରା ଦିନକୁ ଦିନ ଆହୁରି ମରୁଭୂମି ପାଲଟିଗଲାଣି । ଏହା ଫଳରେ ପୃଥିବୀ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ବୈଜ୍ଞାନିକମାନଙ୍କ ଚିନ୍ତା ବଢ଼ିଯାଇଛି। ଗତ ୧୦୦ ବର୍ଷରେ ସାହାରା ମରୁଭୂମିର ଆକାର ପ୍ରାୟ ୧୦% ବଢ଼ିଛି। ବର୍ତ୍ତମାନ ସାହାରାର କ୍ଷେତ୍ରଫଳ ପ୍ରାୟ ୩.୩ ମିଲିୟନ୍ ବର୍ଗ ମାଇଲ୍, ଯାହା ଆଫ୍ରିକା ମହାଦେଶର ଉତ୍ତର ଭାଗରେ ୧୧ଟି ଦେଶ ମଧ୍ୟରେ ବ୍ୟାପିଛି। ଗତ କିଛି ବର୍ଷ ଧରି ଏହି ଅଞ୍ଚଳ ମଧ୍ୟ ଦ୍ରୁତ ଭାବେ ଶୁଷ୍କ ହେଉଥିବା ଦେଖାଯାଉଛି। ଏଠାରେ ପୂର୍ବରୁ ମଧ୍ୟ ଜଳ ସଙ୍କଟ ଥିଲା, କିନ୍ତୁ ଏବେ ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ଜଳ ସଙ୍କଟ ଆହୁରି ବଢ଼ିଲାଣି ।  ଆଉ ସାହାରା କୁ ଏଭଳି ବଡ ବିପତ୍ତିରୁ ରକ୍ଷା କରିବା ଦିଗରେ ଆରମ୍ଭ କରାଯାଇଛି ବିଶ୍ୱର ଅନ୍ୟତମ ପରିବେଶ ସୁରକ୍ଷା ପ୍ରକଳ୍ପ ‘ଗ୍ରେଟ୍ ଗ୍ରୀନ୍ ୱାଲ୍’।ଯାହା ଆଫ୍ରିକା ମହାଦେଶର ସେନେଗାଲର ଆଟଲାଣ୍ଟିକ୍ ଉପକୂଳରୁ ଆରମ୍ଭ କରି ଲୋହିତ ସାଗର କୂଳରେ ଥିବା ଜିବୁତି ପର୍ଯ୍ୟନ୍ତ ବ୍ୟାପିଛି ।

ସାହାରାରେ ଚାଲିଥିବା ‘ଗ୍ରେଟ୍ ଗ୍ରୀନ୍ ୱାଲ୍’ ପ୍ରକଳ୍ପ ଏବେ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରୁଛି। ଏହି ପ୍ରକଳ୍ପ ପ୍ରାୟ ୮ ହଜାର କିଲୋମିଟର ବ୍ୟାପୀ ଏହି ପ୍ରକଳ୍ପ ସାହାରା ମରୁଭୂମି ସଂଲଗ୍ନ ଅର୍ଦ୍ଧ-ଶୁଷ୍କ ସାହେଲ୍ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି। ଏହାର ଲକ୍ଷ୍ୟ କେବଳ ବୃକ୍ଷରୋପଣ ନୁହେଁ, ବରଂ ମରୁଭୂମିକରଣକୁ ରୋକିବା, ବଞ୍ଜର ଜମିକୁ ପୁନରୁଦ୍ଧାର କରିବା, ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା, ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହ ଖାପ ଖୁଆଇବାରେ ସ୍ଥାନୀୟ ସମୁଦାୟଙ୍କୁ ସହାୟତା କରିବା। ଏହା ଜଳବାୟୁ ପରିବର୍ତ୍ତନ ସହ ଲଢ଼ିବାରେ ମଧ୍ୟ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ଏହି ପଦକ୍ଷେପ ମାଧ୍ୟମରେ ବିଶ୍ୱର ସବୁଠୁ ଅଧିକ ଜଳବାୟୁ ସଙ୍କଟଗ୍ରସ୍ତ ଅଞ୍ଚଳଗୁଡ଼ିକ ମଧ୍ୟରୁ ଗୋଟିଏରେ ପ୍ରକୃତି ଓ ଜୀବନର ପୁନଃସୃଷ୍ଟି ପାଇଁ ପ୍ରୟାସ ଜାରି ରହିଛି।

