Japanese Man Become Dog Viral Claim:୨୨୦ କୋଟି ଖର୍ଚ୍ଚ କରି କୁକୁର ହୋଇଗଲେ ଜାପାନୀ କୋଟିପତି! ଭାଇରାଲ ଦାବିର ହେଲା ପର୍ଦ୍ଦାଫାଶ, ଜାଣନ୍ତୁ ସତ କ’ଣ?
Japanese Man Become Dog Viral Claim: ସୋସିଆଲ ମିଡିଆରେ ଏବେ ଏକ ଅଜବ ଦାବି ବେଶ୍ ଭାଇରାଲ ହେଉଛି। ଦାବି ଅନୁସାରେ, ଜାପାନର ଜଣେ ୨୬ ବର୍ଷୀୟ କୋଟିପତି ନିଜକୁ କୁକୁର ଭଳି ଦେଖାଇବା ପାଇଁ ପ୍ରାୟ ୨୨୦ କୋଟି ଟଙ୍କା ଖର୍ଚ୍ଚ କରି ସର୍ଜରୀ କରାଇଛନ୍ତି। ଏହି ଦାବି ସହ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି କୁକୁର ଭଳି ଚାଲୁଛି, ଶୋଉଛି ଓ ବ୍ୟବହାର କରୁଛି। ଭିଡିଓ ଯେତେବେଳେ ଭାଇରାଲ ହେଲା ସେତେବେଳେ ଇଣ୍ଟରନେଟ୍ରେ ଏଥିପ୍ରତି ଲୋକଙ୍କର ଆଗ୍ରହ ବଢ଼ିଲା। ଏହାର ସତ୍ୟାତ୍ୟ ଜାଣିବା ପାଇଁ ମଧ୍ୟ ନେଟିଜେନ୍ସମାନେ ବିଭିନ୍ନ ମିଡିଆରେ ଖବର ଯାଞ୍ଚ କଲେ।
ଖବର ବିଶ୍ୱବ୍ୟାପୀ ପ୍ରସାର ହେବା ପରେ ଏହାର ସତ୍ୟସତ୍ୟ ଜଣାପଡ଼ିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସୋସିଆଲ୍ ମିଡିଆରେ କରାଯାଇଥିବା ସର୍ଜରୀ ଦାବିରେ କୌଣସି ସତ୍ୟତା ନାହିଁ। ଧନୀ ବ୍ୟକ୍ତି ଜଣଙ୍କ ନିଜକୁ କୁକୁର ଭଳି ଦେଖାଇ ହେବା ପାଇଁ କୌଣସି ସର୍ଜରି କରି ନାହାନ୍ତି। ତେବେ ଭିଡିଓର ସତ କଣ ପଢ଼ନ୍ତୁ।
ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜାପାନର ସେହି ବ୍ୟକ୍ତି ଜଣଙ୍କ ଶରୀରରେ କୌଣସି ସର୍ଜରୀ କରି ଏପରି କରି ନାହାନ୍ତି, ବରଂ ଅତ୍ୟନ୍ତ ବାସ୍ତବ ଦେଖାଯାଉଥିବା କୁକୁର ପୋଷାକ ପିନ୍ଧି ଏଭଳି ରୂପ ଧାରଣ କରିଛନ୍ତି।
ଭାଇରାଲ ଦାବିରେ କ’ଣ କୁହାଯାଇଥିଲା?
ସୋସିଆଲ ମିଡିଆରେ ପ୍ରସାରିତ ପୋଷ୍ଟଗୁଡ଼ିକରେ ଦାବି କରାଯାଇଥିଲା ଯେ ‘ଜାସୋ’ ନାମକ ଜଣେ ୨୬ ବର୍ଷୀୟ ଜାପାନୀ କୋଟିପତି କୁକୁର ଭଳି ଦେଖାଯିବା ପାଇଁ ନିଜ ଶରୀରରେ ବ୍ୟାପକ ସର୍ଜରୀ କରାଇଛନ୍ତି। ଏଥିପାଇଁ ସେ କୁଆଡ଼େ ପ୍ରାୟ ୨୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଭାଇରାଲ ଭିଡିଓରେ ବ୍ୟକ୍ତିଜଣକ ରୂପ ଅବିକଳ କୁକୁର ଭଳି ଦେଖାଯାଉଥିବାରୁ ଅନେକ ଲୋକ ଏହାକୁ ସତ ବୋଲି ବିଶ୍ୱାସ କରିଥିଲେ। ହେଲେ ଏହି ବ୍ୟକ୍ତି ସର୍ଜରୀ କରାଇ ନିଜକୁ କୁକୁରରେ ପରିଣତ କରିଥିବାର କୌଣସି ବିଶ୍ୱସନୀୟ ପ୍ରମାଣ ଏପର୍ଯ୍ୟନ୍ତ ମିଳି ନାହିଁ।
ସତ କ’ଣ?
