ନୂଆଦିଲ୍ଲୀ, ୨୫/୦୯ : ଆମେରିକା ପୁନର୍ବାର ଆକ୍ରମଣ କଲେ ଏହି ଯୁଦ୍ଧ କେବଳ ପଶ୍ଚିମ ଏସିଆ ମଧ୍ୟରେ ସୀମିତ ରହିବ ନାହିଁ । ଏହା ଭାରତ ମହାସାଗର ପର୍ଯ୍ୟନ୍ତ ବ୍ୟାପିବ। ଭୟଙ୍କର ଜବାବ ଦେବ ଇରାନ। ଗୁରୁବାର ଇରାନ ପକ୍ଷରୁ ଆମେରିକାକୁ ଏଭଳି ଚେତାବନୀ ଦିଆଯାଇଛି।
ଇରାନୀ ସୁପ୍ରିମ ଲିଡର ମୋଜତବା ଖାମେନେଇଙ୍କ ପରାମର୍ଶଦାତା ୟାହ୍ୟା ରହିମ ସଫାୱି କହିଛନ୍ତି, ଯୁଦ୍ଧ ପ୍ରଥମେ ପାରସ୍ୟ ଉପସାଗରରେ ଆରମ୍ଭ ହୋଇଥିଲା। ପରେ ଏହା ହୋର୍ମୁଜ ପ୍ରଣାଳୀରେ ପହଞ୍ଚିଥିଲା। ଏହାପରେ ଲୋହିତ ସାଗର ପର୍ଯ୍ୟନ୍ତ ଯୁଦ୍ଧ ବ୍ୟାପିଥିଲା। ଆମେରିକା ଯଦି ଆଉଥରେ ଆକ୍ରମଣ କରେ, ତେବେ ଯୁଦ୍ଧ ଆହୁରି ପ୍ରଶସ୍ତ ହେବ। ଏହା ଭାରତ ମହାସାଗର ପର୍ଯ୍ୟନ୍ତ ଲମ୍ବିଯିବ।
Also Read :- https://www.prameyanews7.com/rainfall-in-odisha-because-of-deep-depression
ଅନ୍ୟପକ୍ଷରେ ଇରାନର ଏଭଳି ଚେତାବନୀ ଭାରତ ଓ ଚୀନ୍ ଭଳି ଦେଶ ପାଇଁ ନକାରାତ୍ମକ ସାବ୍ୟସ୍ତ ହୋଇପାରେ। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ପ୍ରମୁଖ ତୈଳ ଓ ଗ୍ୟାସ୍ ଆମଦାନିକାରୀ ଦେଶ ଭାରତ ଓ ଚୀନ୍ ଉପରେ ଏହାର ସର୍ବାଧିକ ପ୍ରଭାବ ପଡ଼ିପାରେ। ଭାରତ ମହାସାଗର ପଶ୍ଚିମ ଏସିଆକୁ ଏସିଆର ଅନ୍ୟ ଦେଶ ସହ ଯୋଡୁଥିବା ଗୁରୁତ୍ୱପୂର୍ଣ ସାମୁଦ୍ରିକ ରାସ୍ତା। ଏଠାରେ ବିବାଦ ବଢ଼ିବା ଦ୍ବାରା ତୈଳ ଆଣି ଆସୁଥିବା ଜାହାଜଗୁଡ଼ିକ ଉପରେ ଆକ୍ରମଣ ଆଶଙ୍କା ବଢ଼ିପାରେ।
ଇରାନ କହିଛି, ଚଳିତବର୍ଷ ମାର୍ଚ୍ଚରେ ବି ଯୁଦ୍ଧର ପ୍ରଭାବ ଭାରତ ମହାସାଗର ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହି ସମୟରେ ଆମେରିକାର ଆକ୍ରମଣରେ ଇରାନର ଯୁଦ୍ଧପୋତ ଆଇଆରଆଇଏସ୍ ଦେନା ବୁଡ଼ିଯାଇଥିଲା। ଏଥିରେ ଶତାଧିକ ସୈନ୍ୟ ପ୍ରାଣ ହରାଇଥିଲେ। ଶ୍ରୀଲଙ୍କା ଉପକୂଳରେ ଏହି ଘଟଣା ଘଟିଥିଲା। ରିପୋର୍ଟ ମୁତାବକ, ଇରାନୀ ଯୁଦ୍ଧପୋତ ଶ୍ରୀଲଙ୍କାର ଗାଲେ ସହରରୁ ପ୍ରାୟ ୧୯ ନଟିକାଲ୍ ମାଇଲ୍ ଦୂରରେ ବୁଡ଼ିଯାଇଥିଲା। ଏହି ଅଞ୍ଚଳ ଶ୍ରୀଲଙ୍କାର ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ ବା ‘ଇଇଜେଡ୍’ ମଧ୍ୟରେ ଆସୁଛି।
ଏହା ପୂର୍ବରୁ ବୁଧବାର ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନ ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘ ସାଧାରଣ ପରିଷଦ(ୟୁଏନଜିଏ)ର ଅଧିବେଶନରେ ଆମେରିକାକୁ ବର୍ଷିଥିଲେ । କହିଥିଲେ, ଇରାନ କୌଣସି ମତେ ଆମେରିକାର ଚାପରେ ମୁଣ୍ଡ ନୁଆଁଇବ ନାହିଁ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ ଯେତେ ଧମକ ଦେବେ, ଇରାନର ମନୋବଳ ସେତେ ମଜଭୁତ ହେବ। ଆମେ ପ୍ରତ୍ୟେକ ଆକ୍ରମଣର ଜବାବ ଦେବୁ। କିନ୍ତୁ ଆଲୋଚନା ଲାଗି ବି ଇରାନ ସମ୍ପୂର୍ଣ ପ୍ରସ୍ତୁତ ଅଛି। ଟ୍ରମ୍ପ୍ ଆମକୁ ଆତଙ୍କବାଦୀ କହୁଛନ୍ତି । କିନ୍ତୁ ଆମେ ପ୍ରକୃତରେ ଆତଙ୍କବାଦର ଶିକାର ହେଉଛୁ ବୋଲି ସେ ପ୍ରକାଶ କରିଥିଲେ ।