ଆଫ୍ରିକାକୁ ଏହି ‘ଗ୍ରେଟ୍ ଗ୍ରୀନ୍ ୱାଲ୍’ର ଆବଶ୍ୟକତା କଣ ? ଆଫ୍ରିକାରେ ଗଢ଼ିଉଠୁଥିବା ‘ଗ୍ରେଟ୍ ଗ୍ରୀନ୍ ୱାଲ୍’ (Great Green Wall) ପ୍ରକଳ୍ପ ଏବେ ସାରା ବିଶ୍ୱର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । କିନ୍ତୁ ଏକ ପ୍ରଶ୍ନ ଉଠୁଛି ଯେ ଆଫ୍ରିକାକୁ ଏହି ‘ଗ୍ରେଟ୍ ଗ୍ରୀନ୍ ୱାଲ୍’ର ଆବଶ୍ୟକତା କଣ ? ତେବେ ଆଫ୍ରିକାର ସାହେଲ ଅଞ୍ଚଳ, ଯାହା ସାହାରା ମରୁଭୂମି ସହ ଲାଗି ରହିଛି, ସେଠାରେ ଦୀର୍ଘଦିନ ଧରି ଗୁରୁତର ପରିବେଶୀୟ ସମସ୍ୟା ଦେଖାଯାଉଛି। ଏହି ଅଞ୍ଚଳରେ ମରୁଭୂମି ଧୀରେ ଧୀରେ ବଢ଼ୁଛି, ଯାହାକୁ କୁହାଯାଏ ମରୁଭୂମିକରଣ । ଏହା ଫଳରେ ଜମିର ଗୁଣମାନ ମଧ୍ୟ ନିରନ୍ତର ଭାବେ ଖରାପ ହେଉଛି। ଫଳସ୍ୱରୂପ ଗଛପାଲା ଓ ଉଦ୍ଭିଦର ଅଭାବ ହେଉଛି ଏବଂ ଖାଦ୍ୟ ସଂକଟ ଗଭୀର ହେଉଛି। ସଂଯୁକ୍ତ ରାଷ୍ଟ୍ର ସଂଘ ଅନୁମାନ ଅନୁଯାୟୀ, ଏହି ଅଞ୍ଚଳରେ ପ୍ରାୟ ୧୩୫ କୋଟି ଲୋକ ବସବାସ କରୁଛନ୍ତି, ଯାହାଙ୍କ ଜୀବନ ଏବେ ସଙ୍କଟରେ ପଡ଼ିଛି। ମାଟି କ୍ଷୟ ହେଉଛି, କୃଷି ଉତ୍ପାଦନ କମୁଛି ଏବଂ ଖାଦ୍ୟ ସଂକଟ ବଢ଼ୁଛି। ଏଥିରୁ ଉପୁଜୁଥିବା ମୁଖ୍ୟ ସମସ୍ୟାଗୁଡ଼ିକ ହେଉଛି ଜଳବାୟୁ ପରିବର୍ତ୍ତନ, ମରୁଭୂମିର ବିସ୍ତାର, ଜମିର ଉର୍ବରତା ହ୍ରାସ ପାଣି ସଙ୍କଟ , ବେରୋଜଗାରୀ ଓ ଦାରିଦ୍ର୍ୟତା | ଏହି ସବୁ ସମସ୍ୟାର ସମାଧାନ ପାଇଁ ‘ଗ୍ରେଟ୍ ଗ୍ରୀନ୍ ୱାଲ୍’ ପ୍ରକଳ୍ପ ଆରମ୍ଭ କରାଯାଇଛି।

