Voice of Eastern India

୧୩ ବର୍ଷ ପରେ ୨୦ ଦିନ ପାଇଁ ଜେଲରୁ ବାହାରିବେ ଆସାରାମ, ପ୍ରଥମ ଥର ପାରୋଲ୍ ଅନୁମତି ଦେଲେ ହାଇକୋର୍ଟ


ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ଏବଂ ନାବିଳାକଙ୍କ ସହ ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ଆସାରାମ ଆଜୀବନ କାରାଦଣ୍ଡ ସଜା କାଟୁଛନ୍ତି । ତାଙ୍କ ଦଣ୍ଡକୁ ରାଜସ୍ଥାନ ହାଇକୋର୍ଟ ଦୁଇ ମାସ ପୂର୍ବେ ବଜାୟ ରଖିଥିଲେ । କିନ୍ତୁ ସୋମବାର ଅଗଷ୍ଟ ୩ରେ ତାଙ୍କର ୨୦ ଦିନିଆ ପାରୋଲ୍ ଆବେଦନକୁ ମଞ୍ଜୁରି ଦିଆଯାଇଛି । ଏହି ମଞ୍ଜୁରି ପରେ ଆସାରାମ ୧୩ ବର୍ଷ ପରେ ୨୦ ଦିନ ପାଇଁ ଜେଲରୁ ବାହାରକୁ ଆସିବେ ।

ଉଲ୍ଲେଖଯୋଗ୍ୟ ଯେ ହାଇକୋର୍ଟ ଯୋଧପୁର ଜିଲ୍ଲା କଲେକ୍ଟରଙ୍କ ନେତୃତ୍ୱାଧୀନ ସମିତି ଦ୍ୱାରା ପାରୋଲ୍ ଆବେଦନ ଖାରଜ କରିବାକୁ ନେଇ ସମାଲାଚୋନା କରିଥିଲେ । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ପ୍ରକାଶ ଶର୍ମା ଏବଂ ଜଷ୍ଟିସ୍ ସଞ୍ଜୀତ ପୁରୋହିତଙ୍କ ଖଣ୍ଡପୀଠ ୮୫ ବର୍ଷୀୟ ଆସାରାମଙ୍କ ବୟସ ଏବଂ ୧୩ ବର୍ଷରୁ ଅଧିକ ସମୟ ଜେଲରେ ବିତାଇଥିବା କାରଣରୁ ଏହି ଆଶ୍ୱସ୍ତି ପ୍ରଦାନ କରିଛନ୍ତି।

ଏହି ମାମଲାରେ ରାଜସ୍ଥାନ ସରକାର ଏବଂ ଅନ୍ୟାନ୍ୟ ପକ୍ଷର ଓକିଲମାନେ ହାଇକୋର୍ଟଙ୍କ ସମ୍ମୁଖରେ ଜୁଲାଇ ୩୧ରେ ଜିଲ୍ଲା କଲେକ୍ଟରଙ୍କ ଦ୍ୱାରା ଅନୁଷ୍ଠିତ ବୈଠକର ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ । କମିଟି ଆସାରାମଙ୍କ ୨୦ ଦିନର ପାରୋଲ୍ ଆବେଦନକୁ ଖାରଜ କରିଦେଇଥିଲା । ଏହା ପଛରେ ଯୁକ୍ତି ଦିଆଯାଇଥିଲା ଯେ ଆବେଦନକାରୀ ଫେରାର ହୋଇପାରନ୍ତି ବୋଲି ପୋଲିସଠାରୁ ସୂଚନା ମିଳିଛି ।

