ଭୁବନେଶ୍ବର : ବର୍ତ୍ତମାନ ଡିଜିଟାଲ୍ ଯୁଗରେ କାର୍ଯ୍ୟକ୍ଷେତ୍ରରେ AIର ବ୍ୟବହାର ଦ୍ରୁତଗତିରେ ବଢ଼ିଚାଲିଛି । ସବୁ କାମ ପାଇଁ ମୁଖ୍ୟତଃ AI ଉପରେ ନିର୍ଭରଶୀଳ ଲୋକେ । ଅଫିସ୍ କାମଠୁ ଆରମ୍ଭ କରି ଇମେଲ୍ ଲେଖିବା, ଡାଟା ରିସର୍ଚ୍ଚ , ଗ୍ରାହକ ସେବା ଓ ଭିଡିଓ ଏଡିଟିଂ ପର୍ଯ୍ୟନ୍ତ ପ୍ରତ୍ୟେକ କାମରେ AI ChatGPT ଟୁଲ୍ ବ୍ୟବହାର ହେଉଛି। ଏହା କାର୍ଯ୍ୟଦକ୍ଷତା ବଢ଼ାଇବା ସହ ସମୟ ମଧ୍ୟ ସଞ୍ଚୟ କରୁଛି ସେଥିପାଇଁ ଅଧିକାଂଶ ଲୋକେ ଏହାକୁ ନିଜର ସାଥି ବନାଇଦେଇଛନ୍ତି । କିନ୍ତୁ AI ବ୍ୟବହାର ପଛରେ ଲୁଚିଛି ଅନେକ କଥା, ଯାହା ଉପରେ ଅଧିକାଂଶ କର୍ମଚାରୀ ଓ କମ୍ପାନୀ ଆବଶ୍ୟକ ଧ୍ୟାନ ଦେଉନାହାନ୍ତି । କିନ୍ତୁ ଏହି ଟୁଲ୍ ବ୍ୟବହାର କରି ନିଜର କାର୍ଯ୍ୟଦକ୍ଷତା ବଢ଼ାଉଥିବା କର୍ମଚାରୀଙ୍କ ପାଇଁ ଆସିଛି ଏକ ଚିନ୍ତାଜନକ ଖବର।
ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଯେଉଁ କର୍ମଚାରୀମାନେ ନିଜର ଦୈନନ୍ଦିନ କାମ ପାଇଁ ChatGPT ଓ ଅନ୍ୟ AI ଟୁଲର ବ୍ୟବହାର କରୁଛନ୍ତି, ସେମାନଙ୍କୁ ତାଙ୍କ କମ୍ପାନୀର ମ୍ୟାନେଜର ଅପେକ୍ଷାକୃତ କମ୍ ବିଶ୍ୱସନୀୟ ବୋଲି ମନେ କରିଥାନ୍ତି ବୋଲି ତଥ୍ୟରେ ପ୍ରକାଶିତ । ମିଳିଥିବା ସୂଚନା ଅନୁଯାୟୀ, ଏହି ଗବେଷଣାଟିକୁ ଜଣେ PhD ଛାତ୍ର ସାମୁଏଲ୍ ମେୟର୍ସ, ତାଙ୍କ ଆଡଭାଇଜର ଜେରୁସାଲେମର ହିବ୍ରୁ ୟୁନିଭର୍ସିଟିର ଡଃ ଯୋଚନନ୍ ବିଗମ୍ୟାନ୍ ଏବଂ ଜର୍ମାନୀର WHU ଓଟୋ ବେଇସହାଇମ୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟର ଡଃ ରୋମାନ୍ ବ୍ରିକରଙ୍କ ଦ୍ୱାରା କରାଯାଇଥିଲା। ‘ଦ ଲିଡର୍ସିପ୍ କ୍ୱାର୍ଟର୍ଲି’ ଜର୍ଣ୍ଣାଲ୍ରେ ପ୍ରକାଶିତ ଏହି ଗବେଷଣାରେ କୁହାଯାଇଛି ଯେ, କାର୍ଯ୍ୟର ଗୁଣବତ୍ତା ଭଲ ଥିଲେ ମଧ୍ୟ କେବଳ ChatGPT ବା AI ବ୍ୟବହାର କରିଥିବା କାରଣରୁ କର୍ମଚାରୀଙ୍କ ଉପରେ ମ୍ୟାନେଜରଙ୍କ ଭରସା ପାଇନଥାଏ ।
ଗବେଷକ ଟିମ ମୋଟ ୬ଟି ଅଧ୍ୟୟନ ମାଧ୍ୟମରେ ବିଶ୍ଳେଷଣ କରି ଜାଣିବାକୁ ପାଇଲେ ଯେ ବଡ଼ ଲାଙ୍ଗୁଏଜ ମଡେଲ୍ (LLMs) ବ୍ୟବହାର କରିବା ଦ୍ୱାରା କର୍ମଚାରୀଙ୍କ ପ୍ରତି ମ୍ୟାନେଜରଙ୍କ ମନୋଭାବ ଓ ବିଶ୍ୱାସ ଉପରେ କିପରି ପ୍ରଭାବ ପଡ଼ୁଛି । ଏହି ଗବେଷଣାରେ କିଛି ଅଂଶଗ୍ରହଣକାରୀଙ୍କୁ ସୁପରଭାଇଜର୍ ଭାବେ ଦାୟିତ୍ୱ ଦିଆଯାଇଥିଲା । ପରେ ସେମାନଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯଦି ଜଣେ କର୍ମଚାରୀ ନିଜ କାମରେ ନିର୍ଦ୍ଦିଷ୍ଟ ସମୟ ବିନିଯୋଗ କରିଥିବା ନେଇ ଦାବି କରନ୍ତି ତେବେ ତାହାକୁ ବିଶ୍ୱାସ କରାଯିବ କି ଯାଞ୍ଚ କରାଯିବ । ତେବେ ଏହି ଅଧ୍ୟୟନରୁ ଯାହା ଜଣାପଡିଛି ଯେ, ଯେଉଁ କର୍ମଚାରୀମାନେ AI ବ୍ୟବହାର ନକରି ନିଜେ କାମ କରିଥିଲେ, ସେମାନଙ୍କ ଉପରେ ମ୍ୟାନେଜରଙ୍କ ଭରସା ରହିବାର ସମ୍ଭାବନା ୬୮% ଥିଲା। ଅନ୍ୟପଟେ, AI ବ୍ୟବହାର କରିଥିବା କର୍ମଚାରୀଙ୍କ କ୍ଷେତ୍ରରେ ଏହି ସମ୍ଭାବନା ମାତ୍ର ୨୪% ଥିଲା। ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ, କାମର ଗୁଣବତ୍ତା ଅପେକ୍ଷା ତାହା କିପରି ସମ୍ପନ୍ନ କରାଯାଇଛି, ତାହା ମ୍ୟାନେଜରଙ୍କ ମତାମତକୁ ପ୍ରଭାବିତ କରିଥାଏ । ଗବେଷକମାନେ AI ସହାୟତାରେ କରାଯାଇଥିବା କାମକୁ ଅନ୍ୟ କାହାଠାରୁ କପି କରାଯାଇଥିବା କାମ ସହ ତୁଳନା କରିଥିଲେ। ଏହା କର୍ମଚାରୀଙ୍କ ପରଫରମାନ୍ସ ରିଭ୍ୟୁ ଉପରେ ମଧ୍ୟ ପ୍ରଭାବ ପକାଉଥିବା ଜଣାପଡ଼ିଥିଲା।
ଏହି ଗବେଷଣାକୁ ନେଇ ଡକ୍ଟର ବିଗମ୍ୟାନ୍ କହିଛନ୍ତି, ଯେ ଜଣେ କର୍ମଚାରୀ AI ବ୍ୟବହାର କରି ଦକ୍ଷତାର ସହ କାମ କରିପାରନ୍ତି। କିନ୍ତୁ ସେହି କାମରେ AI ବ୍ୟବହାର ହୋଇଥିବାରୁ ତାଙ୍କୁ ମ୍ୟାନେଜରଙ୍କ ବିଶ୍ୱାସ ହରାଇବାକୁ ପଡ଼ିପାରେ। ତାଙ୍କ ମତରେ, କମ୍ପାନୀଗୁଡ଼ିକୁ ବୁଝିବାକୁ ହେବ ଯେ AI ଵ୍ୟଵହାର କରିବା କେବଳ ଟେକ୍ନୋଲୋଜି ସହ ଜଡ଼ିତ ନୁହେଁ। ଏହାକୁ ସମାଧାନ କରିବା ପାଇଁ ଲୋକଙ୍କର ମାନସିକତା ଏବଂ ସେହି କାମକୁ ସଠିକ୍ ଭାବରେ ପରିଚାଳନା ବା ମ୍ୟାନେଜ୍ କରିବାର ଦକ୍ଷତା ମଧ୍ୟ ସେତିକି ଜରୁରୀ ଥାଏ । ଏହି ଗବେଷଣାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ସାମ୍ନାକୁ ଆସିଛି। କର୍ମଚାରୀଙ୍କ ଉପରେ ମ୍ୟାନେଜରଙ୍କ ଭରସା କେବଳ AI ବ୍ୟବହାର ଉପରେ ନୁହେଁ, ବରଂ କମ୍ପାନୀର ନୀତି ଉପରେ ମଧ୍ୟ ନିର୍ଭର କରେ। ଯଦି କମ୍ପାନୀ ନିଜେ AI ବ୍ୟବହାରକୁ ପ୍ରୋତ୍ସାହନ ଦିଏ, ତେବେ AI ବ୍ୟବହାର କରୁଥିବା କର୍ମଚାରୀଙ୍କ ଉପରେ ମ୍ୟାନେଜରଙ୍କ ଭରସା ଅଧିକ ରହିବାର ସମ୍ଭାବନା ଥାଏ। କିନ୍ତୁ ଯଦି କମ୍ପାନୀ AI ବ୍ୟବହାରକୁ ଅନୁମତି ଦେଇ ନଥାଏ, ତେବେ ଏହା ବ୍ୟବହାର କରୁଥିବା କର୍ମଚାରୀଙ୍କୁ ମ୍ୟାନେଜରମାନେ କମ୍ ବିଶ୍ୱାସ କରିଥାନ୍ତି । ତେବେ AI ଯୁଗରେ କେବଳ ନୂଆ ଟେକ୍ନୋଲୋଜି ଶିଖିବା ଯଥେଷ୍ଟ ନୁହେଁ, ବରଂ ଏହାକୁ କେଉଁଠି, କିପରି ଓ କେତେ ପରିମାଣରେ ବ୍ୟବହାର କରାଯିବ, ତାହା ମଧ୍ୟ ଜାଣିବା ଆବଶ୍ୟକ ।
