ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ, ନିର୍ବିରୋଧ ନିର୍ବାଚିତ ୩ ବିଜେପି ସାଂସଦଙ୍କ ସମେତ ରିଟର୍ଣ୍ଣିଂ ଅଫିସର ଓ ECIଙ୍କୁ ହାଇକୋର୍ଟଙ୍କ ନୋଟିସ୍
ଜବଲପୁର: ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନକୁ ନାଟକୀୟ ଭାବେ ବଦଳାଇଥିବା ରାଜନୈତିକ ଓ ଆଇନଗତ ବିବାଦର ପାଖାପାଖି ୨ ମାସ ପରେ ଜଲପୁର ହାଇକୋର୍ଟ ନିର୍ବିରୋଧ ନିର୍ବାଚିତ ୩ ବିଜେପି ରାଜ୍ୟସଭା ସାଂସଦଙ୍କ ସମେତ ଭାରତୀୟ ନିର୍ବାଚନ ଆୟୋଗ ଓ ରିଟର୍ଣ୍ଣିଂ ଅଫିସରଙ୍କୁ ନୋଟିସ୍ ଜାରି କରିଛି। ଏହି ନୋଟିସ୍ ବରିଷ୍ଠ କଂଗ୍ରେସ ନେତ୍ରୀ ମିନାକ୍ଷୀ ନଟରାଜନଙ୍କ ଦ୍ୱାରା ରୁଜୁ ନିର୍ବାଚନ ପିଟିସନ ପରେ ଜାରି ହୋଇଛି। ନଟରାଜନଙ୍କ ପ୍ରାର୍ଥୀପତ୍ର ଯାଞ୍ଚ କାଳରେ ଖାରଜ ହୋଇଯାଇଥିଲା। ରିଟର୍ଣ୍ଣିଂ ଅଫିସରଙ୍କ ଏହି ନିଷ୍ପତ୍ତି ପରେ ନିର୍ବାଚନର ଆବଶ୍ୟକତା ସମାପ୍ତ ହୋଇଯାଇଥିଲା।
ଏହି ନିର୍ବାଚନରେ ବିଜେପିର ମହେଶ କେବଟ, ତଋଣ ଚୁଘ ଓ ରଜନୀଶ ଅଗ୍ରୱାଲ ରାଜ୍ୟସଭାକୁ ନିର୍ବିବାଦରେ ନିର୍ବାଚିତ ହୋଇଥିଲେ। ଏହି ମାମଲାର ପରବର୍ତ୍ତି ଶୁଣାଣି ସେପ୍ଟେମ୍ବର ୧୧ ତାରିଖରେ ହେବ। ଆବେଦନରେ ମହେଶ କେବଟଙ୍କ ନିର୍ବାଚନକୁ ସିଧାସଳଖ ଚ୍ୟାଲେଞ୍ଜ କରାଯାଇଛି। ତେବେ ହାଇକୋର୍ଟ ମାମଲାରେ ତଋଣ ଚୁଘ ଓ ରଜନୀଶ ଅଗ୍ରୱାଲଙ୍କୁ ମଧ୍ୟ ଜବାବ ମାଗିଛନ୍ତି। କାରଣ ଏହି ମାମଲାର ଫଳାଫଳ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାର ବୈଧତା ଉପରେ ପଡିପାରେ। ତେବେ ନ୍ୟାୟାଳୟ କେବଳ ନୋଟିସ୍ ଜାରି କରିଛନ୍ତି ମାମଲା ଉପରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।
ଏହି ବିବାଦ ଜୁନମାସରେ ଆରମ୍ଭ ହୋଇଥିଲା, ଯେତେବେଳେ ମିନାକ୍ଷୀ ନଟରାଜନଙ୍କ ପ୍ରାର୍ଥୀପତ୍ରକୁ ବିଜେପିର ସେହି ଆପତ୍ତିରେ ଖାରଜ ହୋଇଯାଇଥିଲା ଯେଉଁଥିରେ ସେ ତେଲେଙ୍ଗାନାରେ ଲମ୍ବିତ ତାଙ୍କର କୋର୍ଟ ମାମଲାର ବିବରଣୀ ନିର୍ବାଚନ ଆଫିଡେଭିଟରେ ଦେଇ ନଥିବାର ଅଭିଯୋଗ କରିଥିଲା। ଏଣୁ ରିଟର୍ଣ୍ଣିଂ ଅଫିସର