Voice of Eastern India

‘ଝିଅ ଉପରେ କାହିଁକି ବୋଝ ହେବି ?’: ବଞ୍ଚି ଥାଉ ଥାଉ ନିଜର ଶୁଦ୍ଧିକ୍ରିୟା ସାରିଦେଲେ ବୃଦ୍ଧ 


ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଏକ ଅତ୍ୟନ୍ତ ବିରଳ ତଥା ନିଆରା ଘଟଣା ଦେଖିବାକୁ ମିଳିଛି । ବଡ଼ୌତ ତହସିଲ ଅନ୍ତର୍ଗତ ଜୋହରୀ ଗ୍ରାମର ୮୦ ବର୍ଷୀୟ ବୃଦ୍ଧ ବଲଜୋର ସିଂହ ନିଜେ ଜୀବିତ ଥିବା ଅବସ୍ଥାରେ ହିଁ ନିଜର ଶୁଦ୍ଧିକ୍ରିୟା ସମ୍ପନ୍ନ କରିଛନ୍ତି । ତାଙ୍କର କୌଣସି ପୁଅ ନଥିବାରୁ, ତାଙ୍କ ମୃତ୍ୟୁ ପରେ ଏକମାତ୍ର ଝିଅ ଉପରେ ଯେପରି ଏହି ପାରମ୍ପରିକ ଦାୟିତ୍ୱର ବୋଝ ନ ପଡ଼େ, ସେହି ଉଦ୍ଦେଶ୍ୟରେ ସେ ଏଭଳି ଏକ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ।

ହିନ୍ଦୁ ପରମ୍ପରା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶୁଦ୍ଧିକାର୍ଯ୍ୟ କରାଯାଏ । ସାଧାରଣତଃ ମୃତକଙ୍କ ପୁଅ ଏହି ସମସ୍ତ ରୀତିନୀତି କରିଥାନ୍ତି । ତେବେ ବଲଜୋର ସିଂହ ରବିବାର ଦିନ ପାରମ୍ପରିକ ବିଧି ମୁତାବକ ହୋମଯଜ୍ଞ କରିବା ସହ ପ୍ରାୟ ୯୦୦ ଲୋକଙ୍କ ପାଇଁ ଏକ ବିଶାଳ ଭୋଜିର ଆୟୋଜନ କରିଥିଲେ । ଏହି ନିଆରା କାର୍ଯ୍ୟକ୍ରମ ସମ୍ପର୍କରେ ବଲଜୋର ସିଂହ କହିଛନ୍ତି ଯେ, ତାଙ୍କର କୌଣସି ପୁତ୍ର ସନ୍ତାନ ନହାନ୍ତି । ତାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ଉପରେ ଏହି କର୍ମକାଣ୍ଡର ବୋଝ ନପଡ଼ୁ ବୋଲି ବଲଜୋର ଚାହୁଁଥିଲେ । ତେଣୁ ସେ ବଞ୍ଚିଥିବା ଅବସ୍ଥାରେ ହିଁ ନିଜର ଶୁଦ୍ଧିକ୍ରିୟା କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହି ଉତ୍ସବ ଅବସରରେ ବଲଜୋର ସିଂହ ନିଜର ୧୦ ବର୍ଷୀୟ ନାତି ମୁକୁଲଙ୍କ ମୁଣ୍ଡରେ ପଗଡ଼ି ବାନ୍ଧିଥିଲେ । ସେ କହିଛନ୍ତି ଯେ, ତାଙ୍କ ପରିବାର ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଏହି କାମ ଶେଷ ହୋଇଥିବାରୁ ସେ ବହୁତ ଖୁସି । ତାଙ୍କର ଜଣେ ମାତ୍ର ଝିଅ ଅଛନ୍ତି, ଯାହାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ବଲଜୋର ସିଂହ ନିଜର ଜମିକୁ ମଧ୍ୟ ପୂର୍ବରୁ ନିଜ ନାତି ନାମରେ କରିସାରିଛନ୍ତି ।

ଏହି ଶୁଦ୍ଧିକ୍ରିୟା ଭୋଜି ପାଇଁ କୌଣସି ବଡ଼ ଉତ୍ସବ ଭଳି ଭବ୍ୟ ପ୍ରସ୍ତୁତି କରାଯାଇଥିଲା । ପ୍ରାୟ ୯୦୦ ଲୋକଙ୍କ ପାଇଁ ପୁରି, ତରକାରୀ ଏବଂ ମିଠା ପ୍ରସ୍ତୁତ କରିବା ନିମନ୍ତେ ୮ ଜଣ ରୋଷେୟାଙ୍କୁ ନିୟୋଜିତ କରାଯାଇଥିଲା । ବାପାଙ୍କ ଏଭଳି ନିଷ୍ପତ୍ତିକୁ ନେଇ ତାଙ୍କ ଝିଅ ପିଙ୍କି ମଧ୍ୟ ବେଶ୍ ଭାବବିହ୍ୱଳ ହୋଇପଡ଼ିଛନ୍ତି । ସେ କହିଛନ୍ତି ଯେ, ତାଙ୍କର କୌଣସି ଭାଇ ନଥିବାରୁ ବାପା ବଞ୍ଚିଥିବା ଅବସ୍ଥାରେ ହିଁ ନିଜର ଶୁଦ୍ଧିକ୍ରିୟା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ କେ.ପି. ସିଂହ ମଧ୍ୟ ଯୋଗ ଦେଇଥିଲେ । 



Source link

Leave A Reply

Your email address will not be published.