ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଅନୁପସ୍ଥିତିରେ ଯେତେବେଳେ ବି ଦଳର ଦାୟିତ୍ୱ ଜାତୀୟ କ୍ରିକେଟ୍ ଏକାଡେମୀ (NCA) ର ମୁଖ୍ୟ ତଥା ପୂର୍ବତନ ବରିଷ୍ଠ ବ୍ୟାଟର ଭିଭିଏସ୍ ଲକ୍ଷ୍ମଣଙ୍କ ହାତକୁ ଆସିଛି, ସେତେବେଳେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଶନିବାର ହରାରେଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ ଜିମ୍ବାୱେକୁ ୯୦ ରନରେ ପରାସ୍ତ କରି ଭାରତୀୟ ଦଳ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ କବଜା କରିନେଇଛି।
ଏହାପୂର୍ବରୁ ଗୌତମ ଗମ୍ଭୀରଙ୍କ ମୁଖ୍ୟ କୋଚିଂରେ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଟି-୨୦ ସିରିଜ୍ ହରାଇବା ପରେ ନିରାଶ ହୋଇଥିବା ପ୍ରଶଂସକଙ୍କ ପାଇଁ ଲକ୍ଷ୍ମଣଙ୍କ କୋଚିଂରେ ମିଳିଥିବା ଏହି ବିଜୟ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି। କେବଳ ଏହି ଗୋଟିଏ ସିରିଜ୍ ନୁହେଁ, ଅନ୍ତରୀଣ କୋଚ୍ ଭାବେ ଲକ୍ଷ୍ମଣଙ୍କ ରେକର୍ଡ ଏତେ ଚମତ୍କାର ଯେ ତାହା ଗମ୍ଭୀରଙ୍କ କୋଚିଂ ରେକର୍ଡକୁ ବି ଫିକା ପକାଇଦେବ।
କୋଚ୍ ଭାବେ VVS ଲକ୍ଷ୍ମଣଙ୍କ ଚମତ୍କାର ରେକର୍ଡ (ଦ୍ୱିପାକ୍ଷିକ ସିରିଜ୍)
୨୦୨୨ (ଆୟର୍ଲାଣ୍ଡ ବିପକ୍ଷ): ୨-୦ ରେ ସିରିଜ୍ ବିଜୟ
୨୦୨୨ (ଜିମ୍ବାୱେ ବିପକ୍ଷ): ୩-୦ ରେ ସିରିଜ୍ ବିଜୟ
୨୦୨୨ (ନ୍ୟୁଜିଲ୍ୟାଣ୍ଡ ବିପକ୍ଷ): ୧-୦ ରେ ସିରିଜ୍ ବିଜୟ
୨୦୨୨ (ନ୍ୟୁଜିଲ୍ୟାଣ୍ଡ ବିପକ୍ଷ): ୦-୧ ରେ ପରାଜୟ
୨୦୨୪ (ଜିମ୍ବାୱେ ବିପକ୍ଷ): ୪-୧ ରେ ସିରିଜ୍ ବିଜୟ
୨୦୨୪ (ଦକ୍ଷିଣ ଆଫ୍ରିକା ବିପକ୍ଷ): ୩-୧ ରେ ସିରିଜ୍ ବିଜୟ
୨୦୨୬ ଜିମ୍ବାୱେ ବିପକ୍ଷ୨-୦ ରେ ଅଜେୟ ସିରିଜ୍ କବଜା
ଏହି ସବୁ ଦ୍ୱିପାକ୍ଷିକ ସିରିଜ୍ ବିଜୟ ବ୍ୟତୀତ ୨୦୨୩ ଏସିଆନ୍ ଗେମ୍ସରେ ମଧ୍ୟ ଲକ୍ଷ୍ମଣଙ୍କ ଦିଗଦର୍ଶନରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ତେବେ ୨୦୨୨ ଏସିଆ କପ୍ରେ ଦଳ ସୁପର-୪ ପର୍ଯ୍ୟାୟରୁ ବିଦାୟ ନେବା ତାଙ୍କ କୋଚିଂ କ୍ୟାରିୟରର ଏକମାତ୍ର ନିରାଶାଜନକ ପ୍ରଦର୍ଶନ ଥିଲା।
ଅଧିନାୟକ ଭାବେ ଶ୍ରେୟସ ଆୟରଙ୍କ ପ୍ରଥମ ସିରିଜ୍ ବିଜୟ
ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଟି-୨୦ ଟିମ୍ର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରେୟସ ଆୟରଙ୍କ ପାଇଁ ଏହି ସିରିଜ୍ ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା। ନିଜ କ୍ୟାପ୍ଟେନ୍ସି କ୍ୟାରିୟରର ପ୍ରଥମ ଦୁଇଟି ଶୃଙ୍ଖଳା (ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ)ରେ ପରାଜୟର ସାମ୍ନା କରିବା ପରେ, ଜିମ୍ବାୱେ ମାଟିରେ ଲକ୍ଷ୍ମଣଙ୍କ ମାର୍ଗଦର୍ଶନରେ ଆୟରଙ୍କୁ କ୍ୟାପ୍ଟେନ୍ ଭାବେ ନିଜର ପ୍ରଥମ ସିରିଜ୍ ବିଜୟ ମିଳିଛି।
