ନୂଆଦିଲ୍ଲୀ -;ଗଣେଶଙ୍କ ଏହି ଲଡ୍ଡୁକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଗୋଟିଏ ଲଡ୍ଡୁ ପାଇଁ ଲୋକେ ଦେଲେ ଲକ୍ଷ ଲକ୍ଷ ଟଙ୍କା। ଶେଷରେ ଦାମ ପହଞ୍ଚିଲା ୩୯ ଲକ୍ଷ ଟଙ୍କାରେ! ଘଟଣା ହେଉଛି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର। ଏଠାରେ ପ୍ରସିଦ୍ଧ ବାଲାପୁର ଗଣେଶ ଲଡ୍ଡୁର ବାର୍ଷିକ ନିଲାମୀ ଅନୁଷ୍ଠିତ ହୋଇଥିଲା। ଏଥର ନିଲାମୀରେ ଲଡ୍ଡୁର ଦାମ ନୂଆ ରେକର୍ଡ କରିଛି।
୧୧୧୬ ଟଙ୍କାରୁ ଆରମ୍ଭ, ୩୯ ଲକ୍ଷରେ ଶେଷ! ବାଲାପୁର ଗଣେଶ ଉତ୍ସବ କମିଟି ପକ୍ଷରୁ ହୋଇଥିବା ଏହି ନିଲାମୀର ଆରମ୍ଭିକ ଦାମ ରଖାଯାଇଥିଲା ୧୧୧୬ ଟଙ୍କା। ନିଲାମୀରେ ଭାଗ ନେବା ପାଇଁ ମୋଟ ୮ ଜଣ ନାମାଙ୍କନ କରିଥିଲେ।ତା’ପରେ ଆରମ୍ଭ ହେଲା ଲଢ଼େଇ। ଗୋଟିଏ ପରେ ଗୋଟିଏ ଭିଡ ବଢ଼ିବା ସହ ଲଡ଼ୁର ଦାମ ପହଞ୍ଚିଲା ୩୦ ଲକ୍ଷ… ୩୫ ଲକ୍ଷ… ଆଉ ଶେଷରେ ୩୯ ଲକ୍ଷ ଟଙ୍କା! ଏହା ସହିତ ଗତବର୍ଷର ରେକର୍ଡ ମଧ୍ୟ ଭାଙ୍ଗିଗଲା।
ତେବେ କିଏ କିଣିଲେ ୩୯ ଲକ୍ଷର ଲଡ୍ଡୁ? ଶେଷରେ ୩୯ ଲକ୍ଷ ଟଙ୍କାରେ ଲଡୁଟିକୁ ନିଜ ନାଁରେ କରିଛନ୍ତି ବନସ୍ଥଳୀପୁରମର ସାହେବନଗର ବାସିନ୍ଦା ସମା ପ୍ରଣୀତ ରେଡ୍ଡୀ। ସେ ଅର୍ବନ୍ ଗ୍ରୁପ୍ ପ୍ରାଇଭେଟ୍ ଲିମିଟେଡ୍ର ପ୍ରତିନିଧି ଭାବେ ନିଲାମୀରେ ଭାଗ ନେଇଥିଲେ। ଗତବର୍ଷ ଏହି ଲଡ଼ୁ ୩୫ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା। ଅର୍ଥାତ୍ ଏଥର ଦାମରେ ବଢ଼ିଛି ଆଉ ୪ ଲକ୍ଷ ଟଙ୍କା।
ତେବେ ଏହି ଲଡ୍ଡୁର ଏତେ ଚାହିଦା କାହିଁକି?
