ଭୁବନେଶ୍ଵର: ଭୁବନେଶ୍ବର ଏୟାରପୋର୍ଟରେ ହୋଇଥିବା ବିରୋଧ ଉପରେ ବିଜେଡି ଓ ନବୀନଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଦୁଇଦିନ ତଳେ ଭୁବନେଶ୍ବର ବିମାନବନ୍ଦରରେ ଧର୍ମେନ୍ଦ୍ରଙ୍କୁ ବିରୋଧ କରାଯାଇ ଗୋ-ବ୍ୟାକ ନାରା ଦିଆଯାଇଥିଲା । ଆଉ ଆଜି ଏହା ଉପରେ ଧର୍ମେନ୍ଦ୍ର ନବୀନଙ୍କ ଆଡକୁ ସିଧା ଅଙ୍ଗୁଳି ଦେଖାଇଛନ୍ତି । କହିଛନ୍ତି ନବୀନ ବାବୁ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ସମ୍ବଲପୁର ରେଢାଖୋଲର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ ସେ କେବେବି ଓଡିଶାର ମୁଣ୍ଡ ତଳକୁ କରିବାକୁ ଦେବେ ନାହିଁ । ୧୨ ବର୍ଷର କେନ୍ଦ୍ର ମନ୍ତ୍ରୀ ଭାବେ ସେ ଓଡିଶା ପାଇଁ ଅନେକ କାମ କରିଛନ୍ତି। କିନ୍ତୁ ତାଙ୍କୁ ବଦନାମ କରିବାକୁ ଚେଷ୍ଟା ହେଉଛି ।
ବିଜେଡିକୁ ଧର୍ମେନ୍ଦ୍ରଙ୍କ ନିଶାନା । ରେଢାଖୋଲ ମଞ୍ଚରୁ ବିଜେଡି ସୁପ୍ରିମୋ ନବୀନ ପଟନାୟକଙ୍କୁ ସିଧା ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ । ଦୁଇଦିନ ତଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଯେଭଳି ପ୍ରାୟୋଜିତ ବିରୋଧ ହେଲା ଏବଂ ଗୋ –ବ୍ୟାକ୍ ନାରା ଦିଆଗଲା ଏହାପଛରେ ଷଡଯନ୍ତ୍ରର ଗନ୍ଧ ବାରିଛନ୍ତି ଧର୍ମେନ୍ଦ୍ର । ଆଉ ଆଜି ତାର ଜବାବ ଆସିଛି ସମ୍ବଲପୁରର ରେଢାଖୋଲ ମଞ୍ଚରୁ । ଧର୍ମେନ୍ଦ୍ର ସିଧା ଅଭିଯୋଗ ଆଣିଛନ୍ତି ଯେ ନବୀନ ବାବୁ ତାଙ୍କୁ ବଦନାମ କରୁଛନ୍ତି । କିନ୍ତୁ ସେ ଓଡ଼ିଶାର ସମ୍ମାନହାନୀ ଭଳି ଏମିତି କୌଣସି କାର୍ଯ୍ୟ କରିବେନି ଯାହା ଓଡିଶାକୁ ନିନ୍ଦିତ କରିବ। ଜୀବନ ଥିବା ପର୍ଯ୍ୟନ୍ତ ସେ ସାଢେ ୪ କୋଟି ଓଡ଼ିଆ ଲୋକଙ୍କ ମୁଣ୍ଡ କେବେ ତଳେ କରିବାକୁ ଦେବେନି ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେ ଏକଥା ବି କହିଛନ୍ତି ଯେ ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମା ସମଲେଶ୍ବରୀଙ୍କ ଆଶିର୍ବାଦରୁ କେନ୍ଦ୍ରରେ ୧୨ ବର୍ଷ ମନ୍ତ୍ରୀ ହୋଇଛନ୍ତି ଏବଂ ଓଡିଶା ପାଇଁ ଅନେକ କାମ କରିଛନ୍ତି । କିନ୍ତୁ ନବୀନ ବାବୁ ତାଙ୍କୁ ବଦନାମ କରୁଛନ୍ତି ଏବଂ ଗୋ ବ୍ୟାକ୍ ବୋଲି କହୁଛନ୍ତି।
Also Read: ଜଟିଳ ରୂପ ଧାରଣ କଲା ରେଭେନ୍ସା ଇଷ୍ଟ ହଷ୍ଟେଲ ବିଦାବ, ଶିକ୍ଷକ ସଂଘ-ବିଧାୟକ ମୁହାଁମୁହିଁ
