Voice of Eastern India

କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲା କେନ୍ଦ୍ରୀୟ ଟିମ, ଗଞ୍ଜାମରେ ପ୍ରାୟ ୫୦୦ କୋଟି ଟଙ୍କାର କ୍ଷୟକ୍ଷତି


ଛତ୍ରପୁର: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଅନୁଧ୍ୟାନ କରିଛି ଆଠଜଣିଆ ଅନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ପ୍ରତିନିଧି ଦଳ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ବିସ୍ତୃତ ଆକଳନ କରିଛନ୍ତି ।

କେନ୍ଦ୍ରୀୟ ଟିମ୍ ପୁରୁଷୋତ୍ତମପୁର ବ୍ଲକର ଆଚୁଲି, ହାଣ୍ଡିଘର ଓ ହୀରାଧରବାଟି ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ସେହିପରି ହିଞ୍ଜିଳି ବ୍ଲକର ଘୋଡ଼ାହାଡ଼ ପୋଲ ଓ ଜୟମଙ୍ଗଳ ଜଳସେଚନ ପ୍ରକଳ୍ପର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । ଆସିକାର ଲକ୍ଷ୍ମୀ ବଜାର, ନବରତ୍ନପୁର ଓ ଉପଖଣ୍ଡ ଚିକିତ୍ସାଳୟ ସମେତ ଧରାକୋଟ ବ୍ଲକର ଜାହାଡ଼ା ଗ୍ରାମ ଓ ଜାନିବିଲି ଆନିକଟ ମଧ୍ୟ ପରିଦର୍ଶନ କରିଥିଲେ । ଏହି ସମୟରେ ଚାଷଜମିରେ ବାଲି ମାଡ଼ିଯିବା, ନଦୀବନ୍ଧ ଓ ଜଳସେଚନ ପ୍ରକଳ୍ପର କ୍ଷତି, ଗ୍ରାମ୍ୟ ରାସ୍ତା, ବିଦ୍ୟୁତ୍ ଭିତ୍ତିଭୂମି, ବାସଗୃହ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର କ୍ଷୟକ୍ଷତି ସମ୍ପର୍କରେ ଟିମ୍ ସବିଶେଷ ତଥ୍ୟ ସଂଗ୍ରହ କରିଥିଲା । ଏଥିସହ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ । ଚାଷଜମିକୁ ଯାଇ ଫସଲ ନଷ୍ଟର ପରିମାଣ ଅନୁଧ୍ୟାନ କରିବା ସହ ଆବଶ୍ୟକ ନମୁନା ମଧ୍ୟ ସଂଗ୍ରହ କରିଥିଲେ ।

ଏହା ପୂର୍ବରୁ ସକାଳେ ଗୋପାଳପୁର ସର୍କିଟ୍ ହାଉସରେ ଜିଲ୍ଲା ପ୍ରଶାସନ ସହ କେନ୍ଦ୍ରୀୟ ପ୍ରତିନିଧି ଦଳର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଜିଲ୍ଲାର ବିଭିନ୍ନ ବିଭାଗର କ୍ଷୟକ୍ଷତି ସମ୍ପର୍କରେ ପ୍ରତିନିଧି ଦଳକୁ ଅବଗତ କରାଇଥିଲେ । ବିଭାଗୱାରୀ କ୍ଷତିର ବିବରଣୀ ଓ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ଉପସ୍ଥାପନ କରାଯାଇଥିଲା । ପ୍ରାଥମିକ ଆକଳନ ଅନୁଯାୟୀ, ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପ୍ରାୟ ୫୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ।



Source link

Leave A Reply

Your email address will not be published.