ବାଲାପୁର ଗଣେଶ ଲଡ଼ୁକୁ ନେଇ ଏକ ବିଶେଷ ଧାର୍ମିକ ବିଶ୍ୱାସ ରହିଛି। ସ୍ଥାନୀୟ ମାନ୍ୟତା ଅନୁସାରେ, ଏହି ଲଡ୍ଡୁ ଘରକୁ ଆସିଲେ ସୁଖ, ଶାନ୍ତି, ସମୃଦ୍ଧି ଓ ଖୁସି ଆସେ। ଏହି ବିଶ୍ୱାସ ଯୋଗୁଁ ପ୍ରତିବର୍ଷ ଲଡ୍ଡୁର ନିଲାମୀକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଏ। ତେବେ ଏହା ଏକ ଧାର୍ମିକ ବିଶ୍ୱାସ ମାତ୍ର, ଏହି ବିଶ୍ୱାସର ବୈଜ୍ଞାନିକ ପ୍ରମାଣ ନାହିଁ। ୧୯୯୪ରୁ ଚାଲିଛି ଏହି ପରମ୍ପରା I ବାଲାପୁର ଗଣେଶ ଲଡ୍ଡୁର ନିଲାମୀ ଆଜିଠୁ ନୁହେଁ। ଏହାର ଇତିହାସ ପ୍ରାୟ ୩ ଦଶନ୍ଧି ପୁରୁଣା। ୧୯୯୪ ମସିହାରେ ପ୍ରଥମଥର ପାଇଁ ଏହି ଲଡ୍ଡୁର ନିଲାମୀ ହୋଇଥିଲା। ସେତେବେଳେ ସ୍ଥାନୀୟ କୃଷକ କୋଲାନୁ ମୋହନ ରେଡ୍ଡୀ ଏହି ଲଡ୍ଡୁକୁ ମାତ୍ର ୪୫୦ ଟଙ୍କାରେ କିଣିଥିଲେ। ଆଉ ଆଜି ସେହି ଲଡ୍ଡୁର ଦାମ ପହଞ୍ଚିଛି ୩୯ ଲକ୍ଷ ଟଙ୍କାରେ।
ତେବେ କେମିତି ବଢ଼ିଲା ଲଡ୍ଡୁର ଦାମ?୨୦୦୨ରେ ପ୍ରଥମଥର ଲଡ୍ଡୁର ଦାମ ୧ ଲକ୍ଷ ଟଙ୍କା ଟପିଥିଲା। ସେତେବେଳେ ଏହା ୧.୦୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ୨୦୦୭ରେ ଦାମ ହୋଇଥିଲା ୪.୧୫ ଲକ୍ଷ। ୨୦୧୫ରେ ୧୦.୩୨ ଲକ୍ଷ। ୨୦୧୮ରେ ୧୬.୬୦ ଲକ୍ଷ।୨୦୧୯ରେ ୧୭.୬୦ ଲକ୍ଷ। କିନ୍ତୁ ୨୦୨୦ରେ କରୋନା ମହାମାରୀ ଯୋଗୁଁ ଲଡ୍ଡୁର ନିଲାମୀ ହୋଇନଥିଲା। ସେହି ସମୟରେ ଲଡ୍ଡୁଟିକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟି ଦିଆଯାଇଥିଲା। ୨୦୨୧ରେ ନିଲାମୀ ପୁଣି ଆରମ୍ଭ ହେଲା ଏବଂ ଦାମ ରହିଥିଲା ୧୮.୯୦ ଲକ୍ଷ ଟଙ୍କା। ୨୦୨୨ରେ ୨୪.୬୦ ଲକ୍ଷ। ୨୦୨୩ରେ ୨୭ ଲକ୍ଷ।୨୦୨୪ରେ ୩୦.୦୧ ଲକ୍ଷ। ୨୦୨୫ରେ ୩୫ ଲକ୍ଷ। ଆଉ ଏବେ ୨୦୨୬ରେ ସବୁ ରେକର୍ଡ ଭାଙ୍ଗି ୩୯ ଲକ୍ଷ ଟଙ୍କା!ଅର୍ଥାତ୍ ୧୯୯୪ରେ ଯେଉଁ ଲଡ୍ଡୁର ମୂଲ୍ୟ ଥିଲା ୪୫୦ ଟଙ୍କା, ୩୨ ବର୍ଷ ପରେ ସେହି ଲଡ୍ଡୁର ନିଲାମୀ ମୂଲ୍ୟ ପହଞ୍ଚିଛି ୩୯ ଲକ୍ଷରେ। ବାଲାପୁର ଗଣେଶ ଲଡ୍ଡୁର ଏହି ନିଲାମୀ କେବଳ ଏକ ମିଠାର ଦାମକୁ ନେଇ ନୁହେଁ, ବରଂ ଏହା ସହ ଜଡ଼ିତ ଦୀର୍ଘଦିନର ପରମ୍ପରା ଓ ଧାର୍ମିକ ବିଶ୍ୱାସ ପାଇଁ ମଧ୍ୟ ପ୍ରତିବର୍ଷ ଚର୍ଚ୍ଚାରେ ରହିଥାଏ।
