ଦଶହରା ପରେ ସ୍କୁଲ ପିଲାଙ୍କୁ ମିଳିବ ତ୍ରୁଟିମୁକ୍ତ ନୂଆ ବହି: SCERT ପକ୍ଷରୁ ବିଜ୍ଞପ୍ତି ପ୍ରକାଶ, ଟେଣ୍ଡର ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦଶହରା ଛୁଟି ପରେ ମିଳିବ ନୂଆ ଓ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT) ପକ୍ଷରୁ ପ୍ରକ୍ରିୟା ଜୋରଦାର କରାଯାଇଛି। ପାଠ୍ୟପୁସ୍ତକର ସଂଶୋଧନ ଏବଂ ନୂତନ ସଂସ୍କରଣ ପ୍ରସ୍ତୁତି ପାଇଁ SCERT ପକ୍ଷରୁ ଆନୁଷ୍ଠାନିକ ଭାବେ ଟେଣ୍ଡର ଆହ୍ୱାନ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଆଗ୍ରହୀ ସଂସ୍ଥାଗୁଡ଼ିକ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଟେଣ୍ଡର ଆବେଦନ କରିପାରିବେ। ଏହାପରେ ଜୁଲାଇ ୨୭ ତାରିଖରେ ସମସ୍ତ ଅଂଶଗ୍ରହଣକାରୀ ସଂସ୍ଥାର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଟେଣ୍ଡର ଖୋଲାଯିବ। ପ୍ରକ୍ରିୟା ଶେଷ ହେବା ପରେ ନୂଆ ବହିଗୁଡ଼ିକର ଛପା କାର୍ଯ୍ୟ ଆରମ୍ଭ ହୋଇ ଦଶହରା ପୂଜା ଛୁଟି ପରେ ପିଲାମାନଙ୍କୁ ବଣ୍ଟନ କରାଯିବ।
ସୂଚନାଥାଉକି, ଚଳିତ ଶିକ୍ଷାବର୍ଷରେ ଜାତୀୟ ଶିକ୍ଷା ନୀତି (NEP ୨୦୨୦) ଅନୁଯାୟୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇଥିବା ନୂଆ ପାଠ୍ୟପୁସ୍ତକରେ ଶହ ଶହ ଭୁଲ୍ ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବହିଗୁଡ଼ିକରେ ପ୍ରାୟ ୧,୬୭୮ଟି ତଥ୍ୟଗତ, ବ୍ୟାକରଣଗତ ଏବଂ ମୁଦ୍ରଣଜନିତ ତ୍ରୁଟି ଚିହ୍ନଟ ହୋଇଥିଲା।
Also Read:ଅପରେସନ୍ ଅନ୍ୱେଷଣ-୩ରେ ବଡ଼ ସଫଳତା, ୨୬୦ ନିଖୋଜଙ୍କୁ ଉଦ୍ଧାର କଲା ପୋଲିସ
ଏମିତିରେ ବଡ଼ ତ୍ରୁଟିକୁ ନେଇ ଅଭିଭାବକ, ଶିକ୍ଷାବିତ୍ ଏବଂ ବିରୋଧୀ ଦଳଗୁଡ଼ିକ ତୀବ୍ର ସମାଲୋଚନା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟ ଆଧାରରେ SCERTର ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ଏମିତିକି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ଜାରି ରହିଛି।
ସେପଟେ ଶିକ୍ଷାବର୍ଷ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ପ୍ରଥମ ପଦକ୍ଷେପ ଭାବେ ସଂଶୋଧିତ ବହିର PDF ୱେବସାଇଟ୍ରେ ଅପଲୋଡ୍ କରାଯାଇ ଶ୍ରେଣୀଗୃହରେ ଶିକ୍ଷକମାନଙ୍କୁ ଭୁଲ୍ ସୁଧାରି ପଢ଼ାଇବାକୁ କୁହାଯାଇଥିଲା। ଏବେ ସବୁ ବିଷୟର ବିଶେଷଜ୍ଞଙ୍କ ଦ୍ୱାରା ବହିଗୁଡ଼ିକର ସମ୍ପୂର୍ଣ୍ଣ ସଂଶୋଧନ କରାଯିବା ପରେ ତ୍ରୁଟିମୁକ୍ତ ନୂଆ ବହି ଛାପି ପିଲାଙ୍କୁ ଯୋଗାଇବା ପାଇଁ SCERT ପକ୍ଷରୁ ଏହି ଟେଣ୍ଡର ଆହ୍ୱାନ କରାଯାଇଛି।
