ନୂଆଦିଲ୍ଲୀ: ଜଙ୍ଗଲ ଦୁନିଆରେ ଯେଉଁ ଅଜଗରକୁ ସବୁଠାରୁ ବଡ଼ ଶିକାରୀ ବୋଲି ମନେ କରାଯାଉଥିଲା, ସିଏ ଏବେ ସାରା ଜଙ୍ଗଲର ଭବିଷ୍ୟତ ବଦଳାଇବାରେ ଲାଗିଛି । ଆମେରିକାର ଫ୍ଲୋରିଡାସ୍ଥିତ ଏଭରଗ୍ଲେଡ୍ସ (Everglades) ଅଞ୍ଚଳରେ ବର୍ଷ ବର୍ଷ ଧରି ସ୍ଥାନୀୟ ବନ୍ୟଜନ୍ତୁଙ୍କ ପାଇଁ ସବୁଠାରୁ ବଡ଼ ବିପଦ ସାଜିଥିବା ‘ବର୍ମୀଜ୍ ଅଜଗର'(Burmese Python)କୁ ନେଇ ବୈଜ୍ଞାନିକମାନେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି । ଏହି ତଥ୍ୟ ବିଶେଷଜ୍ଞମାନଙ୍କୁ ମଧ୍ୟ ଚକିତ କରିଦେଇଛି ।
ଅନୁମାନ କରାଯାଉଥିଲା ଯେ ଏହି ବିଶାଳ ସାପଗୁଡ଼ିକ କେବଳ ପଶୁପକ୍ଷୀଙ୍କୁ ଶିକାର କରି ପରିବେଶ ଓ ପରିସଂସ୍ଥାର କ୍ଷତି କରୁଛନ୍ତି । ମାତ୍ର ଏକ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ, ଏମାନେ ଅଜାଣତରେ ବୃକ୍ଷଲତାର ମଞ୍ଜିକୁ ମଧ୍ୟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଉଛନ୍ତି । ଅର୍ଥାତ୍, ଏହି ପ୍ରଜାତି ଏବେ କେବଳ ପ୍ରାଣୀମାନଙ୍କୁ ନୁହେଁ, ବରଂ ସାରା ଜଙ୍ଗଲର ଗଛଲତା ଓ ବନସ୍ପତିର ସ୍ୱରୂପକୁ ମଧ୍ୟ ବଦଳାଇବାକୁ ଆରମ୍ଭ କଲାଣି ।
ଅଜଗର ପେଟରୁ ମିଳିଲା ୨୫ ପ୍ରକାରର ମଞ୍ଜି
ଏହି ଅଧ୍ୟୟନଟି ‘ଜର୍ନାଲ୍ ଅଫ୍ ଜୁଲୋଜି’ରେ ପ୍ରକାଶିତ ହୋଇଛି । ୟୁନିଭର୍ସିଟି ଅଫ୍ ଫ୍ଲୋରିଡା, ୟୁ.ଏସ୍. ଜିଓଲଜିକାଲ୍ ସର୍ଭେ ଏବଂ କଞ୍ଜରଭେନ୍ସି ଅଫ୍ ସାଉଥ୍-ୱେଷ୍ଟ ଫ୍ଲୋରିଡାର ବୈଜ୍ଞାନିକମାନେ ମିଳିତ ଭାବେ ଏହି ଗବେଷଣା କରିଛନ୍ତି । ଦକ୍ଷିଣ ଫ୍ଲୋରିଡାରୁ ଧରାଯାଇଥିବା ବର୍ମୀଜ୍ ଅଜଗରଗୁଡ଼ିକର ପେଟର ଯାଞ୍ଚ କରିବା ସମୟରେ ବୈଜ୍ଞାନିକମାନଙ୍କୁ ସେମାନଙ୍କ ପେଟରୁ ୨୫ଟି ଭିନ୍ନ ଭିନ୍ନ ପ୍ରକାରର ଗଛର ମଞ୍ଜି ମିଳିଥିଲା । ଏଥିମଧ୍ୟରେ କ୍ୟାବେଜ୍ ପାମ୍ ଏବଂ କ୍ରିପିଙ୍ଗ୍ କକୁମ୍ବର ଭଳି ସ୍ଥାନୀୟ ଉଦ୍ଭିଦର ମଞ୍ଜି ସାମିଲ ଥିଲା । ଗବେଷକମାନଙ୍କ ମତରେ, ଏହି ମଞ୍ଜିଗୁଡ଼ିକ ପକ୍ଷୀ ଏବଂ ଛୋଟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଜରିଆରେ ଅଜଗର ପେଟକୁ ଯାଇଥିଲା, ଯାହାଙ୍କୁ ସାପଟି ନିଜର ଶିକାର କରିଥିଲା ।
ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ପ୍ରକ୍ରିୟାକୁ ‘ସେକେଣ୍ଡାରୀ ସିଡ୍ ଡିସପର୍ସାଲ୍’ କୁହାଯାଏ । ଅର୍ଥାତ୍, କୌଣସି ପକ୍ଷୀ ବା ପଶୁ ପ୍ରଥମେ ଫଳ ଖାଇଥାଏ, ଯାହାଦ୍ୱାରା ମଞ୍ଜି ତା’ ଶରୀର ଭିତରକୁ ଯାଏ । ପରବର୍ତ୍ତୀ ସମୟରେ ବର୍ମୀଜ୍ ଅଜଗର ସେହି ପ୍ରାଣୀକୁ ଗିଳିଦିଏ । ଏହାପରେ ଅଜଗର ଯେତେବେଳେ ମଳତ୍ୟାଗ କରେ, ସେହି ମଞ୍ଜିଗୁଡ଼ିକ କୌଣସି ଏକ ନୂଆ ସ୍ଥାନରେ ପହଞ୍ଚିଯାଏ । ଏହି ଉପାୟରେ ଗଛଲତାଗୁଡ଼ିକୁ ଏଭଳି ଅଞ୍ଚଳରେ ବଂଶବିସ୍ତାର କରିବାର ସୁଯୋଗ ମିଳୁଛି, ଯେଉଁଠାକୁ ସେମାନେ ପୂର୍ବରୁ ପହଞ୍ଚି ପାରୁନଥିଲେ ।
ହଜମ ହେବା ପରେ ମଧ୍ୟ ପ୍ରାୟ ୪୦% ମଞ୍ଜି ଜୀବିତ ରହୁଛି
ଏହି ଗବେଷଣା କେବଳ ଅନୁମାନ ମଧ୍ୟରେ ସୀମିତ ନଥିଲା । ବୈଜ୍ଞାନିକମାନେ ପରୀକ୍ଷା କରି ଦେଖିଛନ୍ତି ଯେ, କ୍ୟାବେଜ୍ ପାମ୍ ଗଛର ପ୍ରାୟ ୪୦ ପ୍ରତିଶତ ମଞ୍ଜି ଅଜଗରର ଶକ୍ତିଶାଳୀ ହଜମ ପ୍ରକ୍ରିୟା ପରେ ମଧ୍ୟ ଜୀବିତ ରହିଥିଲା । ପରେ ସେଥିରୁ ସଫଳତାପୂର୍ବକ ଗଜା ମଧ୍ୟ ବାହାରିଥିଲା । ଏହାର ଅର୍ଥ ହେଉଛି ବର୍ମୀଜ୍ ଅଜଗର କେବଳ ସ୍ଥାନୀୟ ଉଦ୍ଭିଦ ନୁହେଁ, ବରଂ ଅନ୍ୟାନ୍ୟ କ୍ଷତିକାରକ ଆକ୍ରମଣକାରୀ ଗଛଲତାର ବିସ୍ତାରରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ।
ପୂର୍ବରୁ ହଜାର ହଜାର ସ୍ଥାନୀୟ ଜୀବଙ୍କୁ ଶେଷ କରିସାରିଛନ୍ତି
ଏଭରଗ୍ଲେଡ୍ସ ଅଞ୍ଚଳରେ ବର୍ମୀଜ୍ ଅଜଗରକୁ ସବୁଠାରୁ ବିନାଶକାରୀ ପ୍ରଜାତି ଭାବେ ବିବେଚନା କରାଯାଏ । ଗତ ଦୁଇ ଦଶନ୍ଧି ମଧ୍ୟରେ ଏମାନଙ୍କ ଯୋଗୁଁ ସେଠାକାର ସ୍ଥାନୀୟ ଜୀବଙ୍କ ସଂଖ୍ୟାରେ ଭୟଙ୍କର ହ୍ରାସ ଘଟିଛି । ପୂର୍ବରୁ ଏହି ପଶୁମାନେ ହିଁ ଜଙ୍ଗଲରେ ପ୍ରାକୃତିକ ଭାବେ ମଞ୍ଜି ବିସ୍ତାର କରିବାର କାମ କରୁଥିଲେ । ଏବେ ସେମାନଙ୍କ ସଂଖ୍ୟା କମିଯିବା ପରେ ଅଜଗର ସେହି କାମ କରୁଛି । କିନ୍ତୁ ଏହି ପରିବର୍ତ୍ତନ ଭବିଷ୍ୟତରେ ପରିବେଶ ପାଇଁ କେତେ ସାଙ୍ଘାତିକ ହେବ, ସେନେଇ ଏବେ ସ୍ପଷ୍ଟ ସୂଚନା ମିଳିନାହିଁ ।
ଏଭରଗ୍ଲେଡ୍ସର ଭବିଷ୍ୟତ ବଦଳାଇପାରେ ଏହି ନୂଆ ସଙ୍କଟ
ବୈଜ୍ଞାନିକମାନଙ୍କ ମତରେ, ବର୍ମୀଜ୍ ଅଜଗରଙ୍କ ପ୍ରଭାବ କେବଳ ଜୀବଜନ୍ତୁ ଶିକାର କରିବା ମଧ୍ୟରେ ସୀମିତ ନାହିଁ । ସେମାନେ ସମ୍ପୂର୍ଣ୍ଣ ପରିସଂସ୍ଥାର ଗତିପଥ ବଦଳାଇ ଦେଇପାରନ୍ତି । ଯେଉଁ ସମସ୍ୟାକୁ ଦିନେ କେବଳ ଶିକାରୀ ସାପଙ୍କ ଭୟ ବୋଲି ଭାବି ଅନଦେଖା କରାଯାଉଥିଲା, ତାହା ଏବେ ଗଛଲତା ଓ ଜଙ୍ଗଲର ଭବିଷ୍ୟତ ସହ ଯୋଡ଼ି ହୋଇଯାଇଛି । ଏଭରଗ୍ଲେଡ୍ସ ଭଳି ଏକ ସମ୍ବେଦନଶୀଳ ଆର୍ଦ୍ରଭୂମି ପରିବେଶର ସୁରକ୍ଷା ଏବେ ଚିନ୍ତାର ବିଷୟ ପାଲଟିଛି ।
