Voice of Eastern India

ନାରୀ ଶିକ୍ଷା ପ୍ରତି ତାଲିବାନର ନୀତିକୁ ସମର୍ଥନ କରି ହଟହଟା ହେଲେ ଜାକିର ନାୟକ: ପାକିସ୍ତାନ, ଆଫଗାନିସ୍ତାନ ଓ ଭାରତର କଡା ସମାଲୋଚନା


ନୂଆଦିଲ୍ଲୀ: ନାରୀ ଶିକ୍ଷା ପ୍ରତି ତାଲିବାନର କଟକଣାକୁ ପ୍ରଶଂସା କରି ଚାରିଆଡ଼ୁ ସମାଲୋଚନାର ଶିକାର ହେଲେ ଇସ୍ଲାମିକ ପ୍ରବଚକ ଜାକିର ନାୟକ। ତାଙ୍କୁ ଭାରତ ପାକିସ୍ତାନ ଓ ଆଫଗାନିସ୍ତାନ ଠାରୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହି ୩ଟି ଦେଶର ସାମ୍ବାଦିକ, ବୁଦ୍ଧିଜୀବୀ ଓ ଶିକ୍ଷାବିତ ଜାକିର ନାୟକଙ୍କର ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓ କ୍ଲିପ୍‌ରେ ଜାକିର ନାୟକ କହୁଛନ୍ତି ଯେ ମିଡିଆ ଆଫଗାନିସ୍ତାନର ସ୍ଥିତିକୁ ଭୁଲ୍ ଭାବରେ ଉପସ୍ଥାପନ କରୁଛି। ସେ କହିଛନ୍ତି “ମିଡିଆରେ ଆସୁଥିବା ପ୍ରତ୍ୟେକ କଥା ସତ ହୋଇ ନଥାଏ। ଯଦି କେହି ଉପଯୁକ୍ତ ଶିକ୍ଷକ ନ ମିଳିବା ପର୍ଯ୍ୟନ୍ତ ଶିକ୍ଷାଲାଭକୁ ବିଳମ୍ବିତ କରନ୍ତି, ତେବେ ଏଥିରେ କୌଣସି ଅସୁବିଧା ନାହିଁ।”

ଜାକିର ନାୟକ ତାଲିବାନ ପ୍ରଶାସନକୁ ସମର୍ଥନ କରିବା ସହ କହିଛନ୍ତି ଯେ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ ନ ହେବା ପର୍ଯ୍ୟନ୍ତ ତାଲିବାନ କେବଳ ବାଳିକାମାନଙ୍କ ପାଇଁ ମାଧ୍ୟମିକ ଓ ଉଚ୍ଚଶିକ୍ଷାକୁ ସ୍ଥଗିତ ରଖିଛି। ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷା ଜାରି ରହିଛି, କିନ୍ତୁ ସୁରକ୍ଷିତ ପରିବେଶର ଅଭାବ ଏବଂ ମହିଳା ଶିକ୍ଷୟିତ୍ରୀଙ୍କ ଅଭାବ ଯୋଗୁ ଉଚ୍ଚଶିକ୍ଷା ବନ୍ଦ ରହିଛି।

ଆଫଗାନିସ୍ତାନର ମହିଳାମାନେ ଇସଲାମିକ ଅଧ୍ୟୟନ ଏବଂ ସରିୟା ବିଷୟରେ ମାଷ୍ଟର ଡିଗ୍ରୀ ଓ ପିଏଚଡି ହାସଲ କରିବା ପାଇଁ ସକ୍ରିୟ ଭାବେ ଉଦ୍ୟମ କରୁଛନ୍ତି ବୋଲି ଜାକିର ନାୟକ କହିଛନ୍ତି।

