ଅବୁଜା : ମନେ ମନେ ଭାବିଥିଲେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭଗବାନଙ୍କ ଠାରୁ ଆଶୀର୍ବାଦ ନେବେ । ହେଲେ ଘଟିଗଲା କିଛି ଏମିତି କାଣ୍ଡ, ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ହଇଚଇ । ନାଇଜେରିଆରେ ଏକ ଧାର୍ମିକ ସଭା ଚାଲିଥିବା ବେଳେ ହଠାତ୍ ଦେଖିବାକୁ ମିଳିଛି ବଡଧରଣର ଉତ୍ତେଜନା। ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏହାକୁ ନେଇ ଆସୁଛି ଅନେକ କମେଣ୍ଟ । ଅଭିଯୋଗ ଅନୁସାରେ, ଧାର୍ମିକ କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ନିଜକୁ ପାଦ୍ରୀ ବୋଲି ପରିଚୟ ଦେଇ ଶ୍ରଦ୍ଧାଳୁଙ୍କ ମୋବାଇଲ୍ ଫୋନ୍ ସହ ଅନେକ ମୂଲ୍ୟବାନ ବସ୍ତୁ ନେଇ ସେଠାରୁ ଫେରାର୍ ହୋଇଯାଇଛନ୍ତି। ଏହାପରେ ସଭାସ୍ଥଳରେ ସୃଷ୍ଟି ହୋଇଥିଲା ବଡଧରଣର ହଙ୍ଗାମା ।
ଘଟଣାଟି ହେଉଛି ନାଇଜେରିଆର ଇଡୋ ଷ୍ଟେଟ୍ର ଉରୋମି ଅଞ୍ଚଳର। ଗତ ସପ୍ତାହାନ୍ତରେ ସେଠାରେ ଜଣେ ଅଜଣା ବ୍ୟକ୍ତି ଏକ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ। ନିଜକୁ ପାଦ୍ରୀ ବା ଚର୍ଚ୍ଚ ଧର୍ମଗୁରୁ ବୋଲି କହି ପରିଚୟ ଦେଉଥିବା ଏହି ବ୍ୟକ୍ତିଙ୍କ କଥାରେ ଭରସା କରି ଅନେକ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରାର୍ଥନା ଆରମ୍ଭ ହେବା ପୂର୍ବରୁ ପାଦ୍ରୀ ଜଣକ ସମସ୍ତଙ୍କୁ ନିଜ ନିଜ ଫୋନ୍ ଆଣି ମଣ୍ଡପ ଉପରେ ରଖିବାକୁ କହିଥିଲେ। ପ୍ରାର୍ଥନା ସମୟରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପାଇଁ ଏପରି କରିବାକୁ କୁହାଯାଇଥିବା ବ୍ୟକ୍ତି ଜଣକ କହି ଲୋକଙ୍କୁ ଆଶ୍ୱାସନା ଦେଇଥିଲେ । ଆଉ ସେହି ଠକ ପାଦ୍ରୀଙ୍କ କଥାରେ ବିଶ୍ୱାସ କରି ଶ୍ରଦ୍ଧାଳୁମାନେ ନିଜ ଫୋନ୍ ଓ ଅନ୍ୟ ଜିନିଷ ତାଙ୍କ ପାଖରେ ରଖିଦେଇଥିଲେ। ପରେ ଆରମ୍ଭ ହେଲା ପୂଜା ଓ ପ୍ରାର୍ଥନା, ଆଉ ଏହାରି ଭିତରେ ଫୋନ୍ ଧରି ଗାଏବ ହୋଇଗଲେ ପାଦ୍ରୀ । ପ୍ରାର୍ଥନା ସରିବା ପରେ ଯେତେବେଳେ ଶ୍ରଦ୍ଧାଳୁମାନେ ଫୋନ୍ ଖୋଜିଥିଲେ, ସେତେବେଳେ ସେମାନଙ୍କ ଫୋନ ସହ ଠକ ବ୍ୟକ୍ତିଙ୍କର ବି କୌଣସି ଖୋଜଖବର ମିଳିନଥିଲା । ଆଉ ଏହି ଖବର ଜାଣିବା ପରେ ସେଠାରେ ଆରମ୍ଭ ହୋଇଥିଲା ହୋହଲ୍ଲା ଓ ହଙ୍ଗାମା ।
ସେଠାରେ ଉପସ୍ଥିତ ଜଣେ ଶ୍ରଦ୍ଧାଳୁ ଉତ୍ତେଜନାର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଯେଉଁଥିରେ କିଛି ମହିଳା ନିଜ ମୋବାଇଲ୍ ହରାଇବା ପରେ କାନ୍ଦୁଥିବାର ଦେଖିବାକୁ ମିଳିଛି । କାହା ପାଇଁ ମୋବାଇଲ୍ କେବଳ ଯୋଗାଯୋଗର ମାଧ୍ୟମ ହୋଇଥିବାବେଳେ ଆଉ କିଛି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ, ଜରୁରୀ ଡକ୍ୟୁମେଣ୍ଟ ଓ ବ୍ୟକ୍ତିଗତ ତଥ୍ୟ ସେଥିରେ ରହିଥିଲା । ତେଣୁ ଫୋନ୍ ହରାଇବା ପରେ ଶ୍ରଦ୍ଧାଳୁଙ୍କ ଚିନ୍ତା ଏବେ ବଢ଼ିଯାଇଛି । ତେବେ ଏହି ଘଟଣା ପରେ ସୋସିଆଲ ମିଡିଆରେ ଲୋକେ ପ୍ରତିକ୍ରିୟା ଦେଇଛନ୍ତି । କେହି ଏହାକୁ ବଡ଼ ଠକେଇ କହୁଥିବା ବେଳେ ଆଉ କେହି ଏହାକୁ ଧାର୍ମିକ ଆସ୍ଥାର ଦୁରୁପଯୋଗ ବୋଲି କହିଛନ୍ତି । ତେବେ ଉକ୍ତ ପାଦ୍ରୀଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏନେଇ ପୋଲିସ ତଦନ୍ତ ଚଳାଇଛି ଯାହାପରେ ସ୍ପଷ୍ଟ କାରଣ ସାମ୍ନାକୁ ଆସିବ ।
