Voice of Eastern India

ଭୁବନେଶ୍ୱରର ପୂର୍ବାଞ୍ଚଳ ପାଇଁ ଭୂକମ୍ପ ସତର୍କତା: ଏନସିଏସ୍ ରିପୋର୍ଟରେ ବଡ଼ ଖୁଲାସା


ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ସହ ଓଡ଼ିଶାର ବେଶ୍ ପରିଚିତ । ଦୀର୍ଘ ବର୍ଷ ଧରି ଲଗାତାର ଆସୁଥିବା ବାତ୍ୟା ଯୋଗୁ କିଛି ମାତ୍ରାରେ ଲୋକେ ବାତ୍ୟାକୁ ହାଲୁକା ଭାବରେ ନେଉଥିବାରୁ ମଧ୍ୟ ଦେଖିବାକୁ ମିଳୁଛି । ହେଲେ ଭୂକମ୍ପ ବିପଦକୁ କିନ୍ତୁ ଓଡ଼ିଶାବାସୀ ହାଲୁକା ଭାବେ ନେଇପାରିବେ ନାହିଁ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)ର ନିର୍ଦ୍ଦେଶକ ଡା. ଜି. ସୁରେଶ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ଓଡ଼ିଶା ମଧ୍ୟମ ଧରଣର ଭୂକମ୍ପ ପ୍ରବଣ ଅଞ୍ଚଳ ହୋଇଥିଲେ ହେଁ, ଜନବହୁଳ ସହରରେ ଦୁର୍ବଳ କୋଠାବାଡ଼ି ଯୋଗୁଁ ବଡ଼ଧରଣର କ୍ଷତି ହେବାର ଆଶଙ୍କା ରହିଛି।

ଭାରତୀୟ ମାନକ ବ୍ୟୁରୋ (BIS) ର ଜାତୀୟ କୋଡ୍ ଅନୁଯାୟୀ, ଓଡ଼ିଶା ଭୂକମ୍ପ ମାନଚିତ୍ରର ଜୋନ୍-୨ ଏବଂ ଜୋନ୍-୩ ଅନ୍ତର୍ଗତ। ଝାରସୁଗୁଡ଼ା, ସମ୍ବଲପୁରଠାରୁ ଆରମ୍ଭ କରି ଅନୁଗୁଳ, କଟକ, ଭୁବନେଶ୍ୱର, ପାରାଦୀପ ଏବଂ ପୁରୀ ଦେଇ ଗତି କରିଥିବା ମହାନଦୀ ଉପତ୍ୟକା ଜୋନ୍-୩ ଅର୍ଥାତ୍ ମଧ୍ୟମ କ୍ଷତିକାରକ ଆଶଙ୍କା ଜୋନ୍ ମଧ୍ୟରେ ଆସୁଛି। ରାଜ୍ୟର ଅବଶିଷ୍ଟାଂଶ ଜୋନ୍-୨ ଅର୍ଥାତ୍ ସ୍ୱଳ୍ପ ବିପଦପୂର୍ଣ୍ଣ ଅଞ୍ଚଳରେ ରହିଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ITER), SOA ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ଜାତୀୟ କର୍ମଶାଳାରେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି।

ଭୁବନେଶ୍ୱରର ଭୂତଳ ସ୍ଥିତି ଏବଂ ମାଇକ୍ରୋଜୋନେସନ୍ ରିପୋର୍ଟ

ଏନସିଏସ୍ ପକ୍ଷରୁ ଭୁବନେଶ୍ୱର ସହରର ସାଇସ୍ମିକ୍ ମାଇକ୍ରୋଜୋନେସନ୍ (seismic microzonation) କରାଯାଇଛି। ଜୁଲାଇ ୨୦୨୫ରେ ଭୁବନେଶ୍ୱର ଉନ୍ନୟନ ପରିଷଦ ଅଞ୍ଚଳର ୪୨୦ ବର୍ଗ କିଲୋମିଟର ପରିସରରେ ଏହି ଅଧ୍ୟୟନ କରାଯାଇଥିଲା। ୧୬୫୦ଟି ସ୍ଥାନରେ ମାଟିର ପ୍ରାକୃତିକ କମ୍ପନ ମାପ କରାଯିବା ସହ ୩୦ ମିଟର ଗଭୀର ପର୍ଯ୍ୟନ୍ତ ବୋର ହୋଲ୍ ଖୋଳାଯାଇ ୧୨୦୦ରୁ ଅଧିକ ମାଟି ନମୁନା ପରୀକ୍ଷା କରାଯାଇଥିଲା।

ଅଧ୍ୟୟନରୁ ଜଣାପଡିଛି ଯେ, ଭୁବନେଶ୍ବରର ପଶ୍ଚିମ ଓ ମଧ୍ୟ ଭାଗ ଅଞ୍ଚଳରେ ମାଟି ବେଶ୍ ଶକ୍ତ ଏବଂ ଇଞ୍ଜିନିୟରିଂ ବେଡ୍ ରକ୍ (bedrock) ମାତ୍ର ୨ରୁ ୨୦ ମିଟର ଗଭୀରତାରେ ରହିଛି। ସେହିଭଳି ପୂର୍ବଭାଗ (କୁଆଖାଇ ଓ ଦୟା ନିମ୍ନ ଅଞ୍ଚଳ) ଅଞ୍ଚଳର ମାଟି ନରମ ଏବଂ ଏଠାରେ ବେଡ୍ ରକ୍ ପ୍ରାୟ ୮୬ ମିଟର ଗଭୀରତାରେ ପଟୁମାଟି ତଳେ ଚାପି ହୋଇ ରହିଛି। ଏଠାରେ ମାଟିର କମ୍ପନ ବେଗ କମ୍ ଥିବାରୁ ବିପଦ ଆଶଙ୍କା ଅଧିକ ରହିଛି।

Also Read: ଓଡ଼ିଶାରେ ଶୀତର ଲହରୀ, ୧୪ ଯାଏଁ ଜାରି ରହିବ ଥଣ୍ଡା; ୧୭ରୁ ୨୧ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ବିଲ୍ଡିଂ ନିର୍ମାଣ ବେଳେ ସତର୍କତା ଜରୁରୀ

ଡା. ସୁରେଶ କହିଛନ୍ତି ଯେ, ଏହା ଭୟଭୀତ ହେବାର ବିଷୟ ନୁହେଁ ବରଂ ସଠିକ୍ ଇଞ୍ଜିନିୟରିଂ ଜ୍ଞାନକୌଶଳ ଆପଣାଇବାର ସମୟ। ସହରର ପୂର୍ବ ଭାଗରେ ଅବସ୍ଥିତ ଉଚ୍ଚ କୋଠା, ପୋଲ ଏବଂ ବଡ଼ ସଂରକ୍ଷଣଗୁଡ଼ିକ ପାଇଁ ଅଧିକ ସତର୍କତା ଏବଂ ଦୃଢ଼ ଭିତ୍ତିଭୂମି ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ଏହି କର୍ମଶାଳାରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଟିଇଆର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ସରତ ଚନ୍ଦ୍ର ସାହୁ ଏବଂ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ।



Source link

Leave A Reply

Your email address will not be published.