Voice of Eastern India

ଗିଡ଼ିପାବାଲି ଘଟଣା ପରେ ଛନକା, ପାହାଡ଼ ତଳି ଗାଁରେ ଭୟର ବାତାବରଣ


ମୋହନା ୧୭।୧୧ : ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକର ରାଇବାଡ଼ ଗାଁ। ଚାରିପଟେ ପାହାଡ଼ ଓ ପ୍ରାକୃତିକ ପରିବେଶ। ଦେଖିବାକୁ ଯେତିକି ସୁନ୍ଦର, ପାହାଡ଼ ତଳେ ରହୁଥିବା ଲୋକଙ୍କ ପାଇଁ ସେତିକି ବିପଦପୂର୍ଣ୍ଣ ହୋଇପଡ଼ିଛି ଏହି ଅଞ୍ଚଳ। ବିଶେଷକରି ବର୍ଷା ହେଲେ ଲୋକଙ୍କ ମନରେ ଛନକା ପଶୁଛି। କାରଣ ଗତ ଅର୍ଣ୍ଣବ ବାତ୍ୟା ସମୟରେ ଗାଁଠାରୁ ମାତ୍ର ୧୦୦ ମିଟର ଦୂରରେ ଘଟିଥିଲା ଭୂସ୍ଖଳନ। ପାହାଡ଼ ଉପରୁ ବଡ଼ ବଡ଼ ପଥର ଖସି ତଳକୁ ଆସିଥିଲା। ଏହାଦ୍ୱାରା ରାସ୍ତା ଅବରୋଧ ହେବା ସହ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ସେହି ଘଟଣା ଏବେ ବି ଗ୍ରାମବାସୀଙ୍କ ମନରୁ ଲିଭିନାହିଁ।

ଏବେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ବଢ଼ିଛି। ପାଣିପାଗରେ ପରିବର୍ତ୍ତନ ହେଲେ ଏବଂ ପ୍ରବଳ ବର୍ଷା ହେଲେ ପାହାଡ଼ରୁ ପୁଣି ମାଟି ଓ ପଥର ଖସିବାର ଭୟ ରହିଛି। ଏହି ଆଶଙ୍କା ଏବେ ରାଇବାଡ଼ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି। ଘରେ ପରିବାର ସହ ରହିବେ ନା ପାହାଡ଼ଠାରୁ ଦୂରକୁ ଚାଲିଯିବେ, ସେହି ଚିନ୍ତାରେ ଦିନ କାଟୁଛନ୍ତି ଲୋକେ। ରାତିରେ ବର୍ଷା ହେଲେ ଭୟ ଆହୁରି ବଢ଼ିଯାଉଛି। ପୂର୍ବରୁ ଭୂସ୍ଖଳନ ଘଟିଥିବା ସ୍ଥାନ ଗାଁଠାରୁ ଏତେ ନିକଟରେ ଥିବାରୁ ଲୋକଙ୍କ ମନରେ ଆଶଙ୍କା ଆହୁରି ଗଭୀର ହୋଇଛି।

Also Read:-ସରିଲା ସର୍ବଦଳୀୟ ବୈଠକ : କୋଟିଆ ପ୍ରସଙ୍ଗ ଉଠାଇବ କଂଗ୍ରେସ, ବନ୍ୟା ଓ ବାତ୍ୟା ଉପରେ ବିଜେଡିର ଫୋକସ୍

କେବଳ ଅର୍ଣ୍ଣବ ବାତ୍ୟା ସମୟର ଭୂସ୍ଖଳନ ନୁହେଁ, ନିକଟରେ ଭଞ୍ଜନଗର ଗିଡ଼ିପାବାଲିରେ ଘଟିଥିବା ଭୟାବହ ଭୂସ୍ଖଳନ ଘଟଣା ମଧ୍ୟ ରାଇବାଡ଼ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଗିଡ଼ିପାବାଲିରେ ପାହାଡ଼ ଧସି ଯେଉଁଭଳି ଜୀବନହାନି ଓ ନିଖୋଜ ଘଟଣା ସାମ୍ନାକୁ ଆସିଲା, ତାହା ପରେ ପାହାଡ଼ ତଳେ ରହୁଥିବା ପରିବାରଗୁଡ଼ିକ ଆହୁରି ଭୟଭୀତ ହୋଇପଡ଼ିଛନ୍ତି। ରାଇବାଡ଼ର ଲୋକଙ୍କ ମନରେ ମଧ୍ୟ ସେହି ଭୟ। ଯଦି ପୁଣି ଲଗାଣ ବର୍ଷା ହୁଏ, ତେବେ ପାହାଡ଼ରୁ ପଥର ଖସିବା କିମ୍ବା ମାଟି ଧସିବା ଭଳି ଘଟଣା ଘଟିପାରେ। ଏଭଳି ସ୍ଥିତିରେ ଗାଁର ସୁରକ୍ଷା ପାଇଁ ଆଗୁଆ ବ୍ୟବସ୍ଥା କରିବା ଜରୁରୀ ବୋଲି ଦାବି ହେଉଛି।



Source link

Leave A Reply

Your email address will not be published.