Voice of Eastern India

ନେପାଳରେ ପ୍ରଳୟଙ୍କରୀ ବନ୍ୟା ପରେ ବିହାରରେ ହାଇ ଆଲର୍ଟ, ସମ୍ରାଟ ଚୌଧୁରୀ ସହ ଜରୁରୀ ଆଲୋଚନା କଲେ ଅମିତ ଶାହ


ପାଟନା: ପଡ଼ୋଶୀ ଦେଶ ନେପାଳରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଚୀନ ସୀମା ସହ ସଂଲଗ୍ନ ତିବ୍ଦତ ନିକଟସ୍ଥ ରସୁଆ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ ସାଙ୍ଗକୁ ଜଳ ପ୍ରଳୟ ସୃଷ୍ଟି ହୋଇଛି। ଯେଉଁଥିରେ ଏପର୍ଯ୍ୟନ୍ତ ୧୬ ଜଣକ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ, ୧୦୫ ଭାରତୀଙ୍କ ସମେତ ହଜାର ହଜାର ଲୋକ ଭାସିଯାଇଥିବା ଆଶଙ୍କା କରାଯାଉଛି। ନେପାଳର ଏହି ସାଂଘାତିକ ସ୍ଥିତି ଯୋଗୁ ଏବେ ସୀମାନ୍ତ ରାଜ୍ୟ ବିହାର ଉପରେ ବନ୍ୟାର ବଡ଼ ବିପଦ ମାଡ଼ି ଆସିଛି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ଉତ୍ତର ବିହାରରେ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି।

ତଥ୍ୟ ଅନୁସାରେ, ତିବ୍ଦତ ଅଞ୍ଚଳରେ ଏକ ଗ୍ଲାସିୟର ହ୍ରଦ (Glacial lake) ଫାଟିଯିବା କାରଣରୁ ଭୋଟେ-କୋଶୀ ନଦୀରେ ପ୍ରାୟ ୩ ମିଟର ଗଭୀରତାର ଜଳସ୍ତର ହଠାତ୍ ବଢ଼ିଯାଇଛି। ଯାହା ତ୍ରିଶୂଳୀ ନଦୀ ଦେଇ ବିହାରର ଗଣ୍ଡକ ନଦୀକୁ ମାଡ଼ି ଆସୁଛି। ଏହି କାରଣରୁ ଗଣ୍ଡକ ନଦୀରେ ୩ ଲକ୍ଷ କ୍ୟୁସେକରୁ ଅଧିକ ପାଣି ପ୍ରବାହିତ ହେବାର ଆଶଙ୍କା ରହିଛି। ତେଣୁ ଏହି ବିପଦକୁ ଦୃଷ୍ଟିରେ ରଖି ବାଲ୍ମୀକିନଗର ସ୍ଥିତ ଗଣ୍ଡକ ବ୍ୟାରେଜ୍ର ସମସ୍ତ ୩୬ଟି ଯାକ ଗେଟ୍ ଖୋଲି ଦିଆଯାଇଛି।

Also Read: ୧୬ ମୃତ, ୧୦୫ ଭାରତୀୟଙ୍କ ସହିତ ୪୦୦ ନିଖୋଜ; ପ୍ରକୃତିର ତାଣ୍ଡବ ଆଗରେ ଅସହାୟ ନେପାଳ

ପରିସ୍ଥିତି ଉପରେ ନଜର ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇଦେବେ ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି।

ସେହିଭଳି ବିହାରର ୬ ଜିଲ୍ଲାକୁ ଗଣ୍ଡକ ନଦୀ ମାଧ୍ୟମରେ ପାଣି ଆସିପାରେ। ଏହାକୁ ଦୃଷ୍ଟିରେ ରଖି ଏହି ୬ ଜିଲ୍ଲାକୁ ଏବଂ ଏନଡିଆରଏଫ୍ ଟିମକୁ ଆଲର୍ଟ କରାଯାଇଛି। ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଗୋପାଳଗଞ୍ଜ, ମୁଜାଫରପୁର ଏବଂ ବୈଶାଳୀ ଭଳି ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକୁ ସମ୍ପୂର୍ଣ୍ଣ ଆଲର୍ଟ ମୋଡ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଦୀ କୂଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନ ତରଫରୁ ସତର୍କ ସୂଚନା ଜାରି କରାଯାଇଛି।



Source link

Leave A Reply

Your email address will not be published.