କଟକ ୩୦।୭: ବନ୍ୟା ମୁକାବିଲା ପାଇଁ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଲା ଜରୁରୀ କାଳୀନ ବୈଠକ । ଭିସି ମାଧ୍ୟମରେ ଉପ ଜିଲ୍ଲାପାଳ, ତହସିଲଦାର ଓ ବିଡିଓଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ଗୁରୁବାର ସନ୍ଧ୍ୟା ସୁଦ୍ଧା ୮ ଲକ୍ଷ ଘନଫୁଟରୁ ଅଧିକ ବନ୍ୟା ଜଳ ମହାନଦୀରେ ପ୍ରବାହିତ ହେବ । ସେଥିପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତଳି ଅଞ୍ଚଳରେ ଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଉଛି ।
ବାଙ୍କୀ ଓ ଆଠଗଡ଼ ଅଞ୍ଚଳରେ ଅଧିକ ସତର୍କତା ଅବଲମ୍ବନ କରାଯାଇଛି । ସମସ୍ତ ଘାଟ କିମ୍ବା ନଦୀ ଭିତରକୁ ନଯିବାକୁ ଲୋକଙ୍କୁ ସଚେତନ କରାଯାଉଛି । ନଦୀ ଭିତରେ ସେଲ୍ଫି କିମ୍ବା ଭିଡିଓ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅଗ୍ନିଶମ, ଓଡ୍ରାଫ୍ ଓ ଏନ୍ ଡି ଆର୍ ଏଫ୍ ଯବାନ ବନ୍ୟା ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ସୂଚନା ଦେଇଛନ୍ତି ।
Also Read: ବନ୍ୟା ସ୍ଥିତିକୁ ଦେଖି ସବୁ ଅଧିକାରୀଙ୍କ ଛୁଟି ବାତିଲ, ୨୪ ଘଣ୍ଟିଆ ସତର୍କ ରହିବାକୁ ନିର୍ଦ୍ଦେଶ
ରାଜ୍ୟରେ ଲଗାଣ ବର୍ଷା ଓ ହୀରାକୁଦ ଗେଟ୍ ଖୋଲିବା ପରେ ମୁଣ୍ଡଳୀ ନିକଟରେ ମହାନଦୀ ଜଳସ୍ତର ବୃଦ୍ଧି ପାଉଛି । ନରାଜ ବ୍ୟାରେଜ ଦେଇ ସକାଳ ୬ଟା ସୁଦ୍ଧା ସେକେଣ୍ଡ ପ୍ରତି ୪ ଲକ୍ଷ୍ୟ ୨୮ ହଜାର ୭୭୮ ଘନଫୁଟ ଜଳ ପ୍ରବାହିତ ହେଉଛି । ବ୍ୟାରେଜର ଅପ୍ ଷ୍ଟ୍ରିମରେ ଜଳସ୍ତର ୨୬.୨୫ ମିଟର ରହିଥିବା ବେଳେ ଡାଉନ୍ ଷ୍ଟ୍ରିମରେ ଜଳସ୍ତର ୨୩.୧୦ ମିଟର ରହିଛି । ଏଠାରେ ଅପ୍ ଷ୍ଟ୍ରିମରେ ବିପଦ ସଙ୍କେତ ରହିଛି ୨୬.୪୧ ମିଟର । ସେପଟେ ବରମୁଳରେ ପ୍ରତି ସେକେଣ୍ଡରେ ୬ ଲକ୍ଷ ୫୨ ହଜାର ଓ ଖଇରମାଳରେ ୮ ଲକ୍ଷ ୩୦ ହଜାର କ୍ୟୁସେକ ବନ୍ୟାଜଳ ମହାନଦୀରେ ପ୍ରବାହିତ ହେଉଛି । ଏହି ପାଣି ମୁଣ୍ଡଳୀ ଠାରେ ଦିନ ପ୍ରାୟ ୧ଟା ରୁ ୨ଟାରେ ପହଞ୍ଚିବ । ସେହି ସମୟରେ ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ପ୍ରାୟ ୯ ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରବାହିତ ହେବ ବୋଲି ଅନୁମାନ କରାଯାଉଛି ।
