ଗଜପତି: ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ କଇଁପୁର ଗ୍ରାମ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ବିପଦସଙ୍କୁଳ ଅବସ୍ଥାରେ ଥିବା ଏକ ପୁରୁଣା ପୋଲ ତଳକୁ ବାଇକ୍ ସହ ଖସିପଡ଼ିବାରୁ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ରାଜକୁମାର ଆପଟ (୨୬) ଓ ତାଙ୍କ ସାଙ୍ଗ ଗଣେଶ ନାୟକ (୨୩)ଏକ ବାଇକ୍ରେ ଗତକାଲିଠାରୁ ଗଜପତି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସିଥିଲେ। ତେବେ ବୁଧବାର ଉଭୟେ ମହେନ୍ଦ୍ରଗିରି ପର୍ବତ ଅଭିମୁଖେ ଯାଉଥିବା ସମୟରେ କଇଁପୁର ଗ୍ରାମ ନିକଟସ୍ଥ ଏକ ପୁରୁଣା ପୋଲର ବୁଲାଣିଆ ରାସ୍ତାରେ ବାଇକ୍ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା।
ଦୁର୍ଘଟଣା ପରେ ପୋଲ ତଳେ ଗାଧୋଉଥିବା କିଛି ସ୍ଥାନୀୟ ଲୋକ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ବାଇକ୍ ଚାଳକ ରାଜକୁମାର ଆପଟଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଗଣେଶ ନାୟକ ଆହତ ହୋଇଥିଲେ ମଧ୍ୟ ଅଳ୍ପକେ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି।
Also Read: ଟ୍ରକ୍ ପଛରେ ପିଟିହେଲା ମୁକ୍ତେଶ୍ୱର ବସ୍, ଡ୍ରାଇଭର ସମେତ ୧୫ରୁ ଅଧିକ ଆହତ
ଖବର ପାଇ ଗାରାବନ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକ ଓ ଆହତଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା। ସେଠାରେ ରାଜକୁମାରଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।
ଏନେଇ ଗାରାବନ୍ଧ ଥାନାରେ ଏକ ସଡ଼କ ଦୁର୍ଘଟଣାଜନିତ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟପଟେ ପୁରୁଣା ପୋଲଟି ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଏହାର ସୁରକ୍ଷା ବ୍ୟବସ୍ଥା ଓ ମରାମତି ଦିଗରେ ପଦକ୍ଷେପ ନେବାକୁ ଦାବି ଉଠିଛି।