ଏତିକି ନୁହେଁ, ରାଜସ୍ଥାନ ବନ୍ଦୀ ପାରୋଲ୍ ମୁକ୍ତି ନିୟମ, ୧୯୫୮ର ନିୟମ ୧୪(କ) ଅଧୀନରେ ତାଙ୍କୁ ପାରୋଲ୍ ଦେବା ପାଇଁ ଯୋଗ୍ୟ ମନେ କରାଯିବ ନାହିଁ, କାରଣ ଆବେଦନକାରୀଙ୍କ ବିରୋଧରେ ରାଜସ୍ଥାନ ବାହାରେ ଏକ ଅପରାଧିକ ମାମଲା ରୁଜୁ ଅଛି । ତାଙ୍କୁ ଅନ୍ୟ ରାଜ୍ୟ (ଗୁଜରାଟର ଗାନ୍ଧୀନଗର) ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇସାରିଛି ।

ମେ’ ମାସରେ ଆସିଥିଲା କୋର୍ଟଙ୍କ ବଡ଼ ନିଷ୍ପତ୍ତି

ଆସାରାମଙ୍କ ଆଜୀବନ କାରାଦଣ୍ଡ ଦଣ୍ଡାଦେଶକୁ ମେ’ ମାସରେ ବଜାୟ ରଖାଯାଇଥିଲା । ମେ’ ମାସରେ ବିଚାରପତି ଯୋଗେନ୍ଦ୍ର କୁମାର ପୁରୋହିତ ଏବଂ ବିଚାରପତି ଅରୁଣ ମୋଙ୍ଗାଙ୍କ ଖଣ୍ଡପୀଠ ନାବାଳିକା ଦୁଷ୍କର୍ମ ମାମଲାରେ ଆସାରାମଙ୍କ ଆଜୀବନ କାରାଦଣ୍ଡକୁ କାଏମ ରଖିବା ସହ ତାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରୁ ଦୋଷମୁକ୍ତ କରିଥିଲେ । ସେହି ସମୟରେ ଆସାରାମ ଜାମିନରେ ବାହାରେ ଥିଲେ । ଖଣ୍ଡପୀଠ ଜାମିନ ରଦ୍ଦ କରିଥିଲେ, ଜାମିନ ବଣ୍ଡ ବାଜ୍ୟାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ତାଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟ କହିଥିଲେ, “ଆବେଦନକାରୀ ଦଣ୍ଡାଦେଶ ସମୟରେ ୭୩ ବର୍ଷର ହୋଇଥିଲେ । ଏବେ ସେ ୮୬ ବର୍ଷର । ସେ ବୟସାଧିକ ଏବଂ ରୋଗରେ ଆକ୍ରାନ୍ତ ହୋଇ ଆମ ସମ୍ମୁଖରେ ଛିଡ଼ା ହୋଇଛନ୍ତି ଏବଂ ନରମ ମନୋଭାବ ଦେଖାଇବା ପାଇଁ ନିବେଦନ କରୁଛନ୍ତି । ଆମେ ତାଙ୍କୁ କୌଣସି ରିହାତି ଦେଇପାରିବୁ ନାହିଁ, କାରଣ ତାଙ୍କର ଦୁର୍ବଳତା ପୀଡ଼ିତାଙ୍କ ସ୍ୱରକୁ ଅଣଦେଖା କରିବାର କୌଣସି ଯୁକ୍ତି ଦେଉନାହିଁ ।”

ହାଇକୋର୍ଟ ଆହୁରି କହିଥିଲେ, “ଏହାକୁ ଅଣଦେଖା କରିବା ଦ୍ୱାରା ଅପରାଧିକ ନ୍ୟାୟ ପ୍ରଣାଳୀ ପ୍ରତି ସମାଜର ବିଶ୍ୱାସ ଦୁର୍ବଳ ହେବ ଏବଂ ଏକ ଭୁଲ୍ ସନ୍ଦେଶ ଯିବ । ଯାହା କୌଣସି କୋର୍ଟ କେବେହେଲେ ଦେବା ଉଚିତ୍ ନୁହେଁ, ବିଶେଷକରି ଯେତେବେଳେ ଅପରାଧୀ ଜଣେ ଆତ୍ମଘୋଷିତ ଧର୍ମଗୁରୁଙ୍କ ମୁଖା ପିନ୍ଧି ଲୁଚି ରହିଥାଏ ।”



Source link

Leave A Reply

Your email address will not be published.