ପ୍ରକଳ୍ପର ଲକ୍ଷ୍ୟ:ଏହି ପ୍ରକଳ୍ପ ମାଧ୍ୟମରେ ଲକ୍ଷ୍ୟ ରହିଛି ମରୁଭୂମି ବଢ଼ିବାରୁ ରୋକିବା, ନଷ୍ଟ ହୋଇଥିବା ଜମିକୁ ପୁନରୁଦ୍ଧାର କରିବା ଏବଂ ପୁଣିଥରେ ସବୁଜ ପରିବେଶ ସୃଷ୍ଟି କରିବା। ଏହା ସହିତ ଏହି ପ୍ରକଳ୍ପ ଖାଦ୍ୟ ସୁରକ୍ଷା ବଢ଼ାଇବା, ଜଳବାୟୁ ସହ ଖାପ ଖୁଆଇବା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବାରେ ମଧ୍ୟ ସହାୟକ ହୋଇପାରିବ । ଯଦି ଏହି ଗତିରେ ପ୍ରକଳ୍ପର କାର୍ଯ୍ୟ ଚାଲେ , ତେବେ ଏହାକୁ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ କରାଯାଇପାରିବ । ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଗଲେ ଏହାର ମୋଟ ଲମ୍ବ ଗ୍ରେଟ୍ ବ୍ୟାରିଅର ରିଫ୍ (Great Barrier Reef) ଠାରୁ ତିନିଗୁଣ ଅଧିକ ହେବ। ଗ୍ରେଟ୍ ବ୍ୟାରିଅର ରିଫ୍ ବର୍ତ୍ତମାନ ପୃଥିବୀର ସବୁଠୁ ବଡ଼ ଜୀବିତ ସଂରଚନା ଭାବେ ପରିଚିତ। ଆଫ୍ରିକୀୟ ସଂଘ ଏହି ପ୍ରକଳ୍ପ ପୂରଣ ପାଇଁ ୨୦୩୦ ମସିହାକୁ ଲକ୍ଷ୍ୟ ଭାବେ ଧାର୍ଯ୍ୟ କରାଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୪ ମିଲିୟନ୍ ହେକ୍ଟର ଜମିରେ ବୃକ୍ଷରୋପଣ କରାଯାଇଛି, ଯାହା ପ୍ରକଳ୍ପର ମୋଟ ଲକ୍ଷ୍ୟର କେବଳ ୪% ଅଂଶ । ସ୍ଥାନୀୟ ଲୋକମାନଙ୍କୁ ବନ ସୁରକ୍ଷା ଏବଂ ବୃକ୍ଷରୋପଣ ପାଇଁ ଅଧିକ ଭାଗ ନେବାକୁ ଉତ୍ସାହିତ କରିବାର ଅଭିଯାନ ମଧ୍ୟ ଚାଲିଛି। ସାହାରାର କୂଳ ଅଞ୍ଚଳରେ ଅବସ୍ଥିତ ଅନେକ ଦେଶ ବୋରହୋଲ୍ ଏବଂ ଡ୍ରିଲିଂ ସିଚାଇ ପ୍ରଣାଳୀ ତିଆରି କରି ଜଳ ଯୋଗାଣ ସୁରକ୍ଷା ପାଇଁ ପଦକ୍ଷେପ ନେଉଛନ୍ତି।

ପ୍ରକଳ୍ପରେ ସବୁଠୁ ଅଧିକ ଦ୍ରୁତ ପ୍ରଗତି କରୁଛି ଇଥିଓପିଆ :ଏହି ଦେଶରେ ଏପର୍ଯ୍ୟନ୍ତ ପ୍ରାୟ 5.5 ବିଲିୟନ୍ ଗଛ ରୋପଣ କରାଯାଇଛି। ଏହି ଗଛଗୁଡ଼ିକୁ ପ୍ରାୟ ୧.୫ ଲକ୍ଷ ହେକ୍ଟର ଜମିରେ ଲଗାଯାଇଛି। ଏହା ସହିତ ଆଉ ୭ ଲକ୍ଷ ହେକ୍ଟର ଜମିରେ ପୂର୍ବରୁ ଥିବା ଜଙ୍ଗଲଗୁଡ଼ିକୁ ଆହୁରି ଘନ କରାଯାଇଛି। ଏହି ଜଙ୍ଗଲଗୁଡ଼ିକ ଏହି ପ୍ରକଳ୍ପର ସିଧାସଳଖ ଅଂଶ ନୁହେଁ, କିନ୍ତୁ ସେଗୁଡ଼ିକୁ ମଧ୍ୟ ସୁରକ୍ଷିତ କରିବା ଏବଂ ଆହୁରି ସବୁଜ କରିବା ପାଇଁ ଅଭିଯାନ ଚାଲିଛି।ଫ୍ରାନ୍ସୀସ-ଟ୍ୟୁନିସିଆନ୍ ପରିବେଶବିଦ୍ ସାରା ଟୁମିଙ୍କ ମତରେ, ଏଭଳି ପ୍ରକଳ୍ପ କେବଳ ସେତେବେଳେ ସଫଳ ହୋଇପାରିବ ଯେତେବେଳେ ସ୍ଥାନୀୟ ବାସୀନ୍ଦାମାନେ ପୂରାପୂରି ସହଯୋଗ କରିବେ। ସେ କହିଛନ୍ତି, “ଗୋଟିଏ ଗଛ ଲଗାଇବା ସହଜ, କିନ୍ତୁ ତାହାକୁ ବଡ଼ କରିବା ବହୁତ କଷ୍ଟକର।” ସାହାରା ମରୁଭୂମି ଅଞ୍ଚଳରେ ଗଛ ଲଗାଇବା ସହଜ ନୁହେଁ। ଏଠାରେ ଗଛକୁ ନିୟମିତ ପାଣି ଦେବାକୁ ପଡ଼େ, ତାହାର ଯତ୍ନ ନେବାକୁ ପଡ଼େ ଏବଂ ପଶୁମାନେ ଯେପରି ତାହାକୁ ଖାଇନଦିଅନ୍ତି ସେଥିପାଇଁ ସୁରକ୍ଷା ଦେବାକୁ ପଡ଼େ।

‘ଗ୍ରେଟ୍ ଗ୍ରୀନ୍ ୱାଲ୍’ ପ୍ରକଳ୍ପର ଲକ୍ଷ୍ୟ କେବଳ ମରୁଭୂମିର ବିସ୍ତାରକୁ ରୋକିବା ପାଇଁ ଗଛ ଲଗାଇବା ନୁହେଁ, ବରଂ ବଡ଼ ପରିମାଣରେ ରୋଜଗାର ସୃଷ୍ଟି କରିବା ମଧ୍ୟ ଏହାର ଏକ ମୁଖ୍ୟ ଉଦ୍ଦେଶ୍ୟ। ଏହି ପ୍ରକଳ୍ପ ମାଧ୍ୟମରେ ଆନୁମାନିକ ୧ କୋଟିରୁ ଅଧିକ ଲୋକଙ୍କୁ ଚାକିରି ସୁଯୋଗ ମିଳିପାରେ। ବର୍ତ୍ତମାନ ଏହି ପ୍ରକଳ୍ପରେ ପ୍ରାୟ ୩ ଲକ୍ଷ ୩୫ ହଜାର ଲୋକ କାମ କରୁଛନ୍ତି। ବିଶେଷଜ୍ଞମାନଙ୍କ ମତାନୁସାରେ, ଏହି ପ୍ରକଳ୍ପ ମାଧ୍ୟମରେ ସେମାନେ ନିଜର ପରିସ୍ଥିତିତନ୍ତ୍ର ସହ ଶାନ୍ତିପୂର୍ଣ୍ଣ ଭାବେ ବସବାସ କରିପାରିବେ ଏବଂ ନିଜର ପାରମ୍ପରିକତାକୁ ସୁରକ୍ଷିତ ରଖିପାରିବେ।



Source link

Leave A Reply

Your email address will not be published.