Voice of Eastern India

୨୦୩୫ ପର୍ଯ୍ୟନ୍ତ ବିଶ୍ୱ କ୍ରିକେଟ କ୍ୟାଲେଣ୍ଡର ଜାରି କଲା ଆଇସିସି: ୨୦୨୯ ଚାମ୍ପିୟନ ଟ୍ରଫି ଆୟୋଜନ କରିବ ଭାରତ, ୨୦୩୧ ବିଶ୍ୱକପରେ ହେବ ସହଆୟୋଜକ


ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ରବିବାର ପୁରୁଷ ବର୍ଗରେ ୨୦୩୫ ପର୍ଯ୍ୟନ୍ତ ବିଶ୍ୱ କ୍ରିକେଟ ଟୁର୍ଣ୍ଣାମେଣ୍ଟ କ୍ୟାଲେଣ୍ଡର ଜାରି କରିଛି। ଏଥିରେ ଭାରତକୁ ଆସନ୍ତା ୫ ବର୍ଷରେ ଦୁଇଟି ବଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜକ କରାଯାଇଛି। ସେହିପରି ୨୦୩୧ ଦିନିକିଆ ବିଶ୍ୱକପକୁ ଭାରତ ଓ ବାଂଲାଦେଶ ଦୁହେଁ ମିଶି ଆୟୋଜନ କରିବେ। ୨୦୨୯ ଚାମ୍ପିୟନ ଟ୍ରଫି ଖେଳାଯିବା ବୋଲି କ୍ୟାଲେଣ୍ଡରେ କୁହାଯାଇଛି। କେବଳ ସେତିକି ନୁହେଁ, ଲସ ଆଞ୍ଜେଲସ ଅଲିମ୍ପିକ ୨୦୨୮ର କ୍ୱାଲିଫାଇଁ ମୁକାବିଲା ପାଇଁ ଆଯୋଜକ ଦେଶ ଓ ଏହାର ତାରିଖ ମଧ୍ୟ ଘୋଷଣା କରିଛି କ୍ରିକେଟ ବୋର୍ଡ।

ଅଲିମ୍ପିକ ପାଇଁ ପୁରୁଷ ବର୍ଗର ଯୋଗ୍ୟତା ପର୍ଯ୍ୟାୟଗୁଡ଼ିକ ୨୦୨୮ ଫେବୃଆରୀ ୫ ରୁ ୧୩ ତାରିଖ ପର୍ଯ୍ୟନ୍ତ ବାଂଲାଦେଶରେ ଅନୁଷ୍ଠିତ ହେବ। ମହିଳା ବର୍ଗର ଟୁର୍ଣ୍ଣାମେଣ୍ଟ ୨୬ ଫେବୃଆରୀରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଆମେରିକାରେ ଖେଳାଯିବ। ଏହି ମ୍ୟାଚ୍ ଗୁଡ଼ିକ ଜରିଆରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଚୂଡ଼ାନ୍ତ ଟିମ ନିର୍ଣ୍ଣୟ କରାଯିବ।

