ମସ୍କୋ/ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତକୁ ସାର ଯୋଗାଣ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ବୈଠକ ସମୟରେ ପୁଟିନ୍ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ପୁଟିନ୍ କହିଛନ୍ତି ଯେ, ରୁଷିଆ ଭାରତୀୟ କୃଷକ ଏବଂ କୃଷି କ୍ଷେତ୍ର ପାଇଁ ସାର ଯୋଗାଣ ବଢ଼ାଉଛି ଏବଂ ଆଗକୁ ମଧ୍ୟ ଏହା ଜାରି ରଖିବ। ଶକ୍ତି (Energy) ଏବଂ ସାର ଯୋଗାଣ ରୁଷର ପ୍ରାଥମିକତା। ପରମାଣୁ ଶକ୍ତି ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଆଗେଇ ଚାଲିଛି।
ଚଳିତ ବର୍ଷ ଭାରତ ଓ ରୁଷ ମଧ୍ୟରେ ବାଣିଜ୍ୟିକ କାରବାର ବୃଦ୍ଧି ପାଇଛି, ଯାହାର ମୁଖ୍ୟ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମକୁ ଦେଇଛନ୍ତି ପୁଟିନ । ଏହା ସହ Bishkekରେ ହେବାକୁ ଥିବା ଏସସିଓ (SCO) ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବେ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ ।
ସେପଟେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତା ପୁଟିନଙ୍କ ନିକଟରେ ପହଞ୍ଚାଇବା ସହ ଦୁଇ ଦେଶ ମଧ୍ୟରେ ଆର୍ଥିକ, ଶକ୍ତି ଓ ପ୍ରତିରକ୍ଷା ସମ୍ପର୍କ ବେଶ ମଜଭୁତ ରହିଛି ବୋଲି ପ୍ରକାଶ କରିଛନ୍ତି।
