ଭୁବନେଶ୍ଵର: ପାରାଦୀପରୁ ଲୁହାପଥର ବୋଝେଇ କରି ଚୀନ ଯାଉଥିବା ଜାହାଜ ‘ଏମଭି ଓସେନ୍ ୱିନର’ ବଙ୍ଗୋପସାଗରର ଅଥଳ ଜଳ ରାଶିରେ ବୁଡି ଯିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ୨୪ କ୍ରୁ ମେମ୍ବରଙ୍କ ମଧ୍ୟରୁ ୨ ଜଣଙ୍କୁ ଜୀବିତି ଉଦ୍ଧାର କରାଯାଇ ସେମାନଙ୍କର ଚିକିତ୍ସା ଚାଲିଛି । ଅନ୍ୟ ୨୨ କ୍ରୁ ମେମ୍ବର କୁଆଡ଼େ ନିଖୋଜ ହୋଇଗଲେ ତାର କୌଣସି ଅତ୍ତାପତ୍ତା ମିଳୁନାହିଁ । ସେମାନେ ସୁସ୍ଥ ହେବା ପରେ ଜାହାଜ ବଡିର କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । ନିଖୋଜ କ୍ରୁ ମେମ୍ବରଙ୍କୁ ଖୋଜିବା ପାଇଁ କୋଷ୍ଟ ଗାର୍ଡ, ନୌସେନାର ଯୁଦ୍ଧ ବିମାନ, ସର୍ଭିଲାନ୍ସ ହେଲି କ୍ୟାପଟରଙ୍କୁ ଲଗାଯାଇଛି । ତେବେ ଲଘୁଚାପ କାରଣରୁ ପାଗ ଅଶାନ୍ତ ଥିବାରୁ ଖୋଜିବାରେ କିଛିଟା ବାଧା ଉପୁଜିଛି । ସେହିପରି ପରିବହନ ମନ୍ତ୍ରୀ କହିଛନ୍ତି ଜାହାଜ ବୁଡି଼ ଘଟଣାର କାରଣ ଖୋଜିବେ ସରକାର।
କାହିଁକି ଓ କେମିତି ବୁଡ଼ିଲା ଜାହାଜ ? ପାଗ ଖରାପ ପାଇଁ ବୁଡିଲା ନା ଓଭର ଲୋଡିଂ ପାଇଁ ? ଲୁହାପଥର ବୋଝେଇ କାର୍ଗୋ ସିପ୍ ‘ଏମଭି ଓସେନ୍ ୱିନର’ ବୁଡ଼ିବାର କାରଣ ଏବେବି ଅସ୍ପଷ୍ଟ ରହିଛି । ପାରାଦୀପରୁ ଚୀନ୍ ଯାଉଥିଲା ପାନାମା ଫ୍ଲାଗରେ ପରିଚାଳିତ ଏହି ଜାହାଜ । ଏବେ ସୁଦ୍ଧା ୨ ଜଣ ନାବିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୨ ଜଣ ଏବେବି ନିଖୋଜ ଅଛନ୍ତି। ମୋଟ୍ ୨୪ ଜଣକ୍ରୁ ମେମ୍ବରଙ୍କ ମଧ୍ୟରୁ ୨୦ ଜଣ ଚୀନ ନାଗରିକ ଥିବା ବେଳେ ୩ ଜଣ ଥିଲେ ମିଆଁମାର ଓ ଜଣେ ଥିଲେ ବାଂଲାଦେଶୀ ନାଗରିକ । ତେବେ ଉଦ୍ଧାର ହୋଇଥିବା ୨ ଜଣ ନାଗରିକ ଚୀନର ବୋଲି ଜଣାପଡ଼ିଛି । ଜାହାଜ ବୁଡିର କାରଣ କଣ ହୋଇପାରେ ସେ ସମ୍ପର୍କରେ ସିପିଙ୍ଗ ଏଜେନ୍ସି ଅଧିକାରୀ, ଷ୍ଟିଭେଡର ସଂସ୍ଥା, ହାର୍ବର ମାଷ୍ଟର କିମ୍ବା ବନ୍ଦର ପ୍ରଶାସନସମସ୍ତେ ନୀରବ ଅଛନ୍ତି।
Also Read: ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ, ଘର ମାଲିକ କହିଲେ…
ନୌସେନାର ଇଷ୍ଟର୍ଣ୍ଣ କମାଣ୍ଡ ଏବଂ ଭାରତୀୟ ତଟରକ୍ଷୀ ବାହିନୀକୁ ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି। କୋଷ୍ଟଗାର୍ଡର ‘ଭରାଦ’, ‘ଅନ୍ମୋଲ’ ଓ ‘ଭିଜିତ’ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ସେହିପରି ନୌସେନାର ଯୁଦ୍ଧ ବିମାନ-ପି ୮ଆଇ ମଧ୍ୟ ଆକାଶମାର୍ଗରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ନୌସେନାର ସର୍ଭେଲାନ୍ସ ହେଲିକପ୍ଟର ମଧ୍ୟ ତଲାସୀ ଅଭିଯାନ କରୁଛନ୍ତି । ଘଟଣାସ୍ଥଳରୁ ପ୍ରାୟ ୩ କିଲୋମିଟର ପରିଧିରେ ସମୁଦ୍ର ଅଶାନ୍ତ ଥିବାରୁ ଅଣ୍ଡର କରେଣ୍ଟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଯୋଗୁଁ ଜାହାଜଟି ବୁଡ଼ିଯିବା ପରେ କିଛି ଦୂରକୁ ଚାଲି ଯାଇଥିବା ଅନୁମାନ କରାଯାଉଛି। ୭୨ ହଜାର ୧୦୦ ଟନ୍ ଲୁହାପଥର ବୋଝେଇ କରି ଅଗଷ୍ଟ ୨୦ ରାତି ୧୦ ଟା ୪୨ ରେ ପାରାଦ୍ବୀପ ଛାଡ଼ିଥିଲା ଜାହାଜ ‘ଏମଭି ଓସେନ୍ ୱିନର’ । ଏହାର ଦୁଇ ଦିନ ପରେ ଓ ୨୯୦ ନଟିକାଲ୍ ମାଇଲସ୍ ଯିବା ପରେ ଜାହାଜର ଆଉ ପତ୍ତା ମିଳିନଥିଲା ।
ଜାହାଜ ଯେଉଁଠି ବୁଡ଼ିଛି ସେଠାରେ ସମୁଦ୍ର ଜଳରେ ବହୁ ପରିମାଣର ତେଲ ଭାସୁଥିବାର ଦେଖିବାକୁ ମିଳିଥିବା ସର୍ଚ୍ଚ ଅପରେସନ୍ରୁ ଜଣାପଡ଼ିଛି । ଉଦ୍ଧାର କାର୍ଯ୍ୟକୁ ପରିଚାଳନା କରୁଛି ଶ୍ରୀବିଜୟପୁରମରେ ଥିବା ମାରିଟାଇମ ରେସକ୍ୟୁ କୋର୍ଡିନେସନ ସେଣ୍ଟର । ବଡ଼ ପ୍ରଶ୍ନ ଉଠୁଛି ଜାହାଜ ବୁଡ଼ିବାର କାରଣ କ’ଣ ହୋଇପାରେ ? ଜାହାଜ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ଦେଖିଲେ ଜାହାଜରେ ଅତି କମ୍ ରେ ୨ଟି ଲାଇଫ୍ ବୋଟ୍ ରହିଥାଏ। ଗୋଟିଏ ବୋଟରେ ୧୫ ରୁ ୨୦ ଜଣ ବସିବାର କ୍ଷମତା ରହିଥାଏ। ତା’ ସହିତ ପ୍ରତି ଜାହାଜର ଆବଶ୍ୟକତା କ୍ଷମତାକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ଜ୍ୟାକେଟ୍ ମହଜୁଦ ଥାଏ। ତଥାପି ଏହି ଅଘଟଣରେ ୨୨ ଜଣଙ୍କ ପତ୍ତା ମିଳୁନାହିଁ। ତେବେ ଏବିଷୟରେ ଉଦ୍ଧାର ହୋଇଥିବା ଦୁଇ ଜଣକ୍ରୁ ସଦସ୍ୟଙ୍କଠାରୁ ପ୍ରକୃତ ସତ୍ୟ ଜଣାପଡ଼ିବା ଆଶା କରାଯାଉଛି। ତେବେ ପାରାଦ୍ବୀପରୁ ବାହାରିବା ପରେ କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ଜାହାଜ ତାର କାରଣ ସରକାର ଖୋଜିବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।
Also Read: ପରମିଟ୍ ପରେ ଏବେ କ୍ୟାନ୍ସଲ ହେବ ଆରସି ! ଅନଲାଇନ ଅଟୋ ଚାଳକଙ୍କ ପାଇଁ ବଢ଼ିଲା ଅଡ଼ୁଆ
ଜାହାଜ ବୁଡ଼ିବା ନେଇ ନାନା ଆଶଙ୍କା ପ୍ରକାଶ ପାଇଛି । ଲୁହାପଥର ଲୋଡିଂ ବେଳେ ସମତୁଲ ରଖା ନଯିବା ଏବଂ ସମୁଦ୍ର ଅଶାନ୍ତ ଥିବାରୁ ଜାହାଜ ବୁଡ଼ି ଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଅଧିକାଂଶ ଜାହାଜରେ କାର୍ଗୋ ଲୋଡିଂ ବନ୍ଦର ପ୍ରଶାସନ ହାତରେ ଥାଏ। କିନ୍ତୁ ବର୍ତ୍ତମାନ କାର୍ଗୋ ଲୋଡ଼ିଂ ବାହାର ଷ୍ଟିଭେଡର ସଂସ୍ଥାଙ୍କ ହାତରେ ହେଉଛି। ଏହି ଜାହାଜ ବୁଡ଼ି ଘଟଣା ଏବେ ୨୦୦୯ ରେ‘ଏମଭି ବ୍ଲାକରୋଜ୍’ ବୁଡ଼ି ଘଟଣାକୁ ମନେ ପକାଇଦେଇଛି। ଓଭରଲୋଡିଂ ଯୋଗୁ ପାରାଦୀପ ବନ୍ଦରଠାରୁ ମାତ୍ର ୫ କିଲୋମିଟର ଦୂରତାରେ ଏହା ବୁଡ଼ିଯାଇଥିଲା।