ଭାଇରାଲ କାହାଣୀଟି ପ୍ରକୃତରେ ‘ଟୋକୋ’ ନାମରେ ଅନଲାଇନରେ ପରିଚିତ ଜଣେ ଜାପାନୀ ବ୍ୟକ୍ତିଙ୍କ ସହ ଜଡ଼ିତ। ଛୋଟବେଳୁ ତାଙ୍କର କୁକୁର ଭଳି ଜୀବନ ବଞ୍ଚିବାର ଇଚ୍ଛା ଥିଲା। ଏହି ଇଚ୍ଛାକୁ ପୂରଣ କରିବା ପାଇଁ ସେ ଜାପାନର ମଡେଲିଂ ଓ ସ୍କଲ୍ପଚରିଂ କମ୍ପାନୀ Zeppet ସହ ଯୋଗାଯୋଗ କରି ଏକ ବିଶେଷ କୁକୁର ପୋଷାକ ତିଆରି କରାଇଥିଲେ।
Aslo Read- Love Story : ଦିନରେ ଅଫିସ୍, ରାତିରେ ଫୁଡ୍ ଡେଲିଭରି… ୮ ମାସ କଠିନ ପରିଶ୍ରମ କରି ପ୍ରେମିକାକୁ ଦେଲେ ଡ୍ରିମ୍ ଡାଏମଣ୍ଡ ରିଙ୍ଗ୍
ଏହି ପୋଷାକଟି ଏତେ ସୂକ୍ଷ୍ମ ଭାବରେ ତିଆରି କରାଯାଇଛି ଯେ ଏହାକୁ ପିନ୍ଧିବା ପରେ ଟୋକୋ ଜଣେ ପ୍ରକୃତ କୋଲି ଜାତୀୟ କୁକୁର ଭଳି ଦେଖାଯାଆନ୍ତି। ପୋଷାକଟି ତିଆରି କରିବାରେ ପ୍ରାୟ ୨୦ ଲକ୍ଷ ଜାପାନୀ ୟେନ୍ ଖର୍ଚ୍ଚ ହୋଇଥିବା କୁହାଯାଉଛି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୧୧ରୁ ୧୨ ଲକ୍ଷ ଟଙ୍କା ହେବ।
ସର୍ଜରୀ ନୁହେଁ, ଏହା ଏକ ଅତ୍ୟାଧୁନିକ କଷ୍ଟ୍ୟୁମ୍
ଟୋକୋଙ୍କ ଏହି ରୂପ ସ୍ଥାୟୀ ନୁହେଁ। ସେ କୌଣସି ପ୍ରକାରର ସର୍ଜରୀ କରାଇନାହାନ୍ତି କିମ୍ବା ନିଜ ଶରୀରରେ ସ୍ଥାୟୀ ପରିବର୍ତ୍ତନ କରିନାହାନ୍ତି। ବରଂ ଏହି ବିଶେଷ କଷ୍ଟ୍ୟୁମ୍ ପିନ୍ଧି ସେ କୁକୁର ଭଳି ଦେଖାଯାଆନ୍ତି। କଷ୍ଟ୍ୟୁମ୍ଟି ତିଆରି କରିବା ସମୟରେ କୋଲି କୁକୁରର ଶରୀରର ଆକାର, ଲୋମ ଓ ଅନ୍ୟାନ୍ୟ ବାହ୍ୟ ଦିଗକୁ ବିଶେଷ ଭାବରେ ଧ୍ୟାନ ଦିଆଯାଇଛି। ଏହାର ଅତ୍ୟନ୍ତ ବାସ୍ତବ ରୂପ ଯୋଗୁ ଟୋକୋଙ୍କ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଦ୍ରୁତ ଭାବେ ଭାଇରାଲ ହୋଇଥିଲା।
୨୨୦ କୋଟି ଟଙ୍କାର ଦାବି କେଉଁଠୁ ଆସିଲା?
ଟୋକୋଙ୍କ କଷ୍ଟ୍ୟୁମ୍ ପାଇଁ ଖର୍ଚ୍ଚ ହୋଇଥିବା ପ୍ରାୟ ୨୦ ଲକ୍ଷ ୟେନ୍ ଏବଂ ଭାଇରାଲ ପୋଷ୍ଟରେ ଦାବି କରାଯାଉଥିବା ୨୨୦ କୋଟି ଟଙ୍କା ମଧ୍ୟରେ ଆକାଶ-ପାତାଳର ତଫାତ ରହିଛି। ମୂଳ ଘଟଣା ସୋସିଆଲ ମିଡିଆରେ ପ୍ରସାରିତ ହେବା ସମୟରେ ଖର୍ଚ୍ଚର ପରିମାଣକୁ ବଢ଼ାଇ କୁହାଯାଇଥିବା କିମ୍ବା ତଥ୍ୟକୁ ବିକୃତ କରାଯାଇଥିବା ଜଣାପଡ଼ୁଛି।
ତେଣୁ ଭାଇରାଲ ଭିଡିଓ ଦେଖି ଜଣେ ବ୍ୟକ୍ତି ସର୍ଜରୀ କରାଇ ସ୍ଥାୟୀ ଭାବେ କୁକୁର ହୋଇଯାଇଥିବା ଭାବିବା ଭୁଲ। ଉପଲବ୍ଧ ତଥ୍ୟ ଅନୁସାରେ, ଏହା ଏକ ଅତ୍ୟାଧୁନିକ ଓ ବାସ୍ତବ ଦେଖାଯାଉଥିବା କଷ୍ଟ୍ୟୁମର କାହାଣୀ, କୌଣସି ମେଡିକାଲ ସର୍ଜରୀର ନୁହେଁ।
