କୋଲକାତା, ୧୫|୦୭: ସଙ୍ଗୀନ ଏବଂ ଭୟଙ୍କର । ନ୍ୟାୟ ଦେବା ପାଇଁ ଲଢୁଥିଲେ । କିନ୍ତୁ ଅସହାୟତାର ଫାଇଦା ନେଲେ । ଯେଉଁ ନାବାଳିକାକୁ ଦୁଷ୍କର୍ମକାରୀକୁ ଦଣ୍ଡ ଦେବା ପାଇଁ କୋର୍ଟରେ କେସ୍ ଲଢୁଥିଲେ । ସେହି ନାବାଳିକାଙ୍କୁ ନିଜେ ଦୁଷ୍କର୍ମ କଲେ । ଏହି ଭଳି କିଛି ଗୁରୁତର ଅବିଯୋଗ ଆସିଛି ଜଣେ ଆଇନଜୀବୀ ବା ଓକିଲଙ୍କ ବିରୋଧରେ । ଘଟଣାରେ ପୋଲିସ ମଧ୍ୟ ଅଭିଯୁକ୍ତ ଓକିଲଙ୍କୁ ଗିରଫ କରିଛି ।
ରିପୋର୍ଟ ଅନୁସାରେ, ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ଦିଣ୍ଡୋଲି ଅଞ୍ଚଳରେ ରହୁଥିବା ଆଇନୀଜୀବୀ ପ୍ରଣୟରାଜ ରଣବୀରଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଲାଗିଛି । ଅଭିଯୋଗ ଅନୁସାରେ, ନାବାଳିକାଙ୍କ ପିତାମାତା ଦିନ ମଜୁରିଆ ଭାବେ କାମ କରନ୍ତି । ତାଙ୍କ ୧୩ ବର୍ଷୀୟା ନାବାଳିକା ଝିଅଙ୍କୁ କିଛି ଯୁବକ ଦୁଷ୍କର୍ମ କରିଥିଲା । ମାମଲାକୁ ନେଇ ପିତାମାତା ପ୍ରଣୟରାଜଙ୍କୁ ଭେଟିଥିଲେ । ପ୍ରଣୟ ପ୍ରଥମେ ୧୫୦୦୦ ଟଙ୍କା ମାଗିଥିଲେ । ଏତେ ଟଙ୍କା ଦେଇପାରିବେନି ବୋଲି ନାବାଳିକାଙ୍କ ପିତାମାତା କହିଥିଲେ ।
ପିତାମାତାଙ୍କ କଥା ଶୁଣି ପ୍ରଣୟ ନିଜେ ଷଡଯନ୍ତ୍ର ରଚିବା ଆରମ୍ଭ କରିଥିଲେ । ଟଙ୍କା ଯଦି ନାହିଁ ଝିଅ ତାଙ୍କ ଘରେ ମାଗଣାରେ କାମ କରିବ ବୋଲି ପ୍ରଣୟ ପିତାମାତାଙ୍କୁ କହିଥିଲେ । ଅସହାୟ ବାପାମାଆ ଅନ୍ୟ କିଛି ରାସ୍ତା ନପାଇ ଓକିଲଙ୍କ ସର୍ତ୍ତରେ ରାଜି ହୋଇଥିଲେ ଏବଂ ଝିଅକୁ ପଠାଇ ଦେଇଥିଲେ । ଏହି ସମୟରେ ପ୍ରଣୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ।କାହାକୁ କିଛି କହିଲେ ପୁରୁଣା ମାମଲାରେ ଫସାଇଦେବେ ବୋଲି ଧମକ ଦେଇଥିଲେ । କିନ୍ତୁ ପାଶବିକତା ଅଧିକ ହେବାରୁ ନାବାଳିକାଜଣଙ୍କ ସବୁ କଥା କହିଦେଇଥିଲେ ।
ଘଟଣା ପଦାକୁ ଆସିବା ପରେ ପୋଲିସ ଆକ୍ସନ ନେଇଛି । ପ୍ରଣୟଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି । ପୂର୍ବ ମାମଲାରେ ମଧ୍ୟ ନାବାଳିକାଙ୍କୁ ଅପହରଣ ଏବଂ ଦୁଷ୍କର୍ମ କରିଥିବା ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏହି ଘଟଣା ୨୦୨୫ରେ ଘଟିଥିବା ପୋଲିସ କହିଛି ।