ପାକିସ୍ତାନରୁ ତେଜିଲା ବିରୋଧ

ପାକିସ୍ତାନୀ ଶିକ୍ଷାବିତ୍ ମଲାଲା ୟୁସୁଫଜାଇଙ୍କ ପିତା ଜାକିରଙ୍କର ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି। ଏହା ଅତ୍ୟନ୍ତ ଚିନ୍ତାଜନକ ଓ ନିରାଶାଜନକ ବୋଲି ସେ କହିଛନ୍ତି। ମହିଳା ଶିକ୍ଷକଙ୍କ ଅଭାବର ସମାଧାନ କିପରି ହୋଇପାରିବ ତାହା ନଦେଖି ନାରୀ ଶିକ୍ଷା ବନ୍ଦ କରିଦେବା କେତେ ଦୂର ଠିକ ବୋଲ ସେ ପ୍ରଶ୍ନ କରିଛନ୍ତି। ମହିଳାଙ୍କ ଉପରେ ତାଲିବାନ କରୁଥିବା ଅତ୍ୟଚାରକୁ ଯଥାର୍ଥ ଦର୍ଶାଇବା ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି ସେ କହିଛନ୍ତି।

ଆଫଗାନିସ୍ତାନରୁ ନିନ୍ଦା

ସେହିପରି ଜାକିରଙ୍କର ଏହି ବୟାନକୁ ବ୍ୟଙ୍ଗ କରିଛନ୍ତି ନିର୍ବାସିତ ଆଫଗାନ ସାଂସଦ ମରିୟମ ସୋଲେମାନଖିଲ। ଏନେଇ ସେ ‘ଏକ୍ସ’ରେ ଲେଖିଛନ୍ତି, “ଜାକିର ନାଏକଙ୍କ ଅନୁଯାୟୀ, ଆଫଗାନ ବାଳିକାମାନଙ୍କ ଶିକ୍ଷା ଉପରେ କୌଣସି କଟକଣା ନାହିଁ। ସେମାନେ କେବଳ ମହିଳା ଶିକ୍ଷୟିତ୍ରୀମାନଙ୍କୁ ଅପେକ୍ଷାରେ ଅଛନ୍ତି। ସେହି ମହିଳା ଶିକ୍ଷୟିତ୍ରୀମାନେ, ଯେଉଁମାନଙ୍କୁ କାମ କରିବାରୁ ତାଲିବାନ ନିଷିଦ୍ଧ କରିଛି?” ଏହାପରେ ସେ କଟାକ୍ଷ କରି ଲେଖିଛନ୍ତି “ଚମତ୍କାର ଯୁକ୍ତି, ଡକ୍ଟର!”

ଭାରତରୁ ନିନ୍ଦା

ଭାରତୀୟ ଐତିହାସିକ ରୁଚିକା ଶର୍ମା ଜାକିରଙ୍କର ମନ୍ତବ୍ୟରେ ଅସନ୍ତୋଷ ପ୍ରକାଶ କରିବା ସହିତ ଧାର୍ମିକ ପୁରୁଷମାନଙ୍କୁ “ଅତ୍ୟନ୍ତ ଅନୈତିକ ପ୍ରାଣୀ” ବୋଲି କହିଛନ୍ତି। ତେବେ ତାଲିବାନ ଯାହା କରୁଛି ତାହା ବିଶ୍ୱରେ ମାନବ ଅଧିକାରର ସବୁଠାରୁ ବଡ଼ ଉଲ୍ଲଂଘନଗୁଡ଼ିକ ମଧ୍ୟରୁ ଅନ୍ୟତମ ବୋଲି ଶର୍ମା କହିଛନ୍ତି।

ଉନିସେଫ(UNICEF)ର ସୂଚନା ଅନୁସାରେ, ୨୦୨୧ ମସିହାରେ ତାଲିବାନ କ୍ଷମତାକୁ ଫେରିବା ପରଠାରୁ ୨୬ ଲକ୍ଷରୁ ଅଧିକ ଆଫଗାନ ବାଳିକା ମାଧ୍ୟମିକ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଫଗାନିସ୍ତାନ ପ୍ରଥମ ଦେଶ ଭାବରେ ମହିଳାଙ୍କ ପାଇଁ ମାଧ୍ୟମିକ ଓ ଉଚ୍ଚଶିକ୍ଷାକୁ ବନ୍ଦ କରିଦେଇଛି।



Source link

Leave A Reply

Your email address will not be published.