କଥା ଅଟକିନି ଏଇଠି ।ଧର୍ମେନ୍ଦ୍ରଙ୍କର ବିଜେଡିକୁ କଡା ଟାର୍ଗେଟ ପରେ ସେଇ ମଞ୍ଚରେ କିଛି ସମୟ ପରେ ଦେଖିବାକୁ ମିଳିଥିଲା ଆଉ ଏକ ରୋଚକ ଦୃଶ୍ୟ । ମଞ୍ଚରେ ଉପସ୍ଥିତ ଥିବା ବିଜେଡିର ଉପନେତା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଥିଲା ଆଜି ଜନ୍ମ ଦିନ । ଆଉ ମଞ୍ଚରୁ ଶୁଭିଥିଲା ହାପି ବାର୍ଥ ଡେର ଗୀତ । ଦେଖନ୍ତୁ ଏହି ଭିଜୁଆଲକୁ । ପ୍ରଶନ୍ନ ଆଚାର୍ଯ୍ୟଙ୍କ ହାତ ଧରି କିଭଳି କେକ୍ କାଟୁଛନ୍ତି ଧର୍ମେନ୍ଦ୍ର । ଯେଉଁ ମଞ୍ଚରୁ ପ୍ରଶନ୍ନଙ୍କ ଉପସ୍ଥିତିରେ ବିଜେଡି ଓ ନବୀନଙ୍କୁ ନିଶାନା ସାଧିଥିଲେ ଧର୍ମେନ୍ଦ୍ର ସେହି ମଞ୍ଚରେ କେକ୍ କଟା ଦୃଶ୍ୟ ଦେଖି ସଭାସ୍ଥାନରେ ହାସ୍ୟରୋଳ ଦେଖିବାକୁ ମିଳିଥିଲା ।
ନବୀନଙ୍କୁ ଧର୍ମେନ୍ଦ୍ର ଟାର୍ଗେଟ କରିବା ପରେ ସାମ୍ନାକୁ ଆସିଛନ୍ତି ବିଜେଡି ନେତା ରୋହିତ ପୂଜାରୀ । ରୋହିତ କହିଛନ୍ତି, ପୁରା ଦେଶ ଜାଣିଛି ଧର୍ମେନ୍ଦ୍ରଙ୍କ ପାଇଁ ୨୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ କେହି ବଦନାମ କରିନାହାନ୍ତି ବରଂ ସେ ନିଜକୁ ନିଜେ ବଦନାମ କରିଛନ୍ତି। ଯନ୍ତର ମନ୍ତର ରେ ଛାତ୍ର ଛାତ୍ରୀ ଙ୍କୁ ପୋଲିସ ଆକ୍ରମଣ କଲା । ଏଠାରେ ପୋଲିସ ନେଇ ଧର୍ମେନ୍ଦ୍ର ନିଜ ନିର୍ବାଚନ ମଣ୍ଡଳୀ ରେ ବୁଲୁଛନ୍ତି ଏବଂ ବିଜେଡି କର୍ମୀ ଙ୍କୁ ପୋଲିସ ଅଟକ ରଖୁଛି ବୋଲି ରୋହିତ ପୂଜାରୀ ଅଭିଯୋଗ ଆଣିଛନ୍ତି । ତେଣୁ ଧର୍ମେନ୍ଦ୍ର ପ୍ରଧାନ ନିଜେ ବଦନାମ ହେଉଛନ୍ତି, ନବୀନ ପଟ୍ଟନାୟକ କାହିଁକି ତାଙ୍କୁ ବଦନାମ କରିବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ରୋହିତ ।
Also Read: ଲୋକଙ୍କ ସମସ୍ୟାକୁ ନେଇ ଅଫିସର-ନେତା ମୁହାଁମୁହିଁ, ନାପସନ୍ଦ କଲେ ରାଜସ୍ଵ ମନ୍ତ୍ରୀ
ସେପଟେ ରୋହିତ ପୂଜାରୀଙ୍କୁ କାଉଣ୍ଟର କରିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ସେ କହିଛନ୍ତି ନବୀନଙ୍କ ଅସଲ ମୁଖା ଖୋଲି ଯାଇଛି । ଯେଉଁ ଓଡିଆ ପୁଅ କେନ୍ଦ୍ରରେ ମନ୍ତ୍ରୀ ହୋଇ ଓଡିଶା ପାଇଁ ଏତେ କାମ କଲେ ତାଙ୍କୁ ଏଠାରେ ବିରୋଧ କରୁଛି ବିଜେଡି । ଏଥିରୁ ପ୍ରମାଣିତ ଯେ ଧର୍ମେନ୍ଦ୍ର ଓ ନବୀନଙ୍କ ଭିତରେ କିଛି ବୁଝାମଣା ନାହିଁ କି ସେମାନେ ଏକ ନୁହଁନ୍ତି । ତେବେ ଆଗକୁ ଧର୍ମେନ୍ଦ୍ର ଓ ବିଜେଡି ଭିତରେ ଏହି ମୁହାଁମୁହିଁ ସ୍ଥିତି ରାଜ୍ୟ ରାଜନୀତିକୁ କେଉଁ ଦିଗକୁ ନେଉଛି ତାକୁ ଦେଖିବାକୁ ପଡିବ ।
