ଦିୱାଲି ଲୁକ୍କୁ ନେଇ ବିବାଦରେ କରୀନା କପୁର, କୁରାନର ପବିତ୍ର ଆୟତ ଲେଖାଥିବା ହୀରା ନୁହେଁ, ପନ୍ନା ପେଣ୍ଡାଣ୍ଟ ପିନ୍ଧିବାରୁ ମିଳିଲା ଲିଗାଲ୍ ନୋଟିସ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ପୁଣି ଚର୍ଚ୍ଚାରେ। ଏଥର କୌଣସି ଫିଲ୍ମ କିମ୍ବା ଅଭିନୟକୁ ନେଇ ନୁହେଁ, ବରଂ ତାଙ୍କ ଦିୱାଲି ଲୁକ୍ରେ ପିନ୍ଧିଥିବା ଏକ ରାଜକୀୟ ଅଳଙ୍କାରକୁ ନେଇ ସୃଷ୍ଟି ହୋଇଛି ବିବାଦ। କରୀନାଙ୍କ ବେକରେ ଥିବା ୩୦ କ୍ୟାରେଟ୍ର ପନ୍ନା ପଥରର ପେଣ୍ଡାଣ୍ଟରେ କୁରାନର ପବିତ୍ର ଆୟତ ‘ଆୟତ୍-ଉଲ୍-କୁର୍ସି’ ଖୋଦିତ ହୋଇଥିବାରୁ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି କଂଗ୍ରେସ ନେତା ଅବ୍ବାସ ହଫିଜ୍। ଏହି ଘଟଣାରେ ସେ କରୀନା କପୁର ଏବଂ ତାଙ୍କ ଷ୍ଟାଇଲିଷ୍ଟ ରିୟା କପୁରଙ୍କୁ ଆଇନଗତ ନୋଟିସ୍ ପଠାଇଛନ୍ତି। ଉଭୟଙ୍କୁ ସୋସିଆଲ ମିଡିଆରୁ ସମ୍ପୃକ୍ତ ଫଟୋ ଓ ଭିଡିଓ ହଟାଇବା ସହ ସର୍ବସାଧାରଣରେ କ୍ଷମା ମାଗିବାକୁ ନୋଟିସ୍ରେ ଦାବି କରାଯାଇଛି।
କ’ଣ ରହିଛି ପୂରା ବିବାଦ?ଦିୱାଲି ଅବସରରେ କରୀନା କପୁର ନିଜର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଏଥିରେ ସେ ଡିଜାଇନର ପୁନୀତ ବାଲାନାଙ୍କ ଡିଜାଇନ୍ର ବେଜ୍ ରଙ୍ଗର କାଫତାନ୍ ପୋଷାକ ସହ ସମାନ ରଙ୍ଗର ପଗଡ଼ି ପିନ୍ଧିଥିଲେ। ତାଙ୍କର ଏହି ରାଜକୀୟ ଲୁକ୍ରେ ସବୁଠାରୁ ଅଧିକ ଆକର୍ଷଣ ସାଜିଥିଲା ବେକରେ ଥିବା ଏକ ୩୦ କ୍ୟାରେଟ୍ର ପନ୍ନା ପଥରର ପେଣ୍ଡାଣ୍ଟ।
ଏହି ପେଣ୍ଡାଣ୍ଟରେ ଇସଲାମ ଧର୍ମର ପବିତ୍ର ଗ୍ରନ୍ଥ କୁରାନର ଆୟତ୍-ଉଲ୍-କୁର୍ସି ଖୋଦିତ ହୋଇଛି। ଏହା କୁରାନର ସୂରା ଅଲ୍-ବାକାରାର ୨୫୫ତମ ଆୟତ। କରୀନାଙ୍କ ଏହି ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାଶନ୍ ଓ ରାଜକୀୟ ଅଳଙ୍କାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପରେ ଏହି ପେଣ୍ଡାଣ୍ଟକୁ ନେଇ ଧାର୍ମିକ ଭାବନା ସହ ଜଡ଼ିତ ବିବାଦ ସୃଷ୍ଟି ହୋଇଛି।
କରୀନାଙ୍କ ଏହି ପୂରା ଲୁକ୍କୁ ଷ୍ଟାଇଲ୍ କରିଥିଲେ ତାଙ୍କ ବନ୍ଧୁ ତଥା ସେଲିବ୍ରିଟି ଷ୍ଟାଇଲିଷ୍ଟ ରିୟା କପୁର। ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏହି ଅଳଙ୍କାରର ଐତିହାସିକ ମହତ୍ତ୍ୱ ବିଷୟରେ ଜଣାଇଥିଲେ। ରିୟାଙ୍କ କହିବା ଅନୁଯାୟୀ, କରୀନା ପିନ୍ଧିଥିବା ଏହି ଅଳଙ୍କାର ପ୍ରାୟ ୨୦୦ ବର୍ଷ ପୁରୁଣା। ଏଥିରେ ଭୋପାଳର ନବାବଙ୍କ କଲଗୀ ଏବଂ ଭୋପାଳର ବେଗମ୍ଙ୍କ ୩୦ କ୍ୟାରେଟ୍ର ପନ୍ନା ପଥର ରହିଛି। ଏହା ଭୋପାଳର ରାଜପରିବାରର ଏକ ପାରିବାରିକ ସମ୍ପତ୍ତି ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ଗହଣାର ସମ୍ପର୍କ କରୀନାଙ୍କ ସ୍ୱାମୀ ସୈଫ୍ ଅଲ୍ଲୀ ଖାନ୍ଙ୍କ ପରିବାର ସହ ରହିଛି। ସୈଫ୍ଙ୍କ ଜେଜେମା’ ସାଜିଦା ସୁଲତାନ ଥିଲେ ଭୋପାଳର ଶେଷ ଶାସକ ନବାବ ହମିଦୁଲ୍ଲା ଖାନ୍ଙ୍କ ଝିଅ। ସାଜିଦାଙ୍କ ବିବାହ ଇଫତିଖାର ଅଲ୍ଲୀ ଖାନ୍ ପଟୌଦିଙ୍କ ସହ ହୋଇଥିଲା। ତାଙ୍କ ପୁଅ ମନସୁର ଅଲ୍ଲୀ ଖାନ୍ ପଟୌଦି ହେଉଛନ୍ତି ସୈଫ୍ଙ୍କ ବାପା। ଏହି ପାରିବାରିକ ଉତ୍ତରାଧିକାର ସୂତ୍ରରେ ଅଳଙ୍କାରଗୁଡ଼ିକ ସୈଫ୍ଙ୍କ ପରିବାର ପାଖରେ ପହଞ୍ଚିଥିଲା।
କଂଗ୍ରେସ ନେତା ତଥା ଦଳର ଜାତୀୟ ଗଣମାଧ୍ୟମ ସଂଯୋଜକ ଅବ୍ବାସ ହଫିଜ୍ ନଭେମ୍ବର ୧୧ ତାରିଖରେ କରୀନା ଓ ରିୟାଙ୍କୁ ଆଇନଗତ ନୋଟିସ୍ ପଠାଇଛନ୍ତି। ତାଙ୍କ ଅଭିଯୋଗ ହେଉଛି, କୁରାନର ଏକ ପବିତ୍ର ଆୟତ ଥିବା ଅଳଙ୍କାରକୁ ଯେଉଁଭଳି ଭାବରେ ସୋସିଆଲ ମିଡିଆରେ ପ୍ରଦର୍ଶନ କରାଯାଇଛି, ତାହା ଧାର୍ମିକ ମର୍ଯ୍ୟାଦାର ଅନୁକୂଳ ନୁହେଁ। ଏହାଦ୍ୱାରା ମୁସଲିମ୍ ସମ୍ପ୍ରଦାୟର କିଛି ଲୋକଙ୍କ ଧାର୍ମିକ ଭାବନା ଆହତ ହୋଇଥିବା ସେ ଦାବି କରିଛନ୍ତି।
ଅବ୍ବାସ ହଫିଜ୍ ନୋଟିସ୍ରେ ସ୍ପଷ୍ଟ କରିଛନ୍ତି ଯେ, କରୀନାଙ୍କ ପୋଷାକ, ବ୍ୟକ୍ତିଗତ ପସନ୍ଦ କିମ୍ବା ଗହଣା ପିନ୍ଧିବାର ସ୍ୱାଧୀନତାକୁ ନେଇ ତାଙ୍କର କୌଣସି ଆପତ୍ତି ନାହିଁ। ତାଙ୍କର ଆପତ୍ତି କେବଳ କୁରାନର ପବିତ୍ର ଆୟତ ଖୋଦିତ ଥିବା ପେଣ୍ଡାଣ୍ଟକୁ ଯେଉଁଭଳି ଭାବରେ ପୋଷାକ ସହ ପିନ୍ଧି ସୋସିଆଲ ମିଡିଆରେ ଦେଖାଯାଇଛି, ସେହି ଉପସ୍ଥାପନାକୁ ନେଇ। ନୋଟିସ୍ରେ ଇସଲାମୀୟ ଧର୍ମଗୁରୁଙ୍କ ମତ ମଧ୍ୟ ଉଲ୍ଲେଖ କରାଯାଇଛି। କିଛି ଧର୍ମଗୁରୁଙ୍କ ମତରେ, କୁରାନର ପବିତ୍ର ଆୟତକୁ ଗହଣା ଭାବରେ ପିନ୍ଧିବା ଉଚିତ ନୁହେଁ। କାରଣ ଏହାର ପବିତ୍ରତା ଓ ସମ୍ମାନ ବଜାୟ ରହିବା ଆବଶ୍ୟକ। ତେବେ ଏହି ବିଷୟରେ ଧର୍ମଗୁରୁଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଥିବା ମଧ୍ୟ ନୋଟିସ୍ରେ ସ୍ୱୀକାର କରାଯାଇଛି।
also read- ବିବାହ ବନ୍ଧନରେ ଆବଦ୍ଧ ହେଲେ ଅନିରୁଦ୍ଧ ରବିଚନ୍ଦର ଓ କାବ୍ୟା ମାରନ, ସାମ୍ନାକୁ ଆସିଲା ପ୍ରଥମ ଫଟୋ
ଏହି ଘଟଣାରେ ଅବ୍ବାସ ହଫିଜ୍ ଆଉ ଏକ ସ୍ପଷ୍ଟୀକରଣ ଦେଇଛନ୍ତି। ଏହି ଆଇନଗତ ନୋଟିସ୍ ସେ କଂଗ୍ରେସ ପାର୍ଟି ପକ୍ଷରୁ ପଠାଇନାହାନ୍ତି। ବରଂ ନିଜ ବ୍ୟକ୍ତିଗତ ପରିଚୟରେ ଏହା ପଠାଇଥିବା କହିଛନ୍ତି। ଅନ୍ୟପଟେ, ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ କରୀନା କପୁର ଖାନ୍ କିମ୍ବା ରିୟା କପୁରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। ନୋଟିସ୍ର ଜବାବରେ ସେମାନେ କ’ଣ ପଦକ୍ଷେପ ନେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର। ଏବେ ଏହି ରାଜକୀୟ ଅଳଙ୍କାରକୁ ନେଇ ଆରମ୍ଭ ହୋଇଥିବା ବିବାଦ କେଉଁ ମୋଡ଼ ନେଉଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
