ଭୁବନେଶ୍ବର ୩୧।୭: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ସନ୍ଧ୍ୟା ସୁଦ୍ଧା ଖୋଲିବ ୨୨ଟି ଗେଟ୍ । ଏବେ ୧୨ଟି ଗେଟ୍ ଖୋଲାଯାଇଛି । ୧୨ଟି ଗେଟ୍ ଦେଇ ୨ ଲକ୍ଷ ୧୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଅପରାହ୍ନରେ ଆଉ ୧୦ଟି ଗେଟ୍ ଖୋଲାଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି । ୨୨ଟି ଗେଟ୍ରେ ମୋଟ୍ ସାଢେ ୩ ଲକ୍ଷ ୩୦ ହଜାର କ୍ୟୁସେକ ପାଣି ନିଷ୍କାସିତ ହେବ ।
ଖଇରମାଳରେ ଏବେ ୫ ଲକ୍ଷ ୨୭ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଥିବା ବେଳେ ହୀରାକୁଦ ପାଣି ଆସିଲେ ପ୍ରାୟ ସାଢେ ୭ ଲକ୍ଷ ପାଣି ପ୍ରବାହିତ ହେବ । ମୁଣ୍ଡଳୀରେ କାଲି ଥିଲା ପିକ୍ ପାଣି । ୮ ଲକ୍ଷ ୮୮ ହଜାର କ୍ୟୁସେକ ଜଳ ଗୁରୁବାର ସନ୍ଧ୍ୟାରେ ପ୍ରବାହିତ ହେଉଥିବା ବେଳେ ଏବେ ୮ ଲକ୍ଷ ୬୫ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ଶନିବାର ସକାଳେ ସାଢେ ୭ ଲକ୍ଷ କ୍ୟୁସେକରୁ ତଳକୁ ଖସିବ ମୁଣ୍ଡଳୀରେ ଜଳସ୍ତର ।
Also Read:- ମହାନଦୀକୁ ଛାଡ଼ି ବାକି ସବୁ ନଦୀ ବିପଦ ସଙ୍କେତ ତଳେ, ପାଣି କମିବା ଯାଏଁ ଦିଆଯିବ ଶୁଖିଲା ଓ ରନ୍ଧା ଖାଦ୍ୟ
ଦୟା ନଦୀ ଓ କୁଶଭଦ୍ରା ନଦୀରେ ବନ୍ୟା ପାଣି ଆସିଛି । ମହାନଦୀ ବେସିନରେ କୌଣସି ଘାଇ ହୋଇନାହିଁ । ବନ୍ୟା ଯୋଗୁଁ ବ୍ରାହ୍ମଣୀ, ଜଳକା ଏବଂ ସୁବର୍ଣ୍ଣରେଖାରେ ଜଳସ୍ତର କମୁଛି । ଏହିସବୁ ନଦୀରେ ମୋଟ୍ ୭ଟି ଘାଇ ହୋଇଛି । ମୁଖ୍ୟ ଯନ୍ତ୍ରୀଙ୍କୁ ତଥ୍ୟ ମଗାଯାଇଛି । ପାଣି କମିଲେ ଏହାର ମରାମତି କରାଯିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
