Voice of Eastern India

୧୦ ବର୍ଷରେ ସୃଷ୍ଟି ହୋଇଛି ୧୭ କୋଟି ଚାକିରି, ବେକାରୀ ଚିନ୍ତା ମଧ୍ୟରେ ତଥ୍ୟ ରଖିଲେ କେନ୍ଦ୍ର ସରକାର


ନୂଆଦିଲ୍ଲୀ: ଯୁବପିଢ଼ିଙ୍କ ମଧ୍ୟରେ ବେକାରୀ ଏବଂ ସୀମିତ ଚାକିରି ସୁଯୋଗକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ, ମଙ୍ଗଳବାର କେନ୍ଦ୍ର ସରକାର ରୋଜଗାର ସୃଷ୍ଟି ସମ୍ପର୍କିତ ଏକ ରିପୋର୍ଟ କାର୍ଡ଼ ଉପସ୍ଥାପନ କରିଛନ୍ତି । ୨୦୧୪ରୁ ୨୦୨୪ ମଧ୍ୟରେ ଭାରତରେ ୧୭ କୋଟିରୁ ଅଧିକ ନୂଆ ରୋଜଗାର ସୃଷ୍ଟି ହୋଇଛି ବୋଲି ସରକାର ଦାବି କରିଛନ୍ତି ।

ଏନଡିଟିଭି ରିପୋର୍ଟ ଅନୁସାରେ, ଏନଡିଏ ସାଂସଦମାନଙ୍କ ଏକ ବୈଠକରେ ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ତଥ୍ୟ ଉପସ୍ଥାପନ କରିଥିଲେ । ବିଗତ ଦଶନ୍ଧି ମଧ୍ୟରେ ରୋଜଗାର, ଦକ୍ଷତା ବିକାଶ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ହୋଇଥିବା ପ୍ରମୁଖ ସୁଧାର ବିଷୟରେ ସେ ସୂଚନା ଦେଇଥିଲେ । ଏନଡିଏ ସରକାର ଏକ ବିକଶିତ ଭାରତର ପରିକଳ୍ପନାରେ ରୋଜଗାର ସୃଷ୍ଟି ଏବଂ ଦକ୍ଷତା ବିକାଶକୁ ପ୍ରାଥମିକତା ଦେଇଛନ୍ତି ଏବଂ ୨୦୦୪ରୁ ୨୦୧୪ ମଧ୍ୟରେ ଥିବା ପୂର୍ବତନ ୟୁପିଏ ସରକାରଙ୍କ କାର୍ଯ୍ୟକାଳ ସହ ଏହାର ତୁଳନା କରିଛନ୍ତି । ଉପସ୍ଥାପନାରେ କୁହାଯାଇଛି ଯେ ୟୁପିଏ କାର୍ଯ୍ୟକାଳ ମଧ୍ୟରେ ଭାରତ ବିଶ୍ୱର ୧୦ମ ବୃହତ୍ତମ ଅର୍ଥବ୍ୟବସ୍ଥା ଥିଲା ଏବଂ ସେତେବେଳେ ରୋଜଗାର ବୃଦ୍ଧି ଧୀର ରହିଥିଲା ।

୧୦ ବର୍ଷରେ ୧୭ କୋଟି ଚାକିରି

ଆରବିଆଇ ତଥ୍ୟକୁ ନେଇ ମାଣ୍ଡଭିୟ କହିଛନ୍ତି ଯେ ୨୦୧୪ରୁ ୨୦୨୪ ମଧ୍ୟରେ ଦେଶରେ ୧୭ କୋଟିରୁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ହୋଇଛି । ଏହା ୟୁପିଏ ଶାସନକାଳ ତୁଳନାରେ ପାଖାପାଖି ୬ ଗୁଣ ଅଧିକ ବୃଦ୍ଧି । ସରକାର କହିଛନ୍ତି ଯେ ଏହି ଦଶନ୍ଧି ମଧ୍ୟରେ ଦେଶରେ ହାରାହାରି ବାର୍ଷିକ ୧.୭ କୋଟି ଚାକିରି ସୃଷ୍ଟି ହୋଇଛି । ଏହାସହ ସଂଗଠିତ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି, ଯେଉଁଥିରେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନରେ ପଞ୍ଜୀକୃତ ପ୍ରତିଷ୍ଠାନ ଏବଂ ଚାକିରି ସଂଖ୍ୟାରେ ତୀବ୍ର ବୃଦ୍ଧି ଦେଖାଦେଇଛି ।

ବେକାରୀ ହାର ୩.୧%କୁ ହ୍ରାସ

ବିଶ୍ୱ ବ୍ୟାଙ୍କ ଏବଂ ପିରିଅଡିକ ଲେବର ଫୋର୍ସ ସର୍ଭେ (PLFS) ତଥ୍ୟକୁ ନେଇ ସରକାର କହିଛନ୍ତି, ୨୦୨୫ ମସିହାରେ ଭାରତର ବେକାରୀ ହାର ୩.୧% କୁ ହ୍ରାସ ପାଇଛି, ଯାହା ବିଶ୍ୱସ୍ତରୀୟ ହାରାହାରି ୪.୮% ଠାରୁ କମ୍ । ଜି-୨୦ ଅନ୍ତର୍ଗତ ଅନେକ ପ୍ରମୁଖ ବିକଶିତ ଏବଂ ଉଦୀୟମାନ ଅର୍ଥବ୍ୟବସ୍ଥା ତୁଳନାରେ ରୋଜଗାର ସୂଚକାଙ୍କରେ ଭାରତର ପ୍ରଦର୍ଶନ ଅନୁକୂଳ ରହିଛି ।

