Voice of Eastern India

ବନ୍ୟା ପରିଚାଳନାକୁ ନେଇ ନବୀନଙ୍କ ଟାର୍ଗେଟ, କଡ଼ା ଜବାବ ଦେଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ


ଭୁବନେଶ୍ଵର: ବନ୍ୟା ପରିଚାଳନା ଓ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆକ୍ରମଣର ଦୃଢ଼ ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ନବୀନଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ ସହ ଉଚ୍ଚସ୍ଥରୀୟ ଆଲୋଚନା ଏବଂ ମୁଖ୍ୟ ଶାସନ ସଚିବ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଯାଇଛନ୍ତି ଓ ସେମାନେ ନିରନ୍ତର ଯୋଗାଯୋଗରେ ଅଛନ୍ତି।

ସୁରେଶ ପୂଜାରୀ କହିଛନ୍ତି, ‘ସବକା ସାଥ୍, ସବକା ବିକାଶ’ ନୀତିରେ ଚାଲୁଥିବା ବିଜେପି ସରକାରର ମନ୍ତ୍ରୀ ଓ ପ୍ରଶାସନ ଜୀବନକୁ ବାଜି ଲଗାଇ ଡଙ୍ଗାରେ ବନ୍ୟାଞ୍ଚଳକୁ ଯାଇ ଲୋକଙ୍କ ସେବା କରୁଛନ୍ତି। ୨୪ ବର୍ଷ ଧରି ରାଜ୍ୟ ଶାସନ କରିଥିବା ନବୀନ ବାବୁ ନବୀନ ନିବାସର ଚାରିକାନ୍ଥ ଭିତରେ ନରହି ସତସତ ପ୍ରଭାବିତ ଲୋକଙ୍କ ପାଖକୁ ଆସି ବିରୋଧୀ ଦଳ ନେତାଙ୍କ ପ୍ରକୃତ କର୍ତ୍ତବ୍ୟ ତୁଲାନ୍ତୁ ବୋଲି  ପୂଜାରୀ ଆହ୍ୱାନ ଦେବା ସହ ନବୀନଙ୍କ ବୟାନବାଜିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏଭଳି ସମୟରେ ନବୀନ ବାବୁ ରାଜନୀତି ରୁଟି ନ ସେକନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।

Also Read: ​​​​​​​ଛାଡ଼ିନି ବନ୍ୟା, ଆଗକୁ ଆସୁଛି ଆଉ ଏକ ବଡ଼ ବର୍ଷା; ସ୍ଥିତି ହେବ ଆହୁରି ସଙ୍ଗୀନ

ଏହା ପୂର୍ବରୁ ନବୀନ ପଟ୍ଟନାୟକ ଏକ୍ସରେ ପୋଷ୍ଟ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ କଟାକ୍ଷ କରିଥିଲେ। ସେ କହିଥିଲେ, ସାରା ରାଜ୍ୟରେ ବନ୍ୟାର ସ୍ଥିତି ଦେଖାଦେଇଥିବା ବେଳେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷ ନେତା ତଥା ସାଂସଦମାନେ ଏବେ ଦିଲ୍ଲୀରେ।  ଏପରି ଅସମୟରେ ନିଜ ଲୋକଙ୍କ ସୁରକ୍ଷାଠାରୁ ଅଧିକ ଗମ୍ଭୀର ବିଷୟ କ’ଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି।

ବନ୍ୟା ପାଇଁ ମୟୂରଭଞ୍ଜ, ବାଲେଶ୍ୱରରୁ ନେଇ ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର ଆଦି ବିଭିନ୍ନ ଜିଲ୍ଲାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟାରେ ଏକାଧିକ ନିରୀହ ଜୀବନ ଯିବାର ଖବର ଆସିବା ମୋ ସହିତ ସମଗ୍ର ଓଡ଼ିଶାବାସୀଙ୍କୁ ମଧ୍ୟ ବ୍ୟଥିତ କରିଛି। ଏପରି ଅସମୟରେ ଲୋକଙ୍କ ସାଥିରେ ଦୃଢ଼ ଭାବେ ଛିଡ଼ା ହେବା ବଦଳରେ ସରକାରୀ ଅବହେଳାର ମାଳ ମାଳ ଅଭିଯୋଗ ଆସୁଛି।

 



Source link

Leave A Reply

Your email address will not be published.