Voice of Eastern India

ରାଜ୍ୟସଭା କ୍ରସ ଭୋଟିଂ ମାମଲା: ୫ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଏଜିଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଲେ ପ୍ରମିଳା ମଲ୍ଲିକ


ଭୁବନେଶ୍ଵର: ଗତ ରାଜ୍ୟସଭା ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି)ର ୮ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ଅଭିଯୋଗକୁ ନେଇ ଆରମ୍ଭ ହୋଇଥିବା ଆଇନଗତ ଲଢ଼େଇ ଏବେ ନୂଆ ମୋଡ଼ ନେଇଛି। ଏହି ମାମଲାର ଶୁଣାଣି କରି ମାନ୍ୟବର ଓଡ଼ିଶା ହାଇକୋର୍ଟ ୫ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ଜାନୁଆରୀ ୧୧ ତାରିଖ ସୁଦ୍ଧା ସେମାନଙ୍କର ପକ୍ଷ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବାଚସ୍ପତିଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ବିଜେଡିର ବିଧାୟକମାନେ ଦଳୀୟ ନିର୍ଦ୍ଦେଶ ଅମାନ୍ୟ କରି ଅନ୍ୟ ଦଳକୁ ଭୋଟ ଦେଇଥିବାରୁ ସେମାନଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ଦଳ ପକ୍ଷରୁ ବିଧାନସଭା ବାଚସ୍ପତିଙ୍କ ନିକଟରେ ଆବେଦନ କରାଯାଇଥିଲା। ତେବେ ବାଚସ୍ପତି ଏକତରଫା ଏବଂ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡିର ନିବେଦନକୁ ଖାରଜ କରିଦେଇଥିଲେ ବୋଲି ଦଳ ଅଭିଯୋଗ କରିଛି। ଶୁଣାଣିର ସୁଯୋଗ ନମିଳିବାରୁ ଦଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

Also Read: ବିଜେଡିର ବିଦ୍ରୋହୀ ବିଧାୟକଙ୍କ ପାଇଁ ବଢ଼ିଲା ଅଡୁଆ, ହାଇକୋର୍ଟ ଜାରି କଲେ ନୋଟିସ୍

ଏଜିଙ୍କ ବକ୍ତବ୍ୟକୁ ନେଇ କଡ଼ା ସମାଲୋଚନା

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଆମର ନ୍ୟାୟପାଳିକା ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି। ଯେଉଁମାନେ ବିଜେଡି ଟିକେଟରେ ଜିତି ଦଳ ଏବଂ ନେତା ନବୀନ ପଟ୍ଟନାୟକଙ୍କ ସହ ପ୍ରତାରଣା କରିଛନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।ଏହାସହ ଓଡ଼ିଶାର ଆଡଭୋକେଟ୍ ଜେନେରାଲ (AG)ଙ୍କ ଭୂମିକାକୁ ନେଇ ସେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ଏଜି ପଦବୀ ନିରପେକ୍ଷ ରହିବା କଥା, କିନ୍ତୁ ସେ ବାଚସ୍ପତିଙ୍କ ତରଫରୁ ରହି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସ୍ୱାର୍ଥ ରକ୍ଷା ପାଇଁ କାମ କରୁଛନ୍ତି। ବିଜେଡିର ଆବେଦନକୁ ‘ଖାମଖିଆଲି’ ବୋଲି ଏଜି କହିବାକୁ ପ୍ରମିଳା ମଲ୍ଲିକ ନିନ୍ଦା କରିଛନ୍ତି ଏବଂ ବିଧାନସଭାର କେଉଁ ଧାରାରେ ହାଇକୋର୍ଟ ଯିବା ବାରଣ ଅଛି ତାହାର ସ୍ପଷ୍ଟୀକରଣ ମାଗିଛନ୍ତି।

 



Source link

Leave A Reply

Your email address will not be published.