ମାଣ୍ଡଭିୟ କହିଛନ୍ତି ଯେ ଯୁବ ରୋଜଗାର ଏବଂ କ୍ଷମତା ବୃଦ୍ଧି ଉପରେ ସରକାରଙ୍କ ବିଶେଷ ଧ୍ୟାନ ଯୋଗୁଁ କର୍ମଚାରୀ ସଂଖ୍ୟା ଭାଗୀଦାରୀ ଏବଂ ନିଯୁକ୍ତି ଯୋଗ୍ୟତାରେ ସୁଧାର ଆସିଛି । ସେ କହିଛନ୍ତି, ଯୁବ ରୋଜଗାର ହାର ୪୧.୪%ରୁ ଅଧିକ ବୃଦ୍ଧି ପାଇଥିବା ବେଳେ ଗ୍ରାଜୁଏଟଙ୍କଙ୍କ ନିଯୁକ୍ତି ଯୋଗ୍ୟତା ୬୬%କୁ ସୁଧିରିଛି । ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟ-ଅପ୍ ଇଣ୍ଡିଆ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ବିଶ୍ୱକର୍ମା ଯୋଜନା ଏବଂ ଲକ୍ଷପତି ଦିଦି ପଦକ୍ଷେପ ଭଳି ବିଭିନ୍ନ କାର୍ଯ୍ୟକ୍ରମ ସ୍ୱରୋଜଗାର ଏବଂ ଉଦ୍ୟୋଗିତାକୁ ପ୍ରୋତ୍ସାହିତ କରିଛି । ୪.୧ କୋଟିରୁ ଅଧିକ ଯୁବକଯୁବତୀଙ୍କୁ ରୋଜଗାର ସୃଷ୍ଟି, ଦକ୍ଷତା ବୃଦ୍ଧି ଏବଂ ଆନୁଷ୍ଠାନିକ ଚାକିରି ଯୋଗାଇଦେବା ଲକ୍ଷ୍ୟରେ ନିକଟରେ ୨ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରାଯାଇଛି ।

ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ସରକାର ୩.୫ କୋଟିରୁ ଅଧିକ ଚାକିରି ସୃଷ୍ଟି କରିବାର ଲକ୍ଷ୍ୟ ରଖିଛନ୍ତି । ଏହା ସହିତ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ଯୋଗୁଁ ଚାକିରି ସୃଷ୍ଟି ପ୍ରକ୍ରିୟା ଦ୍ରୁତ ହୋଇଛି । ରେଳ, ଜାତୀୟ ରାଜପଥ, ମେଟ୍ରୋ ନେଟୱାର୍କ, ବିମାନବନ୍ଦର, ଶକ୍ତି ଏବଂ ସହରାଞ୍ଚଳ ବିକାଶ ପ୍ରକଳ୍ପରେ ନିବେଶ ଦ୍ୱାରା ପାଖାପାଖି ୫.୮୮ କୋଟି ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୁଯୋଗ ସୃଷ୍ଟି ହେବାର ଆଶା କରାଯାଉଛି ।

ସେ ସୂଚନା ଦେଇଛନ୍ତି, ଉତ୍ପାଦନ ଏବଂ ସେବା ଉଭୟ କ୍ଷେତ୍ରରେ ଗତ ଦଶନ୍ଧିରେ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ କରାଯାଇଛି । ଉତ୍ପାଦନ କ୍ଷେତ୍ରରେ କର୍ମଚାରୀ ସଂଖ୍ୟା ଭାଗୀଦାରୀ ୨୫.୧୪%କୁ ବୃଦ୍ଧି ପାଇଛି, ଯାହା ଅନେକ ବିକଶିତ ଦେଶ ସହ ସମାନ ।

ଗରିବୀ ହ୍ରାସ

ନୀତି ଆୟୋଗର ତଥ୍ୟ ଦର୍ଶାଇ ସେ କହିଛନ୍ତି ଯେ ୨୦୧୪ରୁ ୨୦୨୩ ମଧ୍ୟରେ ପ୍ରାୟ ୨୫ କୋଟି ଲୋକ ଗରିବୀ ସୀମାରେଖାରୁ ବାହାରକୁ ଆସିଛନ୍ତି । ଏହି ଅବଧି ମଧ୍ୟରେ ମୁଣ୍ଡପିଛା ଘରୋଇ ଖର୍ଚ୍ଚରେ ମଧ୍ୟ ଯଥେଷ୍ଟ ବୃଦ୍ଧି ଘଟିଛି । ଏହା ବ୍ୟତୀତ ସରକାର ସାମାଜିକ ସୁରକ୍ଷା କଭରେଜର ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ୨୦୧୫ ମସିହାରେ ୨୫ କୋଟି ଲୋକ (ଜନସଂଖ୍ୟାର ୧୯%) ସାମାଜିକ ସୁରକ୍ଷା ଯୋଜନାର ଅନ୍ତର୍ଭୁକ୍ତ ଥିଲେ । ୨୦୨୬ ସୁଦ୍ଧା ଏହି ସଂଖ୍ୟା ୧୦୧ କୋଟିରୁ ଅଧିକ ହୋଇଛି, ଯାହା ଦେଶର ୬୮.୪% ଜନସଂଖ୍ୟାକୁ କଭର କରୁଛି ।



Source link

Leave A Reply

Your email address will not be published.