ନୂଆଦିଲ୍ଲୀ: ଭିଏତନାମ ଯୁଦ୍ଧ ସମୟରେ ଆମେରିକୀୟ ବାୟୁସେନା ଦ୍ୱାରା ଲକ୍ଷ ଲକ୍ଷ ଲିଟର ‘ଏଜେଣ୍ଟ ଅରେଞ୍ଜ’ (Agent Orange) ନାମକ ବିଷାକ୍ତ କେମିକାଲ୍ ଜଙ୍ଗଲ ଏବଂ ଚାଷଜମି ଉପରେ ସ୍ପ୍ରେ କରାଯାଇଥିଲା। ଶତ୍ରୁପକ୍ଷର ଲୁଚିବା ଜାଗା ନଷ୍ଟ କରିବା ସହସେମାନଙ୍କ ଖାଦ୍ୟ ଶସ୍ୟ ଉଜାଡ଼ିଦେବା ଲକ୍ଷ୍ୟରେ ଏଜେଣ୍ଟ ଅରେଞ୍ଜ ଚିଞ୍ଚିଥିଲା ଆମେରିକା । ଆଜି ପ୍ରାୟ ଅଧଶତାବ୍ଦୀ ପରେ, ସେହି ଏଜେଣ୍ଟ ଅରେଞ୍ଜର ମୁଖ୍ୟ ଉପାଦାନ କୁହାଯାଉଥିବା herbicide 2,4-D ଭାରତର ଚାଷଜମିଗୁଡ଼ିକରେ ଖୋଲାଖୋଲି ଭାବେ ବ୍ୟବହାର କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର କର୍କଟ ଗବେଷଣା ସଂସ୍ଥା ଏହାକୁ “ସମ୍ଭାବ୍ୟ କର୍କଟ ସୃଷ୍ଟିକାରୀ” ବୋଲି ଦର୍ଶାଇଛି।
କେବଳ ଏହି ଗୋଟିଏ କେମିକାଲ୍ ନୁହେଁ, ବରଂ ବିଶ୍ୱର ବିଭିନ୍ନ ବିକଶିତ ଦେଶରେ ନିଷେଧ ହୋଇସାରିଥିବା ଅନେକ ମାରାତ୍ମକ କୀଟନାଶକ ଆଜି ଭାରତୀୟ କୃଷି କ୍ଷେତ୍ରରେ ବହୁଳ ଭାବେ ବ୍ୟବହାର ହେଉଛି, ଯାହା ଶେଷରେ ଆମ ଖାଦ୍ୟ ଥାଳି ଦେଇ ଶରୀର ଭିତରକୁ ପ୍ରବେଶ କରୁଛି।
| କେମିକାଲର ନାମ | ବିଶ୍ୱର ସ୍ଥିତି / ପ୍ରତିବନ୍ଧକ | ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ପ୍ରଭାବ | |
| ୧.ପାରାକ୍ୱାଟ୍ (Paraquat) | ୭୦ରୁ ଅଧିକ ଦେଶରେ ସମ୍ପୂର୍ଣ୍ଣ ନିଷେଧ। | କିଡନୀ, ଫୁସଫୁସ ନଷ୍ଟ ସହ ରୋଗର ଆଶଙ୍କା। | |
| ୨.ଗ୍ଲାଇଫୋସେଟ୍ (Glyphosate) | ବିଶ୍ୱସ୍ତରରେ ବିବାଦୀୟ ଏବଂ କଟକଣାଯୁକ୍ତ। |
|
|
| ୩.ଡାଇମେଥୋଏଟ୍ (Dimethoate) | ୩୧ଟି ଦେଶରେ ସମ୍ପୂର୍ଣ୍ଣ ବ୍ୟାନ୍। | ମାନବ ଶରୀରରେ ଡିଏନ୍ଏ (DNA) ନଷ୍ଟ କରିବାର ଆଶଙ୍କା। | |
|
୪.ଏସିଫେଟ୍ (Acephate)
herbicide 2,4-D
|
ବହୁ ଦେଶରେ କଟକଣା।
ବିଶ୍ୱସ୍ତରରେ ସମାଲୋଚିତ।
|
ପରିବେଶ ସନ୍ତୁଳନ ରଖୁଥିବା ମହୁମାଛି ବଂଶ ହ୍ରାସର ମୁଖ୍ୟ କାରଣ।
କର୍କଟ ରୋଗ (Cancer) ସୃଷ୍ଟି କରିବାର ପ୍ରମୁଖ କାରକ।
|
ନିକଟରେ ପ୍ରକାଶିତ ‘ଡେକାନ୍ ହେରାଲ୍ଡ’ ସମ୍ବାଦପତ୍ରର ଏକ ରିପୋର୍ଟ ଅନୁସାରେ, ୟୁରୋପୀୟ କମିଶନ ଏବଂ ୟୁରୋପୀୟ ଖାଦ୍ୟ ସୁରକ୍ଷା ପ୍ରାଧିକରଣ (EFSA)ର ତଥ୍ୟକୁ ବିଶ୍ଳେଷଣ କରି ଜଣାପଡ଼ିଛି ଯେ, ମେ ୨୦୨୪ ରୁ ମେ ୨୦୨ ମଧ୍ୟରେ ୟୁରୋପୀୟ ସଂଘ (EU)ର ୨୭ଟି ସଦସ୍ୟ ଦେଶ ଭାରତରୁ ଯାଉଥିବା ପ୍ରାୟ ୩୬୫ଟି ଖାଦ୍ୟ ସାମଗ୍ରୀକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । ଏହି ସାମଗ୍ରୀଗୁଡ଼ିକରେ ଅତ୍ୟଧିକ ମାତ୍ରାରେ କୀଟନାଶକ ଏବଂ ବିଷାକ୍ତ ଭାରୀ ଧାତୁ (Heavy Metals) ଥିବା ଚିହ୍ନଟ ହୋଇଥିଲା।
ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR)ର ତଥ୍ୟ ଅନୁଯାୟୀ, ଭାରତରେ କର୍କଟ ରୋଗ ଏକ ମହାମାରୀ ରୂପ ନେବାରେ ଲାଗିଛି । ୨୦୨୨ରେ ଦେଶରେ ଆନୁମାନିକ ୧୪.୬ ଲକ୍ଷ ନୂଆ କର୍କଟ ରୋଗୀ ଚିହ୍ନଟ ହୋଇଥିଲେ। କେନ୍ଦ୍ର ସରକାରଙ୍କ ଆକଳନ ଅନୁଯାୟୀ, ବର୍ଷ ୨୦୨୫ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ୧୫.୭ ଲକ୍ଷରେ ପହଞ୍ଚିଛି । ଯଦିଓ କର୍କଟ ରୋଗ ପାଇଁ ଅନେକ କାରଣ ଦାୟୀ ଏବଂ କେବଳ କୀଟନାଶକକୁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ କରାଯାଇପାରିବା ନାହିଁ, ତଥାପି ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, କର୍କଟ ସୃଷ୍ଟିକାରୀ କେମିକାଲ୍ର ସଂସ୍ପର୍ଶରେ ଆସିବା ପ୍ରକ୍ରିୟାକୁ ଯଥାସମ୍ଭବ କମ୍ କରାଯିବା ଆବଶ୍ୟକ।
ଚାଷଜମିରେ ବ୍ୟବହାର ହେଉଥିବା କେମିକାଲ୍ଗୁଡ଼ିକ ମଧ୍ୟରେ ‘ପାରାକ୍ୱାଟ୍’ ସବୁଠାରୁ ବିପଜ୍ଜନକ। ୧୮୮୨ ମସିହାରେ ଅଷ୍ଟ୍ରିଆର ରସାୟନବିତ୍ ହ୍ୟୁଗୋ ୱେଡେଲ୍ଙ୍କ ଦ୍ୱାରା ଏହା ପ୍ରଥମେ ପ୍ରସ୍ତୁତ କରାଯାଇଥିଲା। ୧୯୫୦ ଦଶକରେ ବ୍ରିଟେନର ଇମ୍ପେରିଆଲ୍ କେମିକାଲ୍ ଇଣ୍ଡଷ୍ଟ୍ରିଜ୍ (ICI) ଏହାକୁ ‘ଗ୍ରାମୋକ୍ସୋନ୍’ (Gramoxone) ନାମରେ ବଜାରକୁ ଆଣିଥିଲା। ପରବର୍ତ୍ତୀ ସମୟରେ ଏହା ସ୍ୱିଜରଲ୍ୟାଣ୍ଡର କମ୍ପାନୀ ସିଞ୍ଜେଣ୍ଟା (Syngenta) ଏବଂ ବର୍ତ୍ତମାନ ଚୀନର କେମଚାଇନା (ChemChina) ଅଧୀନରେ ରହିଛି।
ଚିକିତ୍ସା ବିଜ୍ଞାନ ଅନୁଯାୟୀ, ପାରାକ୍ୱାଟର କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଡୋଟ୍ (Antidote) ବା ପ୍ରତିଷେଧକ ଔଷଧ ନାହିଁ। ଏହା ସ୍ୱଳ୍ପ ମାତ୍ରାରେ ଶରୀର ଭିତରକୁ ଗଲେ ମଧ୍ୟ ମୃତ୍ୟୁ ନିଶ୍ଚିତ । ଏହି କାରଣରୁ ୨୦୦୭ ମସିହାରେ ୟୁରୋପୀୟ ସଂଘ (EU) ଏହାକୁ କୃଷି କାର୍ଯ୍ୟରୁ ସମ୍ପୂର୍ଣ୍ଣ ନିଷେଧ କରିଥିଲା। ଆଜି ବିଶ୍ୱର ପ୍ରାୟ ୭୪ଟି ଦେଶରେ ଏହା ବ୍ୟାନ୍ ହୋଇଥିଲେ ସୁଦ୍ଧା ଭାରତରେ ଏହାର ବିକ୍ରି ଜାରି ରହିଛି। କେରଳ ଏବଂ ତେଲଙ୍ଗାନା ଭଳି କିଛି ରାଜ୍ୟ ଏହା ବିରୋଧରେ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। କୃଷି ଏବଂ ପରିବେଶ ବିଶେଷଜ୍ଞଙ୍କ ଅନୁଯାୟୀ, ସମଗ୍ର ଦେଶରେ ପାରାକ୍ୱାଟ୍କୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ଏକ ଆବେଦନ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି।
