Voice of Eastern India

ମାତ୍ର ୧୨୦ ଟଙ୍କାର ମୋବାଇଲ୍‌ କଭରକୁ ନେଇ ଝଗଡ଼ା, ଡେଲିଭରି ବୟଙ୍କୁ ଜେଲ୍‌ ପଠାଇଲେ SDM




ଭୋପାଳ: ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମାତ୍ର ୧୨୦ ଟଙ୍କାର ମୋବାଇଲ୍ କଭର୍ ପାର୍ସଲକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଶାହନଗର SDM ରାମନିବାସ ଚୌଧୁରୀ ନିଜ କ୍ଷମତାର ଅପବ୍ୟବହାର କରି ପୋଲିସ ଡକାଇ ଜଣେ ଫ୍ଲିପ୍‌କାର୍ଟ (Flipkart) ଡେଲିଭରୀ ବୟଙ୍କୁ ଜେଲ୍ ପଠାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶାସନିକ ସ୍ତରରେ ହଇଚଇ ସୃଷ୍ଟି ହୋଇଛି।

ପନ୍ନା ଜିଲ୍ଲା ଶାହନଗରର SDM ରାମନିବାସ ଚୌଧୁରୀ ଇ-କମର୍ସ ସାଇଟ୍ 'ଫ୍ଲିପ୍‌କାର୍ଟ'ରୁ ପ୍ରାୟ ୧୨୦ ଟଙ୍କା ମୂଲ୍ୟର ଦୁଇଟି ମୋବାଇଲ୍ କଭର୍ ଅର୍ଡର କରିଥିଲେ। ଡେଲିଭରୀ ବୟ ବିଜୟ କୁଶୱା ପାର୍ସଲ ନେଇ ପହଞ୍ଚିବା ପରେ କଭର୍ ପ୍ୟାକେଟ୍ ଖୋଲିବାରୁ ସେଥିରୁ ଦୁଇଟି ବଦଳରେ କେବଳ ଗୋଟିଏ କଭର୍ ବାହାରିଥିଲା।

ଡେଲିଭରୀ ବୟ ବିଜୟଙ୍କ କହିବା ଅନୁଯାୟୀ, ଏହା କମ୍ପାନୀର ବୈଷୟିକ କିମ୍ବା ଲଜିଷ୍ଟିକ୍ ତ୍ରୁଟି ହୋଇପାରେ। ସେ ନିୟମ ଅନୁସାରେ ସାମଗ୍ରୀ ଫେରସ୍ତ (Return) କରିଦେବେ ବୋଲି କହିଥିଲେ। କିନ୍ତୁ ଏଥିରେ SDM କ୍ରୋଧିତ ହୋଇ ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।

ବିବାଦ ବଢ଼ିବାରୁ SDM ଶାହନଗର ଥାନା ପୋଲିସକୁ ଘଟଣାସ୍ଥଳକୁ ଡକାଇଥିଲେ। ପୋଲିସ ତୁରନ୍ତ ଆସି ଡେଲିଭରୀ ବୟ ବିଜୟ କୁଶୱାଙ୍କୁ କଷ୍ଟଡିକୁ ନେଇଥିଲା ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୧୭୦ ଅଧୀନରେ ଚାଲାଣ କରି ପୱାଇ ଉପ-ଜେଲ୍‌କୁ ପଠାଇ ଦେଇଥିଲା।

ଭିଡିଓ ଭାଇରାଲ୍ 
ଜେଲ୍ ଯିବା ପୂର୍ବରୁ ପୀଡ଼ିତ ଡେଲିଭରୀ ବୟ ବିଜୟ ଏକ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ସେ କହିଛନ୍ତି ଯେ, କମ୍ପାନୀର ଭୁଲ୍ ପାଇଁ ତାଙ୍କୁ ଶାସ୍ତି ଭୋଗିବାକୁ ପଡ଼ିଲା ଏବଂ ତାଙ୍କ ପ୍ରତି ଅନ୍ୟାୟ ହୋଇଛି।

ଶାହନଗର ଥାନା ଭାରପ୍ରାପ୍ତ ଅଧିକାରୀ ପର୍ଶୁରାମ ଡାୱର କହିଛନ୍ତି ଯେ, SDM କାର୍ଯ୍ୟାଳୟରୁ ସୂଚନା ମିଳିବା ପରେ ପୋଲିସ ଟିମ୍ ପଠାଯାଇଥିଲା। SDMଙ୍କ ଅଭିଯୋଗ ଥିଲା ଯେ, ଡେଲିଭରୀ ବୟ ତାଙ୍କ ସହ ଦୁର୍ବ୍ୟବହାର କରିଛି, ଯାହା ଆଧାରରେ ନିୟମାନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୋସିଆଲ ମିଡିଆରେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଆମଲାତନ୍ତ୍ର ଓ ପ୍ରଶାସନିକ ଅଧିକାରୀଙ୍କ ଏଭଳି ବ୍ୟବହାରକୁ ନେଇ  ଜନସାଧାରଣ ଓ ନେଟିଜେନ୍ସଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, SDM ରାମନିବାସ ଚୌଧୁରୀ ପୂର୍ବରୁ ମଧ୍ୟ କେତେକ ବିବାଦରେ ଛନ୍ଦି ହୋଇ ଚର୍ଚ୍ଚାକୁ ଆସିଛନ୍ତି । 



Source link

Leave A Reply

Your email address will not be published.