Voice of Eastern India

ପୁଣେ ହତ୍ୟାକାଣ୍ଡ: ମୃତକଙ୍କ ପରିବାର ପକ୍ଷରୁ ଲଢ଼ିବେ ୨୬/୧୧ ଆକ୍ରମଣ ମାମଲାର ସରକାରୀ ଓକିଲ 


ମୁମ୍ବାଇ: ମହାରାଷ୍ଟ୍ରର ଲୋନାବାଲା ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର କେତନ ଅଗ୍ରୱାଲ ହତ୍ୟା ମାମଲାରେ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶର ପ୍ରସିଦ୍ଧ ତଥା ହାଇପ୍ରୋଫାଇଲ୍ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଉଜ୍ଜ୍ୱଳ ନିକମ ଏହି ମାମଲାରେ ସ୍ୱତନ୍ତ୍ର ସରକାରୀ ଓକିଲ ଭାବରେ କୋର୍ଟରେ ପକ୍ଷ ରଖିବେ। ଉଜ୍ଜ୍ୱଳ ନିକମ ହେଉଛନ୍ତି ସେହି ସ୍ୱତନ୍ତ୍ର ଓକିଲ ଯିଏ ମୁମ୍ବାଇର ୨୬/୧୧ ଆତଙ୍କବାଦୀ ଆକ୍ରମଣର ମାମଲାରେ ଆତଙ୍କବାଦୀ ଅଜମଲ କସାବକୁ ଫାଶୀ ଖୁଣ୍ଟରେ ଝୁଲାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ପୁଣେଠାରେ ମୃତ କେତନ ଅଗ୍ରୱାଲଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ସହ ଅପରାଧୀମାନଙ୍କୁ କଠୋର ଦଣ୍ଡ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

କେତନ ଅଗ୍ରୱାଲଙ୍କ ପିତା ବିଶାଳ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ସାକ୍ଷାତ କରି ନିଜ ପୁଅ ପାଇଁ ନ୍ୟାୟ ଭିକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏହି ସୂଚନା ଦିଆଯାଇଛି। ମାମଲାର ଶୀଘ୍ର ଶୁଣାଣି ପାଇଁ ଏକ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯିବ। ବରିଷ୍ଠ ଓକିଲ ଉଜ୍ଜ୍ୱଳ ନିକମଙ୍କୁ ସରକାରୀ ଓକିଲ ଭାବରେ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ଫଡନାବିସ ପରିବାରର ଏହି ଦୁଇଟିଯାକ ଦାବିକୁ ତୁରନ୍ତ ଗ୍ରହଣ କରିନେଇଛନ୍ତି। ଏହି ମାମଲାରେ ସ୍ୱତନ୍ତ୍ର ସରକାରୀ ଓକିଲ ଭାବରେ କାର୍ଯ୍ୟ କରିବାକୁ ଉଜ୍ଜ୍ୱଳ ନିକମ ମଧ୍ୟ ନିଜର ସମ୍ମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଇନ ଓ ନ୍ୟାୟ ବିଭାଗର ସଚିବଙ୍କୁ ତୁରନ୍ତ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୃତ କେତନଙ୍କ ପରିବାରକୁ ଭେଟି ମୁଖ୍ୟମନ୍ତ୍ରୀ ଫଡ଼ନବିସ କହିଛନ୍ତି, ‘ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଅପରାଧୀମାନଙ୍କୁ ଯେପରି କଠୋର ଦଣ୍ଡ ମିଳିବ, ସେଥିପାଇଁ କୌଣସି ପ୍ରକାର ଅବହେଳା କରାଯିବ ନାହିଁ।’ ପୋଲିସ ସୂଚନା ଅନୁଯାୟୀ, କେତନ ଅଗ୍ରୱାଲଙ୍କୁ ତାଙ୍କର ହିଁ ଭାବି ପତ୍ନୀ ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ ଚେତନ ବାବୁଲାଲ ଚୌଧୁରୀ ମିଶି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମହାରାଷ୍ଟ୍ରର ପ୍ରସିଦ୍ଧ ଲୋହାଗଡ଼ ଦୁର୍ଗକୁ କେତନଙ୍କୁ ବୁଲାଇବା ବାହାନାରେ ନିଆଯାଇଥିଲା। ସେଠାରେ ଯୋଜନାବଦ୍ଧ ଭାବେ ସିୟା ଏବଂ ତାଙ୍କ ପ୍ରେମିକ ଚେତନ ମିଶି କେତନଙ୍କୁ ପାହାଡ଼ ଉପରୁ ଏକ ଗଭୀର ଖାତକୁ ଠେଲି ଦେଇଥିଲେ, ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। 



Source link

Leave A Reply

Your email address will not be published.