ଏଠି ଦେଖନ୍ତୁ ପୂରା ଲିଷ୍ଟ

WTC ଫାଇନାଲ୍ସ ୨୦୨୯ ଏବଂ ୨୦୩୧ ଆୟୋଜନ କରିବ ଇଂଲଣ୍ଡ

୨୦୨୯ ଓ ୨୦୩୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ୍ସ ପାଇଁ ଇଂଲଣ୍ଡକୁ ଆୟୋଜନ ଅଧିକାର ଦିଆଯାଇଛି। ଆଇସିସିର ଘୋଷଣା ଅନୁସାରେ ୨୦୨୯ ଫାଇନାଲ୍ ଜୁନ ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ସେହିପରି ୨୦୩୧ ଫାଇନାଲ୍ ୧୨ ରୁ ୧୬ ଜୁନ୍ ପର୍ଯ୍ୟନ୍ତ ଖେଳାଯିବ। ୨୦୩୩ ଏବଂ ୨୦୩୫ ଫାଇନାଲ୍ସ ମୁକାବିଲା ପାଇଁ ତାରିଖ ଚୂଡ଼ାନ୍ତ ହୋଇଥିଲେ ବି ଆୟୋଜକ ଦେଶମାନଙ୍କର ନାଁ ଘୋଷଣା କରାଯାଇ ନାହିଁ। ଉଭୟ ଫାଇନାଲ୍ ଜୁନ୍ ମାସରେ ଅନୁଷ୍ଠିତ ହେବ। ପରବର୍ତ୍ତି ସମୟରେ ଆଇସିସି ଏହାର ଆୟୋଜକଙ୍କ ନାଁ ଘୋଷଣା କରିପାରେ। ସୂଚନା ଥାଉକି, WTCରେ ଦଳଗୁଡ଼ିକ ପ୍ରତି ଦୁଇ ବର୍ଷରେ ଥରେ ଭିନ୍ନ ଭିନ୍ନ ଦେଶ ବିରୁଦ୍ଧରେ ଟେଷ୍ଟ ସିରିଜ୍ ଖେଳନ୍ତି। ପଏଣ୍ଟ ଟେବୁଲର ଶୀର୍ଷ ଦୁଇଟି ଦଳ ଫାଇନାଲକୁ ଉନ୍ନୀତ ହୁଅନ୍ତି।

୩ଟି ଦେଶରେ ଖେଳାଯିବ ୨୦୩୦ ଟି-୨୦ ବିଶ୍ୱକପ

୨୦୩୦ ଟି-୨୦ ବିଶ୍ୱକପ ଇଂଲଣ୍ଡ, ଆୟରଲାଣ୍ଡ ଓ ସ୍କଟଲାଣ୍ଡରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଜୁଲାଇ ୪ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ। ୨୦୩୨ ଏବଂ ୨୦୩୪ରେ ଟି-୨୦ ବିଶ୍ୱକପ୍ ହେବ। ୨୦୩୨ ସଂସ୍କରଣ ୧୪ ଅକ୍ଟୋବରରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ଏବଂ ୨୦୩୪ ଟୁର୍ଣ୍ଣାମେଣ୍ଟ ୬ ଜୁଲାଇରୁ ୬ ଅଗଷ୍ଟ ପର୍ଯ୍ୟନ୍ତ ଖେଳାଯିବ। ଏହିଭଳ ୨୦୩୩ରେ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୩୫ରେ ଦିନିକିଆ ବିଶ୍ୱକପ୍ ଆୟୋଜନ କରାଯିବ।

୧୨୮ ବର୍ଷ ପରେ ଅଲମ୍ପିକ୍ସକୁ ଫେରିବ କ୍ରିକେଟ

ଆଇସିସିର ଏହି ନୂଆ ଘୋଷଣାରେ ସବୁଠାରୁ ବଡ଼ କଥା ହେଉଛି ୧୨୮ ବର୍ଷ ପରେ କ୍ରିକେଟ୍ ପୁଣିଥରେ ଅଲିମ୍ପିକ୍ସକୁ ଫେରିବାକୁ ଯାଉଛି। ଏହାପୂର୍ବରୁ ୧୯୦୦ ପ୍ୟାରିସ୍ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା। ସେତେବେଳେ ଗ୍ରେଟ୍ ବ୍ରିଟେନ୍ ଏବଂ ଫ୍ରାନ୍ସ ମଧ୍ୟରେ ମାତ୍ର ଗୋଟିଏ ବର୍ଗରେ ମ୍ୟାଚ୍ ଖେଳାଯାଉଥିଲା। ହେଲେ ଏବେ ଲସ୍ ଆଞ୍ଜେଲସ୍ରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ସରେ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଟି-୨୦ କ୍ରିକେଟ୍ ଖେଳାଯିବ।

ଉଭୟ ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିବେ। ସେମାନଙ୍କୁ ୪ଟି ଦଳ ବିଶିଷ୍ଟ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯିବ। ପ୍ରତ୍ୟେକ ଦଳ ନିଜ ଗ୍ରୁପ୍ର ଅନ୍ୟ ୩ ଦଳ ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବ। ଏହିପରି, ଗ୍ରୁପ୍ ପର୍ଯ୍ୟାୟରେ ମୋଟ ୧୨ଟି ମ୍ୟାଚ୍ ହେବ। ଉଭୟ ଗ୍ରୁପ୍ର ଶ୍ରେଷ୍ଠ ଦଳଗୁଡ଼ିକ ଫାଇନାଲ୍କୁ ଯିବେ।



Source link

Leave A Reply

Your email address will not be published.