Voice of Eastern India

ଆକ୍ଟର ଅଙ୍କିତ୍ ବାଲିୟାନଙ୍କୁ ହତ୍ୟା; ଜିମ୍‌ରୁ ବାହାରିବା ବେଳେ ଆଖିବୁଜା ଗୁଳି ମାଡ଼ କଲେ ଦୁର୍ବୃତ୍ତ


ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ୟୁଟ୍ୟୁବର ଏବଂ ହରିୟାଣବୀ ଆକ୍ଟର ଅଙ୍କିତ୍ ବାଲିୟାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ଶାମଲୀ କୋତୱାଲି ସୀମା ଅନ୍ତର୍ଗତ ଅଞ୍ଚଳର ବୋଲି କୁହାଯାଉଛି ।

ଅଙ୍କିତ୍ ବାଲିୟାନ ସନ୍ଧ୍ୟା ସମୟରେ ଜିମ୍ ଯାଇଥିଲେ ଏବଂ ସେଠାରୁ ବାହାରକୁ ଆସିବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ହଠାତ୍ ଗୁଳିମାଡ଼ କରିଥିଲେ । ଆକ୍ରମଣକାରୀଙ୍କ ଆଖିବୁଝା ଗୁଳିମାଡ଼ରେ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ପଡ଼ିଯାଇଥିଲେ । ଗୁଳିଶବ୍ଦ ଶୁଣି ଆଖପାଖ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା । ଘଟଣାର ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଅଙ୍କିତ୍ ବାଲିୟାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ପୋଲିସ ଘଟଣାସ୍ଥଳର ଯାଞ୍ଚ ଆରମ୍ଭ କରିଛି ।

ଅଙ୍କିତ୍ ବାଲିୟାନ ହରିୟାଣବୀ ସଙ୍ଗୀତ ଏବଂ ସୋସିଆଲ ମିଡିଆ ଦୁନିଆରେ ବେଶ୍ ସକ୍ରିୟ ଥିଲେ । ସେ ତାଙ୍କ ଗୀତ ‘ଭରି କୋର୍ଟ ମେଁ ଗୋଲି ମାରେଙ୍ଗେ ମେରୀ ଜାନ୍’ ପାଇଁ ବେଶ୍ ଚର୍ଚ୍ଚିତ ହୋଇଥିଲେ । ୨୦୨୩ ମସିହାରେ ଶାମଲୀରେ ତାଙ୍କର ଏକ ରୋଡ୍ ସୋ’ ମଧ୍ୟ ବେଶ୍ ଚର୍ଚ୍ଚାରେ ଥିଲା । ସେ ଶାମଲୀର ବଣ୍ଟିଖେଡ଼ାର ଜଣେ ହରିୟାଣବୀ କଳାକାର ଭାବେ ଜଣାଶୁଣା ଥିଲେ । ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଭଲ ଉପସ୍ଥିତି ଥିଲା ଏବଂ ସେ ନିଜର ମ୍ୟୁଜିକ୍ ଓ ଭିଡିଓ ମାଧ୍ୟମରେ ସକ୍ରିୟ ରହୁଥିଲେ ।

କୁହାଯାଉଛି ଯେ ଅଙ୍କିତ୍ ବାଲିୟାନ ଜିଲ୍ଲା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟ କରୁଥିଲେ । ଏଭଳି ପରିସ୍ଥିତିରେ ତାଙ୍କର ହତ୍ୟା ଖବର ଆସିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ତାଙ୍କ ହତ୍ୟା ପଛର ଅସଲ କାରଣ କ’ଣ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଲିସ ବର୍ତ୍ତମାନ ହତ୍ୟା ସହ ଜଡ଼ିତ ସମସ୍ତ ସମ୍ଭାବ୍ୟ ଦିଗର ତଦନ୍ତ କରୁଛି ।



Source link

Leave A Reply

Your email address will not be published.