ରାଜ୍ୟରେ ବିଚିତ୍ର ସ୍ଥିତି ! କେଉଁଠି ୯୨ ବର୍ଷରେ ମିଳୁନି ଭତ୍ତା ତ କେଉଁଠି ଭିନ୍ନକ୍ଷମ ପୁଅ ଭତ୍ତାରେ ଘର ଚଳାଉଛି ବିଧବା ମା
ଭଦ୍ରକ: ଭତ୍ତା ଜଞ୍ଜାଳରେ ସନ୍ତୁଳି ଗଲେଣି ହିତାଧିକାରୀ । କିଏ ୩ ମାସ ହେବ ଭତ୍ତା ପାଉ ନାହିଁ ତ କେଉଁଠି ୯ ମାସ ହେବ ମିଳି ନାହିଁ ଭତ୍ତା । ଆମେ ଆଜି ଭତ୍ତା ସମସ୍ୟାର ଏମିତି କିଛି ଘଟଣା ଯାହା ଦେଖିଲେ ଆପଣ ମଧ୍ୟ କହିବେ ସତରେ କଣ ଗ୍ରାଉଣ୍ଡରେ ସ୍ଥିତି ଏମିତି । ଏମିତି ବି ସ୍ଥିତି ଉପୁଜିଛି ଯେଉଁଠି ୯୨ ବର୍ଷୀୟ ରୋଗଗ୍ରସ୍ତ ବୃଦ୍ଧ ୩ ମାସ ହେବ ଭତ୍ତା ପାଇନଥିବା ବେଳେ ଆଉ ଜଣେ ବିଧବା ମାଆ ନିଜ ମାନସିକ ବିକାରଗ୍ରସ୍ତ ପୁଅର ଭତ୍ତା ଟଙ୍କାରେ ଘର ଚଳାଉଛି ।
ଦଇବ ହେଉଛି ଏମିତି ଯନ୍ତ୍ରଣା । ଗୋଟେ ପଟେ କେବଳ ମାତ୍ର ପୁଅ କୁ ନେଇ ଜୀବନ ବଞ୍ଚିଛି । ପ୍ରାପ୍ତ ବୟସ୍କ ପୁଅ ସିନା ପାଖରେ ରହିଛି କିନ୍ତୁ ସେ ବି ମାନସିକ ଭିନ୍ନକ୍ଷମ । ଆପଣ ଜାଣିବେ ଆଶ୍ଚର୍ଯ୍ୟ ହେବେ ଯେ ମାନସିକ ରୂପେ ସମ୍ପୂର୍ଣ୍ଣ ଭିନ୍ନ କ୍ଷମ ପୁଅ ର ଭତ୍ତା ଟଙ୍କାରେ ମାଆ ଓ ପୁଅ ଦୁହେଁ ଚଳୁଛନ୍ତି । କାରଣ ସରକାରଙ୍କ ନିୟମ ଓ କିଛି ମାନବିକତା ନଥିବା ସରକାରୀ କର୍ମଚାରୀଙ୍କ ପାଇଁ ୬୨ ବର୍ଷୀୟା ବୃଦ୍ଧା ମାଆ ଟି ୯ ମାସ ହେବ ଭତ୍ତା ଗଣ୍ଡାଏ ପାଉ ନାହିଁ । ଏହି ବୟସ ରେ ଭତ୍ତା ପାଇଁ କେଉଁଠି କି ଯିବା ତ ଦୂରର କଥା । ନିଜ ସମସ୍ୟା ର ସମାଧାନ ପାଇଁ କାହାକୁ ଅନୁରୋଧ କରିବା ର ଶକ୍ତି ଓ ସାମର୍ଥ୍ୟ ନଥିବା ଏହି ବୁଢ଼ୀ ମା ର ଦୁଃଖ କଣ ସେହି ବାବୁଙ୍କ ଆଖି କୁ ଦିଶୁ ନାହିଁ । ଯେଉଁ ମାନେ ପରେ କହିବେ ଯେ ଏହି ଭୁଲ ପାଇଁ ଭତ୍ତା ବନ୍ଦ ହୋଇଛି ।
ଏଠାକାର ବାସିନ୍ଦା ହେଉଛନ୍ତି ୬୨ ବର୍ଷୀୟା ବାସନ୍ତୀ ନାୟକ । ସ୍ବାମୀଙ୍କ ମୃତ୍ୟୁ ହୋଇଛି । ଏକ ମାତ୍ର ପୁଅ ଆଲୋକ ନାୟକ ଭିନ୍ନକ୍ଷମ । ସରକାରୀ ପ୍ରମାଣପତ୍ର ଅନୁଯାୟୀ ଆଲୋକ ୬୦ ପ୍ରତିଶତ ମାନସିକ ଭିନ୍ନକ୍ଷମ। ଆବାସ ଯୋଜନାରେ ମିଳିଥିବା ଗୋଟିଏ ବଖରା ଘର ରେ ପରିବାର ରହୁଥିବା ବେଳେ ବାସନ୍ତୀ ୨୦୨୫ ସେପ୍ଟେମ୍ବର ମାସରେ ଶେଷ ଭତ୍ତା ପାଇଥିଲେ । ବ୍ୟାଙ୍କରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି କିନ୍ତୁ ଭତ୍ତାର ଦର୍ଶନ ନାହିଁ । ଶେଷରେ ଭିନ୍ନକ୍ଷମ ପୁଅର ଭତ୍ତାରେ ଚଳୁଛି ସଂସାର । ସ୍ଥାନୀୟ ଲୋକେ ମଧ୍ୟ ସାହାଯ୍ୟର ହାତ ବଢ଼ାଇ ମାଆ ଓ ପୁଅଙ୍କୁ ସହାୟତା କରୁଛନ୍ତି ।
ସମାନ ଭାବେ ଆଉ ଜଣେ ୯୨ ବର୍ଷୀୟ ବୃଦ୍ଧ ହେଉଛନ୍ତି ରଘୁନାଥ ମହାଳିକ । ଜୀବନର ଶେଷ ପାହାଚରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ବିଛଣାରେ ପଡ଼ି ରହିଛନ୍ତି । ଆଖିକୁ କିଛି ଦିଶୁ ନାହିଁ । ନା କାହାକୁ ଜାଣି ପାରୁଛନ୍ତି ନା ପରିବାର ଲୋକଙ୍କୁ ଚିହ୍ନି ପାରୁଛନ୍ତି । କଥା ପଦିଏ ମଧ୍ୟ କହିବାରେ ଅସମର୍ଥ । ୩ ମାସ ହେବ ଭତ୍ତା ପାଇ ନାହାନ୍ତି ରଘୁନାଥ । ପୁଅ ସୁଧାକର ଜଣେ ଚାଷୀ । ସେ ମଧ୍ୟ ବାପାଙ୍କ ଭତ୍ତା ପାଇଁ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ବ୍ଲକକୁ ଗଲେ ପଦୁଟିଏ ଶୁଣିବା ପାଇଁ ମିଳୁଛି ଯେ ଭତ୍ତା ଖାତାକୁ ଆସିବ । କିନ୍ତୁ ପୁଅ ବାପାଙ୍କ ଔଷଧ ଖର୍ଚ୍ଚ ଯେନତେନ ଚଳାଉଛନ୍ତି । ତେବେ ତିହିଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କହିବା କଥା ଯେ ଭତ୍ତା ଦିଆ ଚାଲିଛି ।
ଅନ ଲାଇନରେ କିଛି କିଛି ଭତ୍ତା ଦିଆଗଲାଣି , ଆଉ ଯାହା କିଛି ବଳକା ଅଛି ଖୁବ୍ ଶୀଘ୍ର ଦିଆଯିବ । କିନ୍ତୁ ୯ ମାସ ହେବ ଭତ୍ତା ନ ମିଳିବା ଘଟଣାକୁ ନେଇ ଦୋଷ ବ୍ୟାଙ୍କ ଉପରେ ଝାଡୁଛନ୍ତି । କହିଛନ୍ତି ଯେ ବ୍ୟାଙ୍କର IFSC କୋଡ ବଦଳିଥିବାରୁ ସମସ୍ୟା ହୋଇଛି । କିନ୍ତୁ ଯଦି ବ୍ୟାଙ୍କରେ ସମସ୍ୟା ଅଛି ତେବେ ବ୍ୟାଙ୍କ ଜଣାଉ ନାହିଁ କଣ ପାଇଁ ।