ନିର୍ବାଚନ ଆଫିଡେଭିଟ୍ ଅସମ୍ପୂର୍ଣ୍ଣ ମନେ କରି ବିଜେପିର ଆପତ୍ତି ସ୍ୱୀକାର କରିନେଇଥିଲେ ମିନାକ୍ଷୀ ନଟରାଜନଙ୍କ ନାମାଙ୍କନ ରଦ୍ଦ କରିଦେଇଥିଲେ। ତେବେ କଂଗ୍ରେସ କହିଥିଲା ଯେ ଏହି ଅସ୍ୱୀକୃତି ଆଇନତଃ ଭୁଲ ଥିଲା ଓ ରାଜ୍ୟସଭାର ଗୋଟିଏ ଆସନ ବିନା ପ୍ରତିଦ୍ୱନ୍ଦ୍ୱୀତାରେ ଛଡାଇ ନିଆଯାଇଛି।
ନୋମିନେସନ ଖାରଜ ହେବା ଯୋଗୁ ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ସମୀକରଣ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ରାଜ୍ୟ ବିଧାନସଭାର ୨୩୦ ସଦସ୍ୟଙ୍କ ମଧ୍ୟରୁ ୨୨୮ ଜଣ ବିଧାୟକ ଭୋଟ ଦେବାକୁ ପାତ୍ର ଥିବା ବେଳେ ରାଜ୍ୟସଭା ନିର୍ବାଚନ ପାଇଁ ୫୮ଟି ଭୋଟର ଆବଶ୍ୟକତା ଥିଲା। ଏଥିରେ ବିଜେପିର ୧୬୪ଜଣ ବିଧାୟକଙ୍କ ସଂଖ୍ୟା ୨ଟି ଆସନରେ ପ୍ରାର୍ଥୀଙ୍କୁ ବିଜୟୀ କରୁଥିଲା। ତେବେ ତୃତୀୟ ଆସନରେ ସ୍ୱାଧୀନ ଭାବେ ଜିତିବା ପାଇଁ ୧୦ଟି ଭୋଟ କମୁଥିଲା। ଅନ୍ୟପଟେ କଂଗ୍ରେସ ମିନାକ୍ଷୀ ନଟରାଜନଙ୍କ ଦ୍ୱାରା ତୃତୀୟ ଆସନଟି ଜିତିବା ପରିସ୍ଥିତିରେ ଥିଲା। ହେଲେ ନଟରାଜନଙ୍କ ନାମାଙ୍କନ ଖାରଜ ହେବା ଯୋଗୁ ଭୋଟିଂ ଆବଶ୍ୟକତା ସମାପ୍ତ ହୋଇଯାଇଥିଲା ଓ ବିଜେପିର ୩ ପ୍ରାର୍ଥୀ ବିନା ବିରୋଧରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି।
ତେବେ କଂଗ୍ରେସ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବା ପୂର୍ବରୁ ତତ୍କାଳ ହସ୍ତକ୍ଷେପ ଦାବି କରି ସୁପ୍ରିମକୋର୍ଟକୁ ମୁହାଁଇଥିଲା। ହେଲେ ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ ଓ କହିଥିଲେ ଯେ ପ୍ରାର୍ଥୀପତ୍ର ଅସ୍ୱୀକୃତି ସମ୍ପର୍କିତ ଚ୍ୟାଲେଞ୍ଜକୁ ସାଧାରଣତଃ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବା ପରେ ନିର୍ବାଚନ ଆବେଦନ ମାଧ୍ୟମରେ ଉଠା ଯାଇ ପାରିବ। ତେବେ ନ୍ୟାୟାଳୟ ଲୋକପ୍ରତିନିଧି ଅଧିନିୟମରେ ଉପଲବ୍ଧ ବୈଧାନିକ ଉପାୟ ଉନ୍ମୁକ୍ତ ରଖିଥିଲେ। ଏହା ପରେ ମିନାକ୍ଷୀ ନଟରାଜନ ଜବଲପୁର ହାଇକୋର୍ଟରେ ଆବେଦନ ଦାଖଲ କରିଥିଲେ।
