କୋରାପୁଟ, ୦୫।୧୧ : କୋଟିଆରେ ଫେଲ୍ ମାରିଲା ଆନ୍ଧ୍ରର ନିର୍ବାଚନୀ ରଣନୀତି । କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରାଇବାକୁ ଆନ୍ଧ୍ରର ଉଦ୍ୟମକୁ ବଡ଼ ଝଟକା ଲାଗିଛି । ଓଡ଼ିଶା ପ୍ରଶାସନର କଡ଼ା ସୁରକ୍ଷା ବ୍ୟବସ୍ଥା ଏବଂ ସୀମାରେ ଅବରୋଧ ଯୋଗୁଁ ଶେଷରେ କୋଟିଆ ବାହାରେ ପୁଲିଂ ବୁଥ୍ ସ୍ଥାପନ କରି ଭୋଟ୍ ଗ୍ରହଣ କରିବାକୁ ବାଧ୍ୟ ହୋଇଛି ଆନ୍ଧ୍ର ।
କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଦୀର୍ଘଦିନ ଧରି ସୀମା ବିବାଦ ଲାଗି ରହିଛି । ଏହି ବିବାଦୀୟ ଅଞ୍ଚଳରେ ନିଜର ପ୍ରଶାସନିକ ଓ ରାଜନୈତିକ ପ୍ରଭାବ ବଢ଼ାଇବା ପାଇଁ ଉଭୟ ରାଜ୍ୟ ନିଜ ନିଜ ସ୍ତରରେ ଉଦ୍ୟମ କରିଆସୁଛନ୍ତି । ଏହାରି ଭିତରେ ଆନ୍ଧ୍ର ପକ୍ଷରୁ କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରାଇବା ପାଇଁ ପ୍ରସ୍ତୁତି ହୋଇଥିଲା । ତେବେ ଓଡ଼ିଶା ପ୍ରଶାସନ ଏହାକୁ ନେଇ ସତର୍କ ହେବା ସହ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା ।
କୋଟିଆକୁ ସଂଯୋଗ କରୁଥିବା ତିନୋଟି ପ୍ରମୁଖ ପ୍ରବେଶ ପଥକୁ ସିଲ୍ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ଏଥିସହିତ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ BNSSର ଧାରା ୧୬୩ ଲାଗୁ କରାଯାଇଛି । ଏହାଦ୍ୱାରା ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ କଟକଣା ଲଗାଯାଇପାରେ । ସୀମାନ୍ତ ରାସ୍ତାରେ ଯାଞ୍ଚ ଓ ନିରୀକ୍ଷଣକୁ ମଧ୍ୟ ଜୋରଦାର କରାଯାଇଛି ।
Also Read:-କୋଟିଆରେ ପୁଣି ଉତ୍ତେଜନା: ଆନ୍ଧ୍ର ଏଜେଣ୍ଟ ଓ ଗ୍ରାମବାସୀ ମୁହାଁମୁହିଁ; ମୁତୟନ ହେଲେ ୧୫ ପ୍ଲାଟୁନ ପୋଲିସ
ଓଡ଼ିଶା ପ୍ରଶାସନର ଏହି କଡ଼ା ପଦକ୍ଷେପ ପରେ ଆନ୍ଧ୍ର ନିଜର ନିର୍ବାଚନୀ ଯୋଜନାରେ ପରିବର୍ତ୍ତନ କରିଛି । କୋଟିଆ ଭିତରେ ପୁଲିଂ ବୁଥ୍ କରିବା ପରିବର୍ତ୍ତେ ନେରେଡିୱାଲସା ନିକଟସ୍ଥ ସାରିକା ଏବଂ ଅନ୍ୟ କେତେକ ସ୍ଥାନରେ ଭୋଟ୍ ଗ୍ରହଣ କରାଯାଉଛି । ଅର୍ଥାତ୍ କୋଟିଆ ଭିତରେ ନିର୍ବାଚନୀ କାର୍ଯ୍ୟକଳାପ କରିବାର ଯୋଜନାରେ ଆନ୍ଧ୍ରକୁ ପଛକୁ ହଟିବାକୁ ପଡ଼ିଛି ।
ଅନ୍ୟପଟେ ସୀମାରେ ଓଡ଼ିଶା ପ୍ରଶାସନର ନଜର ଏବେ ବି ରହିଛି । ତିନୋଟି ପ୍ରବେଶ ପଥରେ ପୋଲିସ ଓ ପ୍ରଶାସନିକ ଟିମ୍ ପକ୍ଷରୁ ଚେକିଂ ଏବଂ ବ୍ଲକିଂ ଜାରି ରହିଛି । କେବଳ ପୋଲିସ ନୁହେଁ, ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ ମଧ୍ୟ ସୀମାନ୍ତ ଅଞ୍ଚଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି ।କୋଟିଆରେ ଓଡ଼ିଶାର ଅଧିକାର, ପ୍ରଶାସନିକ ଉପସ୍ଥିତି ଏବଂ ଜନସାଧାରଣଙ୍କ ଆସ୍ଥା ବଜାୟ ରଖିବା ଏବେ ସବୁଠୁ ବଡ଼ ଆହ୍ୱାନ । ଆନ୍ଧ୍ରର ଏହି ଉଦ୍ୟମକୁ ରୋକିବାରେ ଓଡ଼ିଶା ପ୍ରଶାସନର ପଦକ୍ଷେପକୁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି । ତେବେ ଏହି ଘଟଣା ପରେ କୋଟିଆରେ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ଆଗକୁ